Categories: ଖେଳ

ଫେଡ୍‌ କପ୍‌: ଭାରତ ପ୍ରଥମ ଥର ପ୍ଲେ-ଅଫ୍‌ରେ

ଦୁବାଇ, ୮ା୩ (ପି.ଟି.)-ପ୍ରଥମ ଥର ପ୍ଲେ-ଅଫ୍‌ରେ ପ୍ରବେଶ କରି ଭାରତୀୟ ଫେଡ୍‌ କପ୍‌ ଟିମ୍‌ ଇତିହାସ ସୃଷ୍ଟି କରିଛି। ଅଙ୍କିତା ରାଇନାଙ୍କ ନେତୃତ୍ୱାଧୀନ ଦଳ ଏଠାରେ ଇଣ୍ଡୋନେସିଆ ବିପକ୍ଷରେ ୨-୧ରେ ବିଜୟ ହାସଲ କରିଛି। ପ୍ରଥମ ସିଙ୍ଗଲ୍ସରେ ଋତୁଜା ଭୋସ୍‌ଲେ ହାରିବା ପରେ ଅଙ୍କିତା ଅନ୍ୟ ସିଙ୍ଗଲ୍ସରେ ବିପକ୍ଷ ଦଳର ପ୍ରତିଭାସମ୍ପନ୍ନ ଅଲ୍‌ଦିଲା ସୁତ୍‌ଜିଆଦିଙ୍କୁ ୬-୩, ୬-୩ରେ ପରାସ୍ତ କରି ମୁକାବିଲାକୁ ୧-୧ ସ୍ତରକୁ ନେଇ ଆସିଥିଲେ। ପରେ ଡବଲ୍ସରେ ଅଙ୍କିତା ଓ ପୁରୁଖା ଖେଳାଳି ସାନିଆ ମିର୍ଜା ଯୋଡ଼ି ସୁତ୍‌ଜିଆଦି ଏବଂ ପ୍ରିସ୍କା ମାଡେଲିନ୍‌ ନୁଗ୍ରୋହୋ ଯୋଡ଼ିଙ୍କୁ ୭-୬ (୪), ୬-୦ରେ ପରାସ୍ତ କରି ଭାରତକୁ ୨-୧ରେ ବିଜୟୀ କରାଇଥିଲେ। ୬ଟି ଦଳକୁ ନେଇ ଗ୍ରୁପ୍‌ରେ ଭାରତ ଏହାର ଓପନିଂ ମ୍ୟାଚ ଚାଇନାଠାରୁ ପରାଜିତ ହେବାପରେ କ୍ରମାଗତ ୪ଟି ବିଜୟ ସହ ଟେବୁଲ୍‌ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏପ୍ରିଲରେ ଖେଳାଯିବାକୁଥିବା ପ୍ଲେ-ଅଫ୍‌ରେ ଭାରତ ଲାଟଭିଆ କିମ୍ବା ନେଦରଲାଣ୍ଡ୍ସକୁ ଭେଟିବ।
ଡେଭିସ୍‌ କପ୍‌: କ୍ରୋଏସିଆ ନିକଟରୁ ହାରିଲା ଭାରତ
ଭାରତ କ୍ରୋଏସିଆ ବିପକ୍ଷରେ ଏହାର ଡେଭିସ୍‌ କପ୍‌ କ୍ୱାଲିଫାୟର୍ସ ମ୍ୟାଚ ୧-୩ ରେ ହାରିଯାଇଛି। ଫଳରେ ଭାରତ ଓ୍ବାଲର୍‌ଡ ଗ୍ରୁପ୍‌-୧ ସ୍ତରକୁ ଖସି ଆସିଛି। ଏହି ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିପାରିଲେ ହିଁ ଦଳ ପୁଣି ଡେଭିସ୍‌ କପ୍‌ କ୍ୱାଲିଫାୟର୍ସକୁ ପ୍ରତ୍ୟାବର୍ତ୍ତନ କରିପାରିବ।

Share