ଫିଲ୍ମରୁ ଦୂରେଇଲେ ଅମିତାଭ୍‌ ବଚ୍ଚନ୍‌

ମୁମ୍ବାଇ: ଯିଏ ବଲିଉଡ୍‌ର ଫ୍ୟାନ୍‌, ସେ ବିଗ୍‌ ବି ଅମିତାଭ୍‌ ବଚ୍ଚନ୍‌ଙ୍କ ଫ୍ୟାନ୍‌ ହୋଇଥିବ ନିଶ୍ଚୟ। ଏଣୁ ଆମ ସମସ୍ତଙ୍କ ପାଇଁ ଏକ ଦୁଃଖ ଖବର। ଦଶନ୍ଧି ଦଶନ୍ଧି ଧରି ନିଜ ଅଭିନୟ ଆଉ ବ୍ୟକ୍ତିତ୍ୱ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଘର କରିଥିବା ଅମିତାଭ୍‌ ଏବେ ଆଉ ଫିଲ୍ମ କରିବେ ନାହିଁ। ଅସୁସ୍ଥତା କାରଣରୁ ସେ ଲମ୍ବା ବ୍ରେକ୍‌ରେ ରହି ବିଶ୍ରାମ କରିବେ। ବର୍ତ୍ତମାନ ସେ ହସ୍ପିଟାଲରେ ଚିକିତ୍ସାରତ। ଏନେଇ ନିକଟରେ ଖୋଦ୍‌ ଅମିତାଭ୍‌ ନିଜ ଅଫିସିଆଲ୍‌ ଟୁଇଟର ହ୍ୟାଣ୍ଡେଲ୍‌ରେ ଫଟୋ ଶେୟାର କରି ଫ୍ୟାନ୍‌ମାନଙ୍କୁ ଜଣାଇଥିଲେ। ଏହା ଜାଣିବା ପରେ ଫ୍ୟାନ୍‌ମାନେ ଅମିତାଭ୍‌ଙ୍କ ଦୀର୍ଘାୟୁ ସହ ଆଶୁ ଆରୋଗ୍ୟ କାମନା କରୁଛନ୍ତି। ଏକ ଜାତୀୟ ଗଣମାଧ୍ୟମ ଅନୁଯାୟୀ, ୧୯୭୮ ମସିହାର ଫିଲ୍ମ ‘ଡନ୍‌’ର ଶୁଟିଂ ସମୟରେ ଅମିତାଭ୍‌ଙ୍କୁ ଆଘାତ ଲାଗିଥିଲା। ସମୟକ୍ରମେ ବୟସାଧିକ୍ୟରେ ଏବେ ତାହା ଯନ୍ତ୍ରଣା ଦେଉଛି। ଏପରି କି ସେ ଠିକ୍‌ଭାବେ ଚଲାବୁଲା କରିବା ମଧ୍ୟ କଷ୍ଟକର ହୋଇପଡ଼ିଛି। ଅମିତାଭ୍‌ ଏବେ ଶାରୀରିକଭାବେ ଅତି ଦୁର୍ବଳ ହୋଇପଡ଼ିଛନ୍ତି। ତାଙ୍କୁ ପୂର୍ବାବସ୍ଥାକୁ ଫେରିବାକୁ ଯଥାସମ୍ଭବ ଆରାମ କରିବା ଆବଶ୍ୟକ। ଏଣୁ ଡାକ୍ତରଙ୍କ ପରାମର୍ଶରେ ସେ ଦୀର୍ଘ ସମୟ ପାଇଁ ଫିଲ୍ମରୁ ବ୍ରେକ୍‌ ନେଇ ଆରାମ୍‌ କରିବେ। ତେବେ ଅମିତାଭ୍‌ ନିଜ ଅପକମିଂ ଫିଲ୍ମ ‘ଝୁଣ୍ଡ୍‌’ର ଶୁଟିଂ କିନ୍ତୁ ପୂରା କରିବେ। ଫିଲ୍ମଟି ଡିସେମ୍ବରରେ ରିଲିଜ୍‌ ହେବ। ହେଲେ ଏହା ପରେ ସେ ଲମ୍ବା ବ୍ରେକ୍‌ ନେବେ। ଏପରି କି ପୂର୍ବରୁ ସାଇନ୍‌ କରିଥିବା ଫିଲ୍ମଗୁଡ଼ିକରେ ମଧ୍ୟ ସେ କାମ କରିବେନାହିଁ। ଅନ୍ୟପକ୍ଷରେ ପତ୍ନୀ ଜୟା ବଚ୍ଚନ୍‌, ପୁଅ ଅଭିଷେକ୍‌ ଓ ଝିଅ ଶ୍ୱେତା ମଧ୍ୟ ଅମିତାଭ୍‌ଙ୍କୁ ଡାକ୍ତରଙ୍କ ପରାମର୍ଶକୁ ଗମ୍ଭୀରତାର ସହ ପାଳନ କରିବାକୁ କହିଛନ୍ତି। ଏଣୁ ସବୁ ଦିଗକୁ ବିଚାର କରି ପରିଶ୍ରମୀ ବିଗ୍‌ ବି ଅମିତାଭ୍‌ ବଚ୍ଚନ୍‌ ଏବେ ଲମ୍ବା ବ୍ରେକ୍‌ ନେଇ ଶରୀରକୁ ସୁସ୍ଥ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯଦିଓ ବିଗ୍‌ ବି’ଙ୍କୁ ଦୀର୍ଘ ସମୟ ପାଇଁ ପରଦାରେ ଦେଖିବାକୁ ନ ମିଳୁ ହେଲେ ସେ ଯଥାଶୀଘ୍ର ସୁସ୍ଥ ହୋଇଯାନ୍ତୁ, ଏହା ହିଁ କାମନା।

Share