ଫିଟ୍‌ ରଖେ ଅଁଳା

ପ୍ରତିଦିନ ଅଁଳା ଖାଇବା ଏକ ଭଲ ଅଭ୍ୟାସ। କାରଣ ଏଥିରେ ଭରି ରହିଛି ଅନେକ ଔଷଧିୟ ଗୁଣ ଯାହାକି ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟାଠୁ ଦୂରେଇ ରଖିବାରେ ବେଶ୍‌ ସହାୟକ…

ଗ୍ୟାସ୍‌ କିମ୍ବା ଏସିଡିଟି ସମସ୍ୟା ଥିଲେ ଅଁଳା ଆପଣଙ୍କ ଲାଗି ବେଶ୍‌ ଉପକାରୀ। ପ୍ରତିଦିନ ଏକ ଗ୍ଲାସ୍‌ ପାଣି କିମ୍ବା କ୍ଷୀର ସହିତ ଏକ ଗ୍ରାମ୍‌ ଅଁଳା ପାଉଡର ଏବଂ ଅଳ୍ପ ଚିନି ମିଶାଇ ଖାଆନ୍ତୁ ଆରାମ ମିଳିବ।
ଶୀତଦିନେ ଅନେକଙ୍କୁ ଥଣ୍ଡା, କାଶ ଆଦି ଲାଗି ରହେ। ଯଦି ଆପଣ କିମ୍ବା ପରିବାରର କେହି ଏହି ସମସ୍ୟା ଦେଇ ଗତି କରୁଛନ୍ତି ତେବେ ପ୍ରତିଦିନ ଅଁଳା ଖାଆନ୍ତୁ ଉପକୃତ ହେବେ।
ଅଁଳା ରସରେ ମହୁ ମିଶାଇ ପିଇଲେ ମୋତିଆବିନ୍ଦୁ ସମସ୍ୟା ଦୂର ହୋଇଥାଏ।
ପ୍ରତିଦିନ ଅଁଳା ସେବନ ଦ୍ୱାରା ପାଚନତନ୍ତ୍ର ଏବଂ କିଡ୍‌ନୀ ସୁସ୍ଥ ରହିଥାଏ। ଫଳରେ ହଦହଜମୀ, କୋଷ୍ଟ କାଠିନ୍ୟ ଭଳି ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ।
କେବଳ ଏତିକି ନୁହେଁ ଅଁଳା ଖାଇବା ସହ କେଶରେ ଲଗାଇଲେ ମଧ୍ୟ କେଶ ଘନ ଏବଂ ମଜଭୁତ୍‌ ହୋଇଥାଏ। ଏହା କେଶ ପାଚିବା ସମସ୍ୟାଠାରୁ ବି ଦୂରେଇ ରଖେ।
ସକାଳୁ ଖାଲି ପେଟରେ ଅଁଳା ରସ ସହିତ ମହୁ ମିସାଇ ପିଇଲେ ମେଦହ୍ରାସ ହୋଇଥାଏ। ଏହା ମାଂସପେଶୀକୁ ମଜ୍‌ଭୁତ କରିବାରେ ବି ସାହାଯ୍ୟ କରିଥାଏ।
ଅଁଳାରେ କ୍ରୋମିୟମ୍‌ ରହିଛି ଯାହାକି ଠିକ୍‌ ଭାବେ ଇନ୍‌ସୁଲିନ୍‌ କ୍ଷରଣ ହେବାରେ ସାହାଯ୍ୟ କରିଥାଏ। ଫଳରେ ଏହା ବ୍ଳଡ୍‌ ସୁଗାର ସ୍ତର ମଧ୍ୟ ନିୟନ୍ତ୍ରଣରେ ରହିବାରେ ସାହାଯ୍ୟ କରୁଥିବାରୁ ଡାଇବେଟିସ୍‌ ହେବାର ଆଶଙ୍କା କମାଇଥାଏ।