ଫ୍ୟାଶନରେ ଅଳତା

ପୂଜା ପାର୍ବଣ ସମୟରେ ମହିଳାମାନେ ବି ଆକର୍ଷଣୀୟ ଦେଖାଯିବା ପାଇଁ ନିଜକୁ ଖୁବ୍‌ ସୁନ୍ଦର ଭାବେ ସଜାଇଥାନ୍ତି। ଝିଲ୍‌ମିଲ୍‌ ଡ୍ରେସ୍‌ କିମ୍ବା ଶାଢି ସାଙ୍ଗକୁ ମ୍ୟାଚିଂ ଜୁଏଲେରୀ ଆଉ ତା’ସହିତ ସୁନ୍ଦର ଦେଖାଯିବା ଭଳି ମେକ୍‌ଅପ୍‌ ସେମାନଙ୍କୁ ଆଟ୍ରାକ୍ଟିଭ୍‌ ଲୁକ୍‌ ଦେଇଥାଏ। ସେହିପରି ପାଦକୁ ଆକର୍ଷଣୀୟ କରିବା ପାଇଁ ପାଉଁଜି ପିନ୍ଧିବା ସହ ଏହି ସମୟରେ ଅଳତାକୁ ବି ଗୁରୁତ୍ୱ ଦିଆଯାଇଥାଏ। ତେବେ ଆଜିକାଲି ଦେଖିବାକୁ ମିଳୁଛି, ଫ୍ୟାଶନେବଲ୍‌ ଦେଖାଯିବା ପାଇଁ ମହିଳାମାନେ ହାତରେ ସୁନ୍ଦର ସୁନ୍ଦର ଡିଜାଇନ୍‌ର ମେହେନ୍ଦି ଲଗାଇବା ପରି ପାଦରେ ବି କେତେ ଭିନ୍ନ ଭିନ୍ନ ଡିଜାଇନ୍‌ର ଅଳତା ଲଗାଉଛନ୍ତି, ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ଚାନ୍ଦପଟ୍ଟି ଡିଜାଇନ୍‌: ଅଳତା ଲଗାଇବାର ସବୁଠାରୁ ସହଜ ଓ ସରଳ ଡିଜାଇନ୍‌ ହେଉଛି ଚାନ୍ଦପଟ୍ଟି। ଏଥିରେ ପାଦ ଓ ଆଙ୍ଗୁଠିରେ ଅଳତା ଲଗାଇଲା ପରେ ମଝିରେ ଏକ ଛୋଟ ଚକ୍ରାକାର ଗୋଲ କରାଯାଇଥାଏ। ତା’ପରେ ସେହି ଗୋଲର ଉପର ଓ ତଳ ଭାଗରେ ଦୁଇଟି ପଟ୍ଟି ଅଳତାରେ ଟଣାଯାଇଥାଏ। କିନ୍ତୁ ଏବେ ମହିଳାମାନେ ଚାନ୍ଦପଟ୍ଟି ଡିଜାଇନ୍‌କୁ ଆହୁରି ଆକର୍ଷଣୀୟ କରିବା ପାଇଁ ନିଜ ଇଚ୍ଛାନୁଯାୟୀ ଅଳତାରେ କେତେ ନୂଆ ନୂଆ ଡିଜାଇନ୍‌ ବି ପାଦରେ କରି ଦେଉଛନ୍ତି।

ଅଳତା ଆଉଟ୍‌ ଲାଇନ୍‌ ଡିଜାଇନ୍‌: ପାଦରେ କେବଳ ସିମ୍ପଲ ଡିଜାଇନ୍‌ର ଅଳତା ନ ଲଗାଇ ଆପଣ ଚାହିଁଲେ ସେଥିରେ କିଛି ଆଉଟ୍‌ ଲାଇନ୍‌ ବି କରିପାରିବେ। ଖାସ୍‌କରି ଲିଫ୍‌ ଡିଜାଇନ୍‌, ମୟୂର ଡିଜାଇନ୍‌ କିମ୍ବା ଅରବିକ୍‌ ଡିଜାଇନ୍‌ର ଆଉଟ୍‌ ଲାଇନ୍‌ ପାଦକୁ ଆକର୍ଷଣୀୟ ଲୁକ୍‌ ଦେଇଥାଏ। ଯଦି ଏସବୁ ଡିଜାଇନ୍‌ କରିବାକୁ କଷ୍ଟ ହେବ ତା’ହେଲେ ଆପଣ ଚାହିଁଲେ ସିମ୍ପଲ୍‌ ପଟ୍ଟିବାଲା ଆଉଟ ଲାଇନ୍‌ ଡିଜାଇନ୍‌ ବି ପାଦରେ କରିପାରିବେ।

ମେହେନ୍ଦି ସହିତ ଅଳତା: ଯଦି ଆପଣ ପାଦକୁ ମେହେନ୍ଦି ସହିତ ଅଳତାରେ ସଜାଇବାକୁ ଚାହୁଁଥାନ୍ତି, ତା’ହେଲେ ପ୍ରଥମେ ପାଦରେ ମେହେନ୍ଦିରେ ସୁନ୍ଦର ଡିଜାଇନ୍‌ କରିଦିଅନ୍ତୁ। ତା’ପରେ ସେହି ମେହେନ୍ଦି ଡିଜାଇନ୍‌ର ଚାରିପଟେ ସରୁ କାଠି ସାହାଯ୍ୟରେ ଅଳତାରେ ଆଉଟ୍‌ ଲାଇନ୍‌ କରିପାରିବେ। ଏହା ବି ପାଦକୁ ଖୁବ୍‌ ସୁନ୍ଦର ଲୁକ୍‌ ଦେଇଥାଏ।
ଜିଙ୍କ୍‌ ଅଳତାରେ ସଜାନ୍ତୁ ପାଦ: ଆଜିକାଲି ମାର୍କେଟ୍‌ରେ ଏମିତି ଏକ ସ୍ବତନ୍ତ୍ର ଧରଣର ଅଳତା ବି ମିଳିଲାଣି, ଯାହାକୁ ପାଦରେ ଲଗାଇଲେ ପାଦ ଆକର୍ଷଣୀୟ ଲାଗିବା ସହ ଆଲୋକରେ ଚିକ୍କ ଚିକ୍କ ବି କରିବ। କାରଣ ଏହି ଅଳତାରେ ଟିକେ ଜିଙ୍କ ଭାଗ ମିଶିକି ରହିଥାଏ।

ଅଳତାରେ ବି ଲଗାଇପାରିବେ ମେହେନ୍ଦି: ଆପଣ ଚାହିଁଲେ ସରୁ ବ୍ରସ୍‌ କିମ୍ବା କାଠି ସାହାଯ୍ୟରେ ପାଦରେ ଅଳତାର ମେହେନ୍ଦି ଡିଜାଇନ୍‌ ବି କରିପାରିବେ। ଏହା ଖୁବ୍‌ ସରୁ ସରୁ ଡିଜାଇନ୍‌ର ହୋଇଥିବାରୁ ପାଦକୁ ଏକ ଡିଫରେଣ୍ଟ ଲୁକ୍‌ ମିଳିଥାଏ। ସେହିପରି ଅଳତାର ଲେହେରିଆ ଡିଜାଇନ୍‌ ବି ପାଦକୁ ବେଶ୍‌ ଭଲ ମାନିଥାଏ।