ଫ୍ୟାନ୍‌ରେ ଝୁଲି ଇଞ୍ଜିନିୟରଙ୍କ ଆତ୍ମହତ୍ୟା

ଝାରସୁଗୁଡ଼ା ଅଫିସ,୨୪ା୧: ଝାରସୁଗୁଡ଼ା ଜିଲା ବଡମାଲ ଥାନା ଅନ୍ତର୍ଗତ ବେଦାନ୍ତ ଟାଉନଶିପ୍‌ ଲେଡିଜ୍‌ ହଷ୍ଟେଲରେ ରହୁଥିବା ଜଣେ ଯୁବତୀ ସୋମବାର ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଭୁବନେଶ୍ୱର ପାହାଳର ଶ୍ରୁତି ସାଗରିକା ସାହୁ(୨୬)। ସେ ବେଦାନ୍ତ କାରଖାନାରେ ଫଟ୍‌ଲାଇନ୍‌ରେ ଇଞ୍ଜିନିୟର ଭାବେ କାମ କରୁଥିଲେ। ଏ ସମ୍ପର୍କରେ କମ୍ପାନୀ କର୍ତ୍ତୃପକ୍ଷ ଜଣାଇବା ପରେ ବଡମାଲ ଥାନା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚତ୍ଥିଲା। ପରିବାର ଲୋକେ ପହଞ୍ଚିବା ପରେ ମୃତଦେହ ସହ କୋଠରିରୁ ଏକ ସୁଇସାଇଡ୍‌ ନୋଟ ଜବତ କରାଯାଇଛି। ଏହାକୁ ନେଇ ତଦନ୍ତ କଲାପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ଆଇଆଇସି ଅମିତାଭ ପଣ୍ଡା କହିଛନ୍ତି। ସୂଚନା ଅନୁସାରେ ହଷ୍ଟେଲ୍‌ର ଗୋଟିଏ ରୁମ୍‌ରେ ଶ୍ରୁତି ଓ ତାଙ୍କର ଜଣେ ସହକର୍ମୀ ଏକ ସଙ୍ଗେ ରହୁଥିଲେ। ଶ୍ରୁତିଙ୍କ ଦେହ ଅସୁସ୍ଥ ଥିବାରୁ ସେ ଡ୍ୟୁଟିକୁ ଯାଇ ନ ଥିଲେ। ତାଙ୍କ ସହକର୍ମୀ ଡ୍ୟୁଟିକୁ ଯାଇଥିଲେ। ଅପରାହ୍ନରେ ପାଖ ରୁମ୍‌ରେ ରହୁଥିବା ଅନ୍ୟ ସହ କର୍ମୀମାନେ ଆସି ଶ୍ରୁତିଙ୍କୁ ଡାକିଥିଲେ। ହେଲେ ସେ ରୁମ୍‌ କବାଟ ଖୋଲି ନ ଥିଲେ। ପରେ ସେମାନେ ହଷ୍ଟେଲ୍‌ରେ ଥିବା ସିକ୍ୟୁରିଟିଙ୍କୁ ଖବର ଦେବାରୁ ସେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ପୋଲିସ କବାଟ ଖୋଲିବା ପରେ ଯୁବତୀ ଜଣଙ୍କ ବେକରେ ଚୁର୍ନିବାନ୍ଧି ଫ୍ୟାନ୍‌ରେ ଝୁଲୁଥିବା ଦେଖିବାକୁ ମିଳିଛି । ଯୁବତୀ ଜଣଙ୍କ କାହିଁକି ଏଭଳି ପଦକ୍ଷେପ ନେଲେ ତାହା ସ୍ପଷ୍ଟ ହୋଇନାହିଁ।