ଫ୍ୟାଶନରେ ‘ହଂସୁଲି’

ଦିନ ଥିଲା ମହିଳାମାନେ ସୁନା କିମ୍ବା ରୁପାରେ ତିଆରି ଏକ ସ୍ବତନ୍ତ୍ର ଧରଣର ମୋଟା ଗହଣା ବେକରେ ପିନ୍ଧୁଥିଲେ, ଯାହାକୁ ହଂସୁଲି ବୋଲି କୁହାଯାଉଥିଲା। ଏହା ଥିଲା ଏକପ୍ରକାର ପାରମ୍ପରିକ ଗହଣା…

ଦିନ ଥିଲା ମହିଳାମାନେ ସୁନା କିମ୍ବା ରୁପାରେ ତିଆରି ଏକ ସ୍ବତନ୍ତ୍ର ଧରଣର ମୋଟା ଗହଣା ବେକରେ ପିନ୍ଧୁଥିଲେ, ଯାହାକୁ ହଂସୁଲି ବୋଲି କୁହାଯାଉଥିଲା। ଏହା ଥିଲା ଏକପ୍ରକାର ପାରମ୍ପରିକ ଗହଣା। କିନ୍ତୁ ସମୟ ବଦଳିବା ସହ ହଂସୁଲିର ଡିଜାଇନ୍‌ରେ ବି ସାମାନ୍ୟ ପରବର୍ତ୍ତନ ଦେଖାଗଲା। ଆଉ କେବଳ ସୁନା, ରୁପା ନୁହେଁ ଅନ୍ୟ ଧାତୁରେ ମଧ୍ୟ ଏହା ତିଆରି ହେଲା। କ୍ରମେ ପାରମ୍ପରିକ ଗହଣାରୁ ବାହାରି ଏହା ଏକ ପ୍ରକାର ଫ୍ୟାଶନ ଜୁଏଲେରିରେ ପରିଣତ ହେଲା, ଯାହାର ଚଳଣି ଏବେ ବି ଚାଲିଛି ଆଉ ଆଗକୁ ରହିବ ବୋଲି ମଧ୍ୟ ଆଶା କରାଯାଉଛି।

କେଉଁଠି କେଉଁଠି ପିନ୍ଧାଯାଏ ହଂସୁଲି: ମହାରାଷ୍ଟ୍ର ଏବଂ ଗୁଜରାଟର କେତେକ ସ୍ଥାନରେ ମହିଳାମାନେ ହଂସୁଲିକୁ ମୁଖ୍ୟ ଆଭୂଷଣ ଭାବେ ବେକରେ ପିନ୍ଧିଥାନ୍ତି। ସେହିପରି ଛତିଶଗଡ଼, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ବି ହଂସୁଲୀ ପିନ୍ଧିବାର ପରମ୍ପରା ରହିଛି। ତେବେ ସମୟାନୁସାରେ ହଂସୁଲି ଡିଜାଇନ୍‌ରେ ଅନେକ ପରିବର୍ତ୍ତନ ଆସିଥିଲେ ବି ଏହାର ମୂଳରୂପ ପ୍ରାୟ ସବୁଠି ସମାନ ରହିଥାଏ।

ହଂସୁଲିର ଡିଜାଇନ୍‌: ଗତିଶୀଳ ସମୟାନୁସାରେ ଏବେ ମାର୍କେଟରେ କେତେ ନୂଆ ନୂଆ ତଥା ଆକର୍ଷଣୀୟ ହଂସୁଲିର ସମ୍ଭାର ଦେଖିବାକୁ ମିଳୁଛି। ଏଠାରେ ସେମିତି କିଛି ପରମ୍ପରା ସହିତ ଜଡିତ ଥିବା ପାରମ୍ପରିକ ଓ ମଡର୍ନ ଡିଜାଇନ୍‌ର ହଂସୁଲି ସମ୍ପର୍କରେ ଉଲ୍ଲେଖ କରାଗଲା, ଯାହାକୁ ଆପଣ ଆପଣଙ୍କ ପରିଧାନ ସହ ମ୍ୟାଚିଂ କରି ପିନ୍ଧି ଟିକେ ଡିଫରେଣ୍ଟ ଲୁକ୍‌ ପାଇପାରିବେ।

ରୁପାର ହଂସୁଲି: ରୁପାରେ ତିଆରି ହଂସୁଲିର ଡିମାଣ୍ଡ ପୂର୍ବରୁ ଥିଲା ଆଉ ଏବେ ବି ଅଛି। ଏହାକୁ ମୁଖ୍ୟତଃ ଖଦି ପୋଷାକ ସହ ମ୍ୟାଚିଂ କରି ପିନ୍ଧିଲେ ଭଲ ମାନିଥାଏ।

ଫ୍ଲୋରାଲ୍‌ ଡିଜାଇନ୍‌ବାଲା ରୁପାର ହଂସୁଲି: ରୁପାର ହଂସୁଲି ଉପରେ ଫ୍ଲୋରାଲ୍‌ ବା ଫୁଲ ଡିଜାଇନ୍‌ର କାରୁକାର୍ଯ୍ୟ ଖୁବ୍‌ ଆକର୍ଷଣୀୟ ଲାଗିଥାଏ। ଏହା ମୁଖ୍ୟତଃ ହାଲ୍‌କା ରଙ୍ଗର ଆଉଟ୍‌ଫିଟ୍‌ ସହ ବେଶ୍‌ ଭଲ ମାନିଥାଏ।

କୁନ୍ଦନ ଖଚିତ ସୁନାର ହଂସୁଲି:ଏହି ଡିଜାଇନ୍‌ର ହଂସୁଲିକୁ ବିଶେଷ କରି ଶାଢ଼ି ସହିତ ପିନ୍ଧିଲେ ହିଁ ପରଫେକ୍ଟ ଲୁକ୍‌ ମିଳିଥାଏ।

ମୋତି ଖଚିତ ହଂସୁଲି:ଏହି ହଂସୁଲି ରୟାଲ୍‌ ଲୁକ୍‌ ଦେଇଥାଏ। ପାର୍ଟି, ଫଙ୍କଶନ୍‌କୁ ଯିବାର ଥିଲେ ଶାଢ଼ି, ଲେହେଙ୍ଗା ସହ ଏହାକୁ ମ୍ୟାଚିଂ କରି ପିନ୍ଧିଲେ ଗର୍ଜିୟସ୍‌ ଲୁକ୍‌ ମିଳିଥାଏ।

ମୀନା କାମ ହୋଇଥିବା ହଂସୁଲି: ଏ ଧରଣର ହଂସୁଲି ରାଜସ୍ଥାନୀ ଆଉଟ୍‌ଫିଟ୍‌ ସହିତ ବେଶ୍‌ ଭଲ ମାନିଥାଏ। କାରଣ ଏଥିରେ ଯେଉଁ ରଙ୍ଗବେରଙ୍ଗର ମୀନା କାମ ହୋଇଥାଏ, ତାହା ରାଜସ୍ଥାନୀ ଲେହେଙ୍ଗା ସହିତ ମ୍ୟାଚିଂ କରି ପିନ୍ଧିଲେ ସୁନ୍ଦର ଦେଖାଯାଏ।