ଫିଲ୍ମ ‘ବରସାତ୍‌’ରୁ ରାତାରାତି ସୁପରଷ୍ଟାର ପାଲଟିଥିଲେ ଏହି ଅଭିନେତା

ମୁମ୍ବାଇ: ବଲିଉଡ୍‌ରେ ନିଜର ଭିନ୍ନ ହେୟାର ଷ୍ଟାଇଲ୍‌ରେ ଯୁବପିଢ଼ିଙ୍କୁ ନିଜ ପ୍ରତି ଆକର୍ଷିତ କରିଥିଲେ ୯୦ ଦଶକର ଅଭିନେତା ବବି ଦେଓଲ୍‌। ନିଜ ଲମ୍ବା ଓ କର୍ଲି ହେୟାର ସେହି ସମୟର ଯୁବପିଢ଼ିଙ୍କ ମଧ୍ୟରେ ଏକ କ୍ରେଜ୍‌ ସୃଷ୍ଟି କରିପାରିଥିଲେ ବବି। କ୍ୟାରିୟର ଭିତରେ ଖରାପ ସମୟ ଦେଇ ଗତି କରିଥିବା ବବି ସୋମବାର ନିଜର ୫୧ତମ ଜନ୍ମଦିନ ପାଳନ କରିଛନ୍ତି। ବବି ୧୯୬୭ ଜାନୁୟାରୀ ୨୭ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ୧୯୭୭ରେ ବବି ନିଜ ପିତା ଧର୍ମେନ୍ଦ୍ରଙ୍କ ସହ ଫିଲ୍ମ ‘ଧରମବୀର’ରେ ଶିଶୁ କଳାକାର ଭାବେ ନଜର ଆସିଥିଲେ। ଏହି ଫିଲ୍ମରେ ଦର୍ଶକ ତାଙ୍କ ଅଭିନୟକୁ ବେଶ୍‌ ପସନ୍ଦ କରଥିଲେ। ବବିଙ୍କ ଅଭିନୀତ ୯୦ ଦଶକର ସେହି ଗୀତଗୁଡିକୁ ଆଜି ବି ପ୍ରଶଂସକ ମନେ ରଖିଛନ୍ତି। ୧୯୯୫ରେ ଟ୍ବିଙ୍କିଲ ଖାନ୍ନାଙ୍କ ସହ ବବି ଦେଓଲଙ୍କ ଅଭିନୀତ ଫିଲ୍ମ ‘ବରସାତ୍‌’ ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେବା ସହ ରାତାରାତି ସୁପରଷ୍ଟାର କରିଦେଇଥିଲା। ଏହି ଫିଲ୍ମରେ ତାଙ୍କର ହେୟାର ଷ୍ଟାଇଲ୍‌ ବେଶ୍‌ ଚର୍ଚ୍ଚା ସାଉଁଟିଥିବା ବେଳେ ଯୁବପିଢ଼ି ଏହାକୁ କପି କରିବାକୁ ଲାଗିଥିଲେ। ଏହାପରେ ଫିଲ୍ମ ସୋଲଜର, ବାଦଲ, ଗୁପ୍ତ, ବିଚ୍ଛୁ, ଅଜନବୀ ଭଳି ବହୁ ସୁପରହିଟ୍‌ ଫିଲ୍ମ ବକ୍ସ ଅଫିସ୍‌ରେ ଧମାଲ୍‌ କରିଥିଲା। ୨୦୦୦ରେ ଆସିଥିବା ଫିଲ୍ମ ‘ବାଦଲ’ ପାଇଁ ତାଙ୍କୁ ‘ଫିଲ୍ମ ଫେୟାର ବେଷ୍ଟ ଡେବ୍ୟୁ’ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହାପରେ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇଥିଲେ ବବି। ଗୋଟିଏ ସମୟ ଥିଲା ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ ରାଜ୍‌ କରୁଥିଲେ। ହେଲେ ଏମିତି ଏକ ସମୟ ଆସିଲା ଯେତେବେଳେ ତାଙ୍କୁ ଏକ ଡିଜେ ଭାବେ କାମ କରିବାକୁ ପଡ଼ିଥିଲା। ଫିଲ୍ମଠାରୁ ବହୁ ସମୟ ପର୍ଯ୍ୟନ୍ତ ଦୂରେଇ ରହିବା ପରେ ୨୦୧୬ରେ ସେ ଡିଜେ ଭାବେ କ୍ୟାରିୟର କରିଥିଲେ। ତେବେ ହୋମ ପ୍ରୋଡକ୍ସନରେ ତିଆରି ହୋଇଥିବା ‘ୟମଲା ପଗଲା ଦିଓ୍ବାନା’ ତାଙ୍କର ଶେଷ ଅଭିନୀତ ଫିଲ୍ମ ରହିଥିଲା।

Share