Categories: କନ୍ଧମାଳ

ଫୁଲବାଣୀ ଟାଉନ ପ୍ଲାନିଂ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ

ଫୁଲବାଣୀ ଅଫିସ, ୨୬।୧-ଫୁଳବାଣୀ ସହର ଉନ୍ନତୀକରଣ ହେବ। ପୁରୁଣାକାଳିଆ ସହରକୁ ନୂତନ ରୁପ ଦିଆଯିବ। ସହରର ରୁପରେଖ ସମ୍ପୂର୍ଣ ବଦଳିବ। ଆସନ୍ତା ୨୦ ବର୍ଷର ଜନସଂଖ୍ୟ ବୃଦ୍ଧିକୁ ଆକଳନ କରି ୨୦୪୦ରେ ଫୁଲବାଣୀ ସହରର ରୁପରେଖ ପାଇଁ ମାଷ୍ଟର ପ୍ଲାନ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି ବୋଲି ଶନିବାର ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ଟାଉନ ପ୍ଲାନିଂ ବୈଠକରେ ସୂଚନା ଦିଆଯାଇଛି।
ଟାଉନ ପ୍ଲାନିଂ ମାଷ୍ଟର ପ୍ଲାନ ପ୍ରସ୍ତୁତି ଜିଲାରେ ୨୦୧୮ ମେ’ରୁ ଆରମ୍ଭ ହୋଇଛି। ଭୁବନେଶ୍ୱର ଟାଉନ ପ୍ଲାନିଂ ନିର୍ଦ୍ଦେଶାଳୟ ହରିୟାଣା ଗୁରୁଗାଓଁର ଫିଡ୍‌ବ୍ୟାକ ଇନ୍‌ଫ୍ରା ପ୍ରାଇଭେଟ ଲିମିଟେଡକୁ ଏହି ଯୋଜନା ପାଇଁ ଅନୁବନ୍ଧିତ କରିଛି। ପ୍ରଥମ ପଦକ୍ଷେପ ସ୍ବରୁପ ଫୁଲବାଣୀ ଟାଉନକୁ ସମ୍ପ୍ରସାରଣ କରାଯିବା ପାଇଁ ପଦକ୍ଷେପ ନିଆଯାଇଛି। ପୌର ପରିଷଦ ସମେତ ଆଖପାଖ ୧୪ଟି ଗ୍ରାମକୁ ନେଇ ମୋଟ ୨୪ଟି ରାଜସ୍ବ ଗ୍ରାମକୁ ସହରରେ ମିଶାଯିବ। ସହରର ଚାରି ପାଖରେ ନୂତନ ରିଂରୋଡ ନିର୍ମାଣ ହେବ। ଫୁଳବାଣୀରୁ-ଭୁବନେଶ୍ୱର ରାସ୍ତା ମୂଳଗୁଦାରୀଠାରେ ନୂତନ ଶିଳ୍ପାଞ୍ଚଳ, ସହର ଦେଇ ଯାଇଥିବା ସାଲୁଙ୍କୀ ନଦୀ ସମ୍ମୁଖ ସୌନ୍ଦର୍ଯ୍ୟକରଣ, ଏୟାରଷ୍ଟ୍ରିପକୁ ସମ୍ପ୍ରସାରଣ, ନୂତନ ବସ୍‌ ଟର୍ମିନାଲ ଆଦି କରାଯିବାକୁ ପ୍ରସ୍ତୁତି ଏକ ପ୍ରକାର ଶେଷ ହୋଇଛି। ୨୦୪୦ରେ ସହରରେ ଲୋକ ସଂଖ୍ୟା ପ୍ରାୟ ୯୭ ହଜାର ୫୫୫ ଜଣଙ୍କୁ ଆଖି ଆଗରେ ରଖି ସହରର ଭିତିଭୂମିର ବିକାଶ କରାଯିବା ସହ ସପିଂ ମଲ, ନର୍ସିଂ ହୋମ, ଶିକ୍ଷାନୁଷ୍ଠାନ ଆଦି ହେବାକୁ ଲକ୍ଷ୍ୟ ରଖାଯାଇଥିବା ଫୁଲବାଣୀ ସ୍ବତନ୍ତ୍ର ଯୋଜନା କର୍ତ୍ତୃପକ୍ଷ କାର୍ତ୍ତିକ ଚନ୍ଦ୍ର ମିଶ୍ର ପ୍ରକାଶ କରିଛନ୍ତି। ଆମର ଟାଉନ ପ୍ଲାନିଂ କାର୍ଯ୍ୟ ୨୦୧୮ ମେ’ରୁ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ୬ଟି ପର୍ଯ୍ୟାୟ କାର୍ଯ୍ୟ ଶେଷ ହେଲାଣି। ୭ମ ଅବା ଶେଷ ପର୍ଯ୍ୟାୟ କାର୍ଯ୍ୟ ବାକି ରହିଛି। ଖୁବ୍‌ଶୀଘ୍ର ଏହା ଶେଷ ହୋଇ ଗେଜେଟ ନୋଟିଫିକେସନ ବାହାରିବ। ସହର ସମ୍ପ୍ରସାରଣ ପାଇଁ ନିଆ ଯାଉଥବା ସ୍ଥାନ ସମ୍ପର୍କରେ ଯଦି କାହାର ଆପତ୍ତି ଅଭିଯୋଗ ଥିବ ସେମାନେ ନୋଟିଫିକେସନ ବାହାରି ସାରିଲା ପରେ ଅପିଲ କରି ପାରିବେ। ଏସବୁ କାର୍ଯ୍ୟ ଶେଷ ହେଲା ପରେ ମାଷ୍ଟର ପ୍ଲାନ କାର୍ଯ୍ୟ ଆରମ୍ଭ ହେବ ବୋଲି ଫିଡ୍‌ବ୍ୟାକ ଇନଫ୍ରା ପ୍ରାଇଭେଟ ଲିମିଟେଡର ବରିଷ୍ଠ ପରିଚାଳକ ସତ୍ୟଜିତ୍‌ ରଏ ଗୁପ୍ତା, ସହକାରୀ ପରିଚାଳକ ବିଜୟ ମହାନ୍ତି ପ୍ରକାଶ କରିଛନ୍ତି। ଅନୁଷ୍ଠିତ ବୈଠକରେ ଜିଲାପାଳ ଡା.ବୃନ୍ଦା ଡି, ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।