ଫିକା ପଡିବ ଅଲିମ୍ପିକ୍‌ ମଶାଲ ରିଲେ: ଉତ୍ସବରେ ରହିବେନି ମଶାଲ, ବାହକ, ଜନସାଧାରଣ

ଟୋକିଓ,୨୪।୩(ଏପି): କୋଭିଡ-୧୯ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇଛି। ବିଶ୍ୱର ଶ୍ରେଷ୍ଠ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ ମଧ୍ୟ ଏଥିରେ ପ୍ରଭାବିତ ହେବାକୁ ଯାଉଛି। ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଅଲିମ୍ପିକ୍‌ ମଶାଲ ରିଲେ ଫିକା ପଡିବା ନିଶ୍ଚିତ ହୋଇଛି। ଜାପାନର ଉତ୍ତର ପୂର୍ବାଞ୍ଚଳରେ ଥିବା ଫୁକୁଶିମାରେ ଏହି ମଶାଲ ରିଲେର ଆୟୋଜନ ହେବ। ଏହି ରିଲେ ଉତ୍ସବରେ କୌଣସି ମଶାଲ ରହିବ ନାହିଁ। ସେହିପରି ମଶାଲ ବାହକ ଓ କୌଣସି ଜନସାଧାଣ ମଧ୍ୟ ସାମିଲ ରହିବେନି। କେବଳ ମାତ୍ର ଏକ ଛୋଟିଆ ଉତ୍ସବରେ ଏହା ଆୟୋଜନ ହେବ।
ତେବେ ଏଥିରେ ଅଲିମ୍ପିକ ଜ୍ୟୋତି ରହିବ। ଏକ ଲଣ୍ଠନ ମାଧ୍ୟମରେ ଏହି ଜ୍ୟୋତି ଗ୍ରୀସ୍‌ରୁ ମାର୍ଚ୍ଚ ୧୨ ତାରିଖରୁ ଆସି ପହଞ୍ଚିଥିଲା। କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଏକ ଗାଡିରେ ଅଣାଯାଇଥିଲା। ଏହି ଉତ୍ସବ ସମ୍ପୂର୍ଣ୍ଣ ଭାବେ ଜନଶୁନ୍ୟ ପରିବେଶ ଆୟୋଜିତ ହେବ। ଅଲିମ୍ପିକ୍ସ ଆୟୋଜକ କମିଟି ମୁଖ୍ୟ କାର୍ଯ୍ୟନିର୍ବାହୀ ତୋଶିରୋ ମୁଟୋ ଏ ନେଇ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଛନ୍ତି।
ଜୁଲାଇ ୨୪ ତାରିଖରୁ ଆରମ୍ଭ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସ ଅନିଶ୍ଚିତତା ଆଡକୁ ଚାଲିଯାଇଛି। ଆସନ୍ତା ୪ ସପ୍ତାହ ମଧ୍ୟରେ ଅଲିମ୍ପିକ୍ସ ଆୟୋଜନ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ଅଧ୍ୟକ୍ଷ ଥୋମାସ ବାକ୍‌ କହିବା ପରେ ଏହି ମେଗାଇଭେଣ୍ଟର ଆୟୋଜନ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଅଲିମ୍ପିକ୍ସକୁ ସ୍ଥଗିତ ରଖିବା ଏବେ ଅପରିହାର୍ଯ୍ୟ ହୋଇପଡିଛି ବୋଲି ସାରା ବିଶ୍ୱର କ୍ରୀଡ଼ା ଜଗତ ହୃଦୟଙ୍ଗମ କରିଛି। ତେବେ ଅଲିମ୍ପକ୍ସ ବାତିଲ ସମ୍ଭାବନାକୁ ବାକ୍‌ ପ୍ରତ୍ୟାଖାନ କରିଛନ୍ତି।
ଉଲ୍ଲେଖଥାଉ କି, ସୋମବାର କାନାଡ଼ା ଓ ଅଷ୍ଟ୍ରେଲିଆନ ଅଲିମ୍ପିକ କମିଟି ଅଲିମ୍ପିକ୍ସକୁ ସେମାନଙ୍କ ଆଥଲେଟଙ୍କୁ ନ ପଠାଇବାକୁ ଘୋଷଣା କରିଥିଲା। ଯଦି ପୂର୍ବନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଜୁଲାଇରେ ଅଲିମ୍ପିକ୍‌ ଆରମ୍ଭ ହୁଏ ତେବେ ଏହି ଦୁଇ ଦେଶ ଓହରିଯିବେ ବୋଲି ପରୋକ୍ଷରେ ଘୋଷଣା କରିଛନ୍ତି। ଏବେ ଅନ୍ୟ ଦେଶ ଓ ଆସୋସିଏଶନଗୁଡିକ ଅଷ୍ଟ୍ରେଲିଆ ଏବଂ କାନାଡ଼ା ପଥ ଅନୁସରଣ କଲେ ଆଇଓସି ଉପରେ ଚାପ ବୃଦ୍ଧି ପାଇବ।

Share