ଫେରିବାଲାଙ୍କଠୁ ମିଳିଲା ୪୫କେଜି ଗଞ୍ଜେଇ: ଷ୍ଟେଶନରୁ ୩ ଗିରଫ, ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା

ଦାମନଯୋଡି, ୯।୭(ଡି.ଏନ୍‌.ଏ.)- ଗଞ୍ଜେଇ ଚାଲାଣ ଅଭିଯୋଗରେ କୋରାପୁଟ ସିଆର୍‌ପିଏଫ୍‌ ମଙ୍ଗଳବାର ଦାମନଯୋଡି ଷ୍ଟେସନରୁ ଜଣେ ମହିଳାଙ୍କ ସମେତ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପଡୋଶୀ ପଶ୍ଚିମବଙ୍ଗ ନାଦିଆ ଜିଲାର ସମ୍‌ପା ଦାସ, ମୁର୍ସିଦାବାଦର ରାଜକୁମାର ଏବଂ ବର୍ଦ୍ଧମାନର କୁସ୍‌ଦିରାମ। ପୋଲିସ ଅଭିଯୁକ୍ତଙ୍କଠାରୁ ୪୫କେଜି ଗଞ୍ଜେଇ ଜବତ କରିଛି। ରାଜକୁମାର ଏବଂ କୁସ୍‌ଦିରାମ ସ୍ଥାନୀୟ ଅଞ୍ଚଳରେ ଫେରିବାଲା ଭାବେ କାମ କରୁଥିଲେ। ପ୍ରକାଶଯେ, ଅଭିଯୁକ୍ତମାନେ ହାଓ୍ବଡ଼ା ଯିବା ପାଇଁ ଦାମନଯୋଡି ଷ୍ଟେସନରେ ସମଲେଶ୍ୱରୀ ଟ୍ରେନକୁ ଅପେକ୍ଷା କରିଥିଲେ। ଏହି ସମୟରେ ତାଙ୍କ ଉପରେ ସନ୍ଦେହ ହେବାରୁ ଜିଆର୍‌ପିଏଫ୍‌ ପୋଲିସ ସେମାନଙ୍କ ନିକଟରେ ଥିବା ୩ଟି ବ୍ୟାଗ୍‌ ଯାଞ୍ଚ କରିଥିଲା। ସେଥିରୁ ୪୫ କେଜି ଗଞ୍ଜେଇ ପୋଳିସ ଜବତ କରିଥିଲା। ପରେ ପୋଲିସ ସେମାନଙ୍କୁ ଗିରଫ କରିଛି।