Categories: ଜାତୀୟ

ଫ୍ଲାଗ୍‌ ମିଟିଂ ପରେ ବାଂଲା ସୈନ୍ୟଙ୍କ ଗୁଳିମାଡ଼:ବିଏସ୍‌ଏଫ୍‌ ଯବାନ ଶହୀଦ

କୋଲକାତା,୧୮-୧୦(ପି.ଟି.):ବାଂଲାଦେଶୀ ସୀମା ସୁରକ୍ଷା ବାହିନୀର ଗୁଳିମାଡ଼ରେ ଗୁରୁବାର ଜଣେ ବିଏସ୍‌ଏଫ୍‌ ଯବାନ ଶହୀଦ ହୋଇଛନ୍ତି। ଅନ୍ତର୍ଜାତୀୟ ସୀମାବର୍ତ୍ତୀ ପଶ୍ଚିମବଙ୍ଗରେ ଫ୍ଲାଗ୍‌ ମିଟିଂ ଚାଲିଥିଲାବେଳେ ଜଣେ ବାଂଲାଦେଶୀ ଯବାନ ଏକେ-୪୭ ରାଇଫଲ୍‌ରୁ ଗୁଳି ଚଳାଇଥିଲେ।
ବାଂଲାଦେଶ ସୀମାନ୍ତ ପ୍ରହରୀ (ବିଜିବି) ଯବାନଙ୍କ ମନମାନିକୁ ନେଇ ଉଭୟ ପକ୍ଷ ମଧ୍ୟରେ ଉତ୍ତେଜନା ଦେଖାଦେଇଥିବାବେଳେ ବିଏସ୍‌ଏଫ୍‌ ମୁଖ୍ୟ ଭି.କେ. ଜୋହରି ତାଙ୍କର ବାଂଲା ପ୍ରତିପକ୍ଷ ମେଜର ଜେନେରାଲ ଶାଫିନୁଲ୍‌ ଇସ୍‌ଲାମଙ୍କୁ ହଟ୍‌ଲାଇନ୍‌ରେ କଲ୍‌ କରିଥିଲେ। ଘଟଣାର ଉପଯୁକ୍ତ ତଦନ୍ତ ଲାଗି ବିଜିବି ଡିଜି ପ୍ରତିଶ୍ରୁତି ଦେଇଛନ୍ତି। ଭାରତ-ବାଂଲାଦେଶ ମଧ୍ୟରେ ୪୦୯୬ କିଲୋମିଟର ଅନ୍ତର୍ଜାତୀୟ ସୀମାକୁ ଜଗୁଥିବା ଦୁଇଦେଶର ସେନା ମଧ୍ୟରେ ଉତ୍ତମ ସମ୍ପର୍କ ରହିଆସିଛି ଓ କିଛି ଦଶନ୍ଧି ମଧ୍ୟରେ ଗୋଟିଏ ହେଲେ ଗୁଳି ଫୁଟିନାହିଁ। ଗୁରୁବାର ଘଟଣା ଏକ ବ୍ୟତିକ୍ରମ। ଏହାକୁ ନେଇ ସୀମାନ୍ତ ସ୍ଥିତି ଯେପରି ପ୍ରଭାବିତ ନ ହୁଏ, ସେଥିପାଇଁ ଉଦ୍ୟମ କରାଯାଉଥିବା ଏକ ସୂତ୍ରରୁ ଜଣାପଡିଛି। ଘଟଣା ସମ୍ପର୍କରେ ବିଏସ୍‌ଏଫ ସ୍ବରାଷ୍ଟ୍ର ଏବଂ ବହିର୍ବ୍ୟାପାର ମନ୍ତ୍ରଣାଳୟକୁ ଅବଗତ କରାଇଛି।
ଭାରତୀୟ ମତ୍ସ୍ୟଜୀବୀମାନଙ୍କୁ ନେଇ ଉପୁଜିଥିବା ବିବାଦର ସମାଧାନ ପାଇଁ ବିଜିବି ଯବାନମାନେ ଗୁରୁବାର ସକାଳେ ମୁର୍ଶିଦାବାଦ ଜିଲାର କାକ୍‌ମାରିଚାର ସୀମାନ୍ତ ଘାଟିକୁ ଆସିଥିବାବେଳେ ଏହି ଗୁଳିକାଣ୍ଡ ଘଟିଥିଲା। ୩ ଭାରତୀୟ ମତ୍ସ୍ୟଜୀବୀଙ୍କୁ ବିଜିବି ଯବାନ ଗିରଫ କରିବା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଅନ୍ତର୍ଜାତୀୟ ଜଳସୀମାରେ ମାଛ ଧରିବାକୁ ମତ୍ସ୍ୟଜୀବୀମାନଙ୍କୁ ବିଏସ୍‌ଏଫ୍‌ ଅନୁମତି ଦେଇଥିଲା। ଏହି ସୀମା ପଦ୍ମାନଦୀ ମଧ୍ୟଦେଇ ଯାଇଛି, ଯେଉଁଠୁ ପ୍ରଚୁର ଇଲିଶି ମିଳିଥାଏ। ବିଜିବି ଟିମ୍‌ ୨ ଜଣ ମତ୍ସ୍ୟଜୀବୀଙ୍କୁ ଯିବା ପାଇଁ ଅନୁମତି ଦେଇଥିଲାବେଳେ ତୃତୀୟ ଜଣଙ୍କୁ ଗିରଫ କରିଥିବା ବିଏସ୍‌ଏଫ୍‌କୁ ଜଣାଇଦେଇଥିଲା। ବିଏସ୍‌ଏଫ୍‌ର ୬ ଜଣିଆ ଟିମ୍‌ ଘଟଣାର ସମାଧାନ ପାଇଁ ଏକ ମୋଟରବୋଟ୍‌ରେ ଯାଇଥିଲେ। ସେମାନେ ଆଲୋଚନା ସାରି ବୋଟକୁ ଫେରୁଥିଲାବେଳେ ପଛପଟୁ ସୟେଦ ନାମକ ବିଜିବିର ଜଣେ ଯବାନ ଗୁଳି ଚଳାଇବାରୁ ବିଏସ୍‌ଏଫ୍‌ ହେଡ୍‌ କନ୍‌ଷ୍ଟେବଲ ବିଜୟ ଭାନ୍‌ ସିଂଙ୍କର ମୃତ୍ୟୁ ହୋଇଥିବାବେଳେ କନ୍‌ଷ୍ଟେବଲ୍‌ ରାଜବୀର ଯାଦବ ଗୁରୁତର ଆହତ ହୋଇଛନ୍ତି। ମତ୍ସ୍ୟଜୀବୀ ପ୍ରଣବ ମଣ୍ଡଳ ବିଜିବି ହାଜତରେ ରହିଥିବା ଜଣାପଡିଛି।

Share