ଫେରିଲେ ଗଙ୍ଗା ଡଲ୍‌ଫିନ

କୋଲକାତା: କରୋନା ଭାଇରସ୍‌ ପାଇଁ ଏବେ ସାରା ବିଶ୍ୱରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଲକ୍‌ଡାଉନ୍‌ ଭଳି ସ୍ଥିତି ଯୋଗୁଁ ଲୋକଙ୍କର ଆର୍ଥିକ ମେରୁଦଣ୍ଡ ଦୋହଲିଯାଇଛି। କିନ୍ତୁ ଏମିତି ଏକ ସମୟରେ ପ୍ରକୃତିରାଣୀ ହସୁଛି। ପ୍ରକୃତି ତା କ୍ଷତବିକ୍ଷତ ସ୍ଥାନକୁ ଭରଣା କରିବାରେ ଲାଗିଛି। ବିଭିନ୍ନ ନଦୀରେ ଜଳ ପ୍ରଦୂଷଣର ମାତ୍ରା ଢେର୍‌ କମିଯାଇଛି ଏବଂ ବିଭିନ୍ନ ପ୍ରକାର ପକ୍ଷୀଙ୍କ କିଚିରିମିଚିରି ସ୍ବରରେ ପ୍ରକୃତି ଯେମିତି ଭିନ୍ନ ଏକ ସଙ୍ଗୀତର ଲହରୀ ଖେଳିଯାଉଛି। ପ୍ରକୃତିର ଏଭଳି ଏକ ଭିନ୍ନ ଅମୂଲ୍ୟ ଦୃଶ୍ୟ ଏବେ କୋଲକାତାର ସମୁଦ୍ର କୂଳରେ ବି ଦେଖିବାକୁ ମିଳିଛି। ପ୍ରାୟ ୩୦ ବର୍ଷ ପରେ ଏବେ ସମୁଦ୍ର କୂଳରେ ଦେଖିବାକୁ ମିଳିଛି ଗଙ୍ଗା ଡଲ୍‌ଫିନ। ଖବର ଅନୁସାରେ କୋଲକାତାର ସମୁଦ୍ର ଘାଟ ନିକଟରେ ଗଙ୍ଗା ଡଲ୍‌ଫିନ ଦେଖିବାକୁ ମିଳିଛି। ଲଗାତର ପ୍ରଦୂଷଣ ଯୋଗୁଁ ମଧୁର ଜଳରେ ରହୁଥିବା ଗଙ୍ଗା ଡଲ୍‌ଫିନମାନଙ୍କ ଅସ୍ତିତ୍ୱ ନେଇ ବିପଦ ଦେଖା ଦେଇଥିଲା। ୨୦୦୯ ମସିହାରେ ଗଙ୍ଗା ଡଲ୍‌ଫିନକୁ ରାଷ୍ଟ୍ରୀୟ ଜଳଜୀବଭାବେ ଘୋଷଣା କରାଯାଇଥିଲା। କିନ୍ତୁ ପ୍ରଦୂଷଣ ଯୋଗୁଁ ଏବେ ଏମାନଙ୍କ ସଂଖ୍ୟା ବହୁତ କମ୍‌ ହୋଇଯାଇଛି। ମାତ୍ର ଏବେ ଲକ୍‌ଡାଉନ୍‌ ଯୋଗୁଁ ଗଙ୍ଗା ନଦୀ ଭଳି କୋଲକାତାର ହୁଗୁଳି ନଦୀର ଜଳ ମଧ୍ୟ ଢେର୍‌ ମାତ୍ରାରେ ପ୍ରଦୂଷଣମୁକ୍ତ ହୋଇପାରିଛି। ତେଣୁ କୋଲକାତାର ବିଭିନ୍ନ ଘାଟକୁ ଏହି ଗଙ୍ଗା ଡଲ୍‌ଫିନ ପୁଣିଥରେ ଫେରିଛନ୍ତି। ତେଣୁ ପ୍ରକୃତିର ଏହି ସ୍ଥିତିରୁ ସମସ୍ତେ ଅନୁଭବ କରିବା ଉଚିତ ଯେ, ସମସ୍ତଙ୍କର ଅସ୍ତିତ୍ୱକୁ ବଞ୍ଚାଇ ରଖିବାକୁ ହେଲେ ସର୍ବପ୍ରଥମେ ପରିବେଶକୁ ପ୍ରଦୂଷଣମୁକ୍ତ ରଖିବା ଉଚିତ।

Share