ଫିନଲାଣ୍ଡ୍‌ ତୃତୀୟ ଥର ପାଇଁ ସୁଖୀଦେଶ ତାଲିକାରେ ପ୍ରଥମ : ଭାରତରେ କମୁଛି ସୁଖୀଙ୍କ ସଂଖ୍ୟା

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧।୩: ଦୁନିଆର ସୁଖୀ ଦେଶ ତାଲିକା ପ୍ରକାଶ ପାଇଛି। ଏଥିରେ ୧୫୬ ଦେଶ ମଧ୍ୟରେ ଫିନ୍‌ଲାଣ୍ଡ୍‌ ଲଗାତାର ତୃତୀୟଥର ପାଇଁ ପ୍ରଥମ ସ୍ଥାନ ହାସଲ କରିଛି। ଜାତିସଂଘର ସଷ୍ଟେନବୁଲ୍‌ ଡେଭଲପ୍‌ମେଣ୍ଟ୍‌ ସୁଲ୍ୟସନ୍‌ ନେଟ୍‌ଓ୍ବାର୍କ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି। ୬ଟି ମାନକ ଆଧାରରେ ଏହି ତାଲିକା ପ୍ରସ୍ତୁତ କରାଯାଇଛି। ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଡେନମାର୍କ ରହିଛି। ତାଲିକାର ତୃତୀୟ ସ୍ଥାନରେ ସୁଇଜରଲାଣ୍ଡ ଅଛି। ଏଥିରେ ଭାରତ ୧୪୪ତମ ସ୍ଥାନରେ ରହିଛି। ଗତବର୍ଷଠାରୁ ଭାରତ ତାଲିକାରେ ୪ ସ୍ଥାନ ତଳକୁ ଖସି ଆସିଛି। ଗତବର୍ଷ ଏହାର ସ୍ଥାନ ୧୪୦ଥିଲା। ଭାରତରେ ସୁଖୀଲୋକଙ୍କ ସଂଖ୍ୟା ଧୀରେଧୀରେ କମୁଥିବା ରିପୋର୍ଟରେ ଦର୍ଶାଯାଇଛି। ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ ଏହା ହେଉଥିବା କୁହାଯାଉଛି। ତାଲିକାର ପ୍ରଥମ ୧୦ଟି ସୁଖୀ ଦେଶ ମଧ୍ୟରେ ୯ଟି ୟୁରୋପୀୟ ଦେଶ ରହିଥିବାବେଳେ ପ୍ରଥମ ୨୦ଟି ଦେଶ ମଧ୍ୟରେ ଏସିଆର କୌଣସି ଦେଶ ନାହିଁ। ତାଲିକାରେ ଚାଇନା ୯୪, ବାଂଲାଦେଶ ୧୦୭, ନେପାଳ ୯୨ ସ୍ଥାନରେ ରହିଛି। ତାଲିକାରେ ପାକିସ୍ତାନ ୬୬ ସ୍ଥାନରେ ରହିଛି। ଗତ ବର୍ଷ ଏହା ୬୭ସ୍ଥାନରେ ଥିଲା। ଏଠାକାର ଲୋକେ ଭାରତ ତୁଳନାରେ ଅଧିକ ସୁଖୀ ଥିବା ରିପୋର୍ଟରେ ପ୍ରକାଶ ପାଇଛି। ଭାରତ ଉପରେ ବାରମ୍ବାର ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା କରୁଥିବା ଯୁଦ୍ଧଖୋର୍‌ ପାକିସ୍ତାନ ଗତ ଥର ମଧ୍ୟ ତାଲିକାରେ ଆଗରେ ଥିଲା। ଆମେରିକା ଆର୍ଥିକ ଦୃଷ୍ଟିରୁ ବିକଶିତ ଥିଲେ ମଧ୍ୟ ଏଠାରେ ସୁଖୀଙ୍କ ସଂଖ୍ୟା କମ୍‌ ଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି। କମ୍‌ ସୁଖୀ ଦେଶ ମଧ୍ୟରେ ଆଫଗାନୀସ୍ତାନ, ଦକ୍ଷିଣ ସୁଦାନ ,ଜିମ୍ବାଓ୍ବେ, ରୁଓ୍ବାଣ୍ଡା ଆଦି ଦେଶ ରହିଛି।

Share