ଫିକା ପଡ଼ିଯାଉଛି ପର୍ବପର୍ବାଣି

ଡ. ଅନ୍ତର୍ଜିତା ନାୟକ

ବହୁ ଧର୍ମ ଏବଂ ବିବିଧ ସଂସ୍କୃତିର ଦେଶ ଭାରତରେ ବର୍ଷସାରା ଅଗଣିତ ପର୍ବ ପାଳନ କରାଯାଏ। ଫସଲ ଅମଳ ହେଉ, ବସନ୍ତର ଆଗମନ ହେଉ କିମ୍ବା ମନ୍ଦ ଉପରେ ଭଲର ବିଜୟ ହେଉ, ସବୁ ପର୍ବପର୍ବାଣି ପାଳନ ପଛରେ ରହିଛି ସମୃଦ୍ଧ ଐତିହ୍ୟ ଓ ପରମ୍ପରାର ପରିଚୟ। ଭାରତୀୟ ପର୍ବପର୍ବାଣିର ପାଳନରେ ଥାଏ ବିସ୍ତୃତ ସଜବାଜ, ଜୀବନ୍ତ ସଙ୍ଗୀତ, ରଙ୍ଗିନ ପୋଷାକ, ସୁସ୍ବାଦୁ ଖାଦ୍ୟ, ସମୃଦ୍ଧ ଐତିହ୍ୟ ଓ ପରମ୍ପରାର ଏକ ଅଦ୍ଭୁତ ମିଶ୍ରଣ। ଅଧିକାଂଶ ପର୍ବପର୍ବାଣି ପଛରେ ରହିଛି କିଛି ପୌରାଣିକ, ଧାର୍ମିକ ବା ଆଧ୍ୟାତ୍ମିକ ସଂଯୋଗ। ପର୍ବପର୍ବାଣିର ସମଗ୍ର ବିଶ୍ୱ ପ୍ରଶଂସକ, ହେଲେ କାହିଁକି କେଜାଣି ଆଜିକା ସମୟର ପର୍ବପର୍ବାଣି ପାଳନକୁ ଦେଖିଲେ ଲାଗୁଛି ସତେଯେମିତି ଫିକା ପଡ଼ିଯାଉଛି କି ପର୍ବର ରଙ୍ଗ! ଆକର୍ଷଣ ଓ ପ୍ରାସଙ୍ଗିକ ହରାଇଛନ୍ତି କି ଆମ ପର୍ବପର୍ବାଣି? ଉଦାହରଣ ସ୍ବରୂପ- ଓଡ଼ିଶାରେ ରହି, ଓଡ଼ିଆଙ୍କ ରଜପର୍ବକୁ ଯଦି ଦେଖିବା ତେବେ ଅତି ଲୋକଦେଖାଣିଆ ଦିଶୁନାହିଁ କି ଆମ ରଜପର୍ବ? ରଜ ଆଜି ଆମ ଓଡ଼ିଆ ସଂସ୍କୃତି, ପରମ୍ପରାର ପ୍ରତୀକ କମ୍‌ ଓ ବେପାର ଭଳି ଅଧିକ ଲାଗୁଛି। ଆଜିକା ସମୟର ଲୋକଦେଖାଣିଆ ରଜ ସଜବାଜ ବା ରଜ ମଉଜର ଯାକଜମକ ଭିତରେ ଆମେ ରଜ ପର୍ବର ଅନ୍ତର୍ନିହିତ ଉଦ୍ଦେଶ୍ୟକୁ ଭୁଲି ଯାଉଛନ୍ତି। ସଂସ୍କୃତ ଶବ୍ଦ ‘ରଜଃସ୍ବଳା’ରୁ ଆସିଥିବା ‘ରଜ’ ଶବ୍ଦର ଅର୍ଥ ହେଉଛି ଋତୁସ୍ରାବ। ଗୋଟିଏ ପାଖରେ ସମାଜ ଯେତେବେଳେ ଋତୁସ୍ରାବକୁ ଅଭିଶାପ, ଅଶୁଦ୍ଧ ଓ ଅନ୍ଧବିଶ୍ୱାସ ସହିତ ଯୋଡ଼େ, ସେତେବେଳେ ଆମ ଓଡ଼ିଶାର ଏଇ ପର୍ବ ନୂଆ ଏକ ସୃଷ୍ଟିର ଗାଥା ଗାଏ। ସମଗ୍ର ବିଶ୍ୱ ଯେତେବେଳେ ନାରୀଙ୍କୁ ସେମାନଙ୍କ ଉଚିତ ଅଧିକାର ଓ ସମାଜରେ ଏକ ବୃହତ୍‌ ସ୍ଥାନ ଦେବାରେ ଆଜି ବି ସଂଘର୍ଷରତ, ସେତେବେଳେ ଓଡ଼ିଆମାନେ ଗର୍ବରେ ପାଳନ କରିଆସୁଛୁ ରଜ, ଯାହା ନାରୀଙ୍କ ଅନନ୍ୟତା ଓ ଗୁରୁତ୍ୱକୁ ପରିପ୍ରକାଶ କରେ। ଏହା ଓଡ଼ିଆ ଅସ୍ମିତାର ପରିଚୟ ନୁହେଁ ତ ଆଉ କ’ଣ? ହେଲେ ଆମେ ଆମ ଅସ୍ମିତାକୁ ବଜାୟ ରଖିବାକୁ କ’ଣ କରୁଛନ୍ତି? ଯଦି ରଜରେ ଲୁଗାପଟା, ସୁନାଗହଣା, ଖାଦ୍ୟପେୟ, ଗାଡ଼ିଘୋଡ଼ା, ଘରସଜ୍ଜା ସାମଗ୍ରୀ ବା ଅନ୍ୟାନ୍ୟ ଜିନିଷ ଉପରେ ରିହାତି ମିଳୁଛି, ତେବେ ରଜ ପର୍ବର ବୈଶିଷ୍ଟ୍ୟମୂଳକ ଭାବଧାରା ସହ ଜଡ଼ିତ ଋତୁସ୍ରାବରେ ବ୍ୟବହୃତ ସାନିଟାରି ପ୍ୟାଡ୍‌ ମାଗଣାରେ ବା ରିହାତି ଦରରେ ଦିଆଯିବା ଉଚିତ ନୁହେଁ କି? ଏଥିସହ ନାରୀମାନଙ୍କ ସ୍ବାସ୍ଥ୍ୟ ଓ ସୁସ୍ଥତା ଲାଗି ଉଦ୍ଦିଷ୍ଟ ଋତୁସ୍ରାବ ଜନିତ ସଚେତନତାମୂଳକ କାର୍ଯ୍ୟକ୍ରମ ରଜ ଉପଲକ୍ଷେ ଆୟୋଜନ କରାଯିବା ଉଚିତ ନୁହେଁ କି? ଏହାବାଦ୍‌ ଯଦି ସବୁଠି ରଜ ରିହାତି ଲାଗୁହେଉଛି, ତେବେ ରଜ ତିନିଦିନ ଭିତରେ ଗର୍ଭବତୀ ମହିଳାଙ୍କ ପ୍ରସବ ଓଡ଼ିଶାର ସମସ୍ତ ଚିକିତ୍ସାଳୟରେ ରିହାତି ଦରରେ ବା ସମ୍ପୂର୍ଣ୍ଣ ମାଗଣାରେ ହେବାକଥା ନୁହେଁ କି? ସେହିପରି ଅକ୍ଷୟ ତୃତୀୟାରେ ସୁନା-ରୁପା ଅଳଙ୍କାର ଉପରେ କେତେ ଯେ ଅଫର୍‌ ଚାଲେ, ତାହାର ସୀମା ନାହିଁ। ହେଲେ ଅଖି ମୁଠାଏ ବୁଣି ଯେଉଁ କୃଷକ ବର୍ଷସାରା ଆମ ପେଟକୁ ଦାନା ଯୋଗାଏ, ତାହା ଲାଗି ଅକ୍ଷୟ ତୃତୀୟାରେ କାହିଁ କିଛି ତ ରିହାତି କି ଅଫର୍‌ ନାହିଁ! ପର୍ବକୁ ନେଇ କେମିତି ବେପାର କରିହେବ, ସଂସ୍କୃତି ଓ ପରମ୍ପରାକୁ ଆଧାରକରି କାହାଠାରୁ କେମିତି ଧନ ଉପାର୍ଜନ କରିହେବ, ସେଥିରେ ଆଜିକାଲି ଆମେ ସମସ୍ତେ ତତ୍ପର। ସମାଜ ଓ ସୃଷ୍ଟି ଲାଗି ଆମ ପର୍ବପର୍ବାଣି କେତେ ଗୁରୁତ୍ୱ, ତାହାର ସଂଜ୍ଞାକୁ ବୁଝିବା ନିହାତି ଦରକାର।
ଯଦି ଆମେ ଓଡ଼ିଶା ବା ଓଡ଼ିଆଙ୍କ ପର୍ବରୁ ବାହାରି ସମଗ୍ର ଭାରତରେ ପାଳନ କରାଯାଉଥିବା ପର୍ବପର୍ବାଣି ଉପରେ ନଜର ଦେବା, ତେବେ ପ୍ରାୟତଃ ସବୁଠି ସମାନ ଅବସ୍ଥା। ପର୍ବପର୍ବାଣି ଆଉ ଆମ ଗୌରବର ଗାଥା ଗାଉନାହାନ୍ତି, ସମୃଦ୍ଧିର ପରିଚୟ ଦେଉନାହାନ୍ତି। ଏକ ବ୍ୟସ୍ତବହୁଳ ଜୀବନଶୈଳୀ, ବ୍ୟାପକ ବ୍ୟବସାୟୀକରଣ, ଜଗତୀକରଣରେ ବୃଦ୍ଧି ସାମାଜିକ ଗଣମାଧ୍ୟମର ଆବିର୍ଭାବ ଏବଂ ଆମ ମାନସିକତାର ପରିବର୍ତ୍ତନ ଆମ ପର୍ବପର୍ବାଣିର ମହନୀୟତା ଓ ମାଧୁର୍ଯ୍ୟକୁ ଗ୍ରାସ କରିବାରେ ଲାଗିଛି। ଆଜିକାଲି, ବିଶେଷତଃ ପର୍ବପର୍ବାଣି ମାନେ କର୍ମବହୁଳ ଜୀବନରୁ ଗୋଟିଏ ଛୁଟି ଦିନ ଘରେ ରହି ଆରାମ କରିବାର ଏକ ସୁବର୍ଣ୍ଣ ସୁଯୋଗ, ନ ହେଲେ କିଛି ବଳକା କାମ ସାରିବାର ଏକ ମଉକା। ଆଉ ଯଦି ଲମ୍ବାଛୁଟି ପଡ଼ିଗଲା ତେବେ କୌଣସି ଦୂର ସ୍ଥାନକୁ ବୁଲିଯିବାର ସୁଯୋଗ। ଆର୍ଥିକ ସଶକ୍ତୀକରଣରେ ମଳିନ ପଡ଼ିଯାଉଛି ଆମ ପର୍ବପର୍ବାଣିର ଚମକ। ଆଜିକାଲି ନୂଆ ପୋଷାକ, ବିଶିଷ୍ଟ ଖାଦ୍ୟ, ଆମୋଦ ପ୍ରମୋଦ ଆଉ ପର୍ବପର୍ବାଣି ଉପରେ ନିର୍ଭର ନାହାନ୍ତି। ଅନ୍‌ଲାଇନ୍‌ ଶପିଂର ବିସ୍ତାର ସହିତ ପରିବାର ସାଙ୍ଗରେ ପର୍ବ ଲାଗି କିଣାକିଣି କରିବାକୁ ସାଙ୍ଗହୋଇ ବଜାରକୁ ଯିବା ଦରକାର ପଡୁନାହିଁ। ପରିବେଶ ଚିନ୍ତା ମଧ୍ୟ ଉତ୍ସବକୁ କମ୍‌ ରୋମାଞ୍ଚକର କରିଦେଉଛି। ହୋଲିଖେଳରେ ଅଙ୍କୁଶ ଲାଗିଯାଇଛି। ଦୀପାବଳିରେ ବାଣ ଫୁଟିଲେ ବାୟୁ ପ୍ରଦୂଷଣ ସହ ଧ୍ୱନି ପ୍ରଦୂଷଣ ମଧ୍ୟ ହେଉଛି। ଆଜିର ଯୁଗରେ ଦୁର୍ଗାପୂଜା ଅତୀତଠାରୁ ବହୁତ ଭିନ୍ନ। ଆଧୁନିକ ଯୁଗର ଦୁର୍ଗାପୂଜାର ପ୍ରାଥମିକ ଧ୍ୟାନ ହେଉଛି ଦୁର୍ଗା ଦେବୀଙ୍କର ଅତିଶୟ ମୂର୍ତ୍ତି ଓ ବିପୁଳ ପରିମାଣର ଅର୍ଥ ବ୍ୟୟରେ ସଜ୍ଜିତ ଦେବୀ ମଣ୍ଡପ। ଯେଉଁ ମଣ୍ଡପ ଯେତେ ବଡ଼ ବା ଯେତେ ସୁନ୍ଦର, ସେଇଠି ଭିଡ଼ ଅଧିକ ଓ ବେପାର ଭଲ। ହେଲେ ସେଇ ଆଧ୍ୟାତ୍ମିକ ନିବିଡ଼ ସମ୍ପର୍କକୁ ପଚାରେ କିଏ! ଆଜିକାଲି ସାବିତ୍ରୀ ବ୍ରତ ବା କର୍‌ୱାଚୌଥ ପାଳନ କରିବାର ଉଦ୍ଦେଶ୍ୟ ମଧ୍ୟ ନାରୀବାଦ୍‌ର ଆହ୍ବାନ ପଛରେ ମଳିନ ପଡ଼ିଯାଉଛି। ଆମେ ଆଧୁନିକ, ନାରୀବାଦୀ, ପରିବେଶବିତ୍‌ ଏବଂ ପ୍ରଗତିଶୀଳ ଭାବରେ ନିଜକୁ ଦେଖାଯିବାକୁ ଚାହୁଁଛୁ, ଯାହାଫଳରେ ପାଶ୍ଚାତ୍ୟ ଜଗତରେ ନିଜକୁ ସମକକ୍ଷ କରିବାକୁ ତତ୍ପର, ଯେଉଁଥିରେ ବଳିପଡୁଛି ଆମ ପରମ୍ପରା ଏବଂ ସଂସ୍କୃତି।
ପାରମ୍ପରିକ ପର୍ବ ଏବଂ ଉତ୍ସବଗୁଡ଼ିକ ଯେପରି ବିଲୁପ୍ତ ନ ହୋଇଯାନ୍ତୁ, ତାହାକୁ ନିଶ୍ଚିତ କରିବାକୁ କିଛି ପଦକ୍ଷେପ ନେବା ଉଚିତ, ଯେପରି ଏହି ପର୍ବପର୍ବାଣିଗୁଡ଼ିକର ସାଂସ୍କୃତିକ, ଆଧ୍ୟାତ୍ମିକ, ପୌରାଣିକ ତଥା ଐତିହାସିକ ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରାଇବା ଓ ତା’ସହ ଜଡ଼ିତ ଶିକ୍ଷାକୁ ପ୍ରୋତ୍ସାହନ ଦେବା, ଯାହା ସାଂସ୍କୃତିକ ପର୍ବ, ପ୍ରଦର୍ଶନୀ ଏବଂ ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମ ମାଧ୍ୟମରେ ହୋଇପାରିବ। ଅନ୍ୟ ଏକ ପଦକ୍ଷେପ ହେଉଛି, ପାରମ୍ପରିକ ଉତ୍ସବର ଯୋଜନା ଏବଂ କାର୍ଯ୍ୟକାରିତାରେ ଯୁବପିଢ଼ିଙ୍କୁ ଜଡ଼ିତ କରାଇବା। ଏହା ଆମ ସାଂସ୍କୃତିକ ପରମ୍ପରାକୁ ଯୁବପିଢ଼ିଙ୍କ ମଧ୍ୟରେ ସଂରକ୍ଷିତ କରି ରଖିବ। ପାରମ୍ପରିକ ପର୍ବ ଏବଂ ଉତ୍ସବଗୁଡ଼ିକ ମଳିନ ପଡ଼ିଯିବା ଏକ ଜଟିଳ ପ୍ରସଙ୍ଗ, ଯାହା ପାଇଁ ବହୁମୁଖୀ ଆଭିମୁଖ୍ୟ ଲୋଡ଼ା। ଆମ ମୂଳକୁ ଫେରିଯିବା ଓ ପର୍ବଗୁଡ଼ିକର ମୂଳ ମୂଲ୍ୟବୋଧକୁ ସଂରକ୍ଷଣ କରିବା ହେଉଛି ସମୟର ଆହ୍ବାନ।
ମୋ: ୬୩୭୦୯୦୫୯୪୭


Enter your email to get our daily news in your inbox.

All Right Reserved By Dharitri.Com

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି

ଖଜୁରିରେ ଫାଇବର୍‌, କ୍ୟାଲ୍‌ସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ଆଦି ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା, କିନ୍ତୁ ମୁଖ୍ୟତଃ ଏହାକୁ ସକାଳ ଜଳଖିଆ…

ଏଇ ଭାରତରେ

ସଡ଼କ ପଥରେ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ। ଯେ…

ସଂସ୍କୃତିକୁ ପ୍ରୋତ୍ସାହନ

ଓଡ଼ିଆ ଘରର ଗାଥା-ଗୌରବ, ଚାଲିଚଳଣି, ଖାଦ୍ୟ ପାନୀୟ, ପୋଷାକ ପରିଧାନ, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଏପ୍ରିଲ ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ…

ଯୁଦ୍ଧ ଓ ଶ୍ୱାସରୁଦ୍ଧ ସମ୍ବେଦନଶୀଳତା

ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା…

ଇରାନୀ ନେତାର ନାହିଁ ପ୍ରୟୋଜନ

ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦଠାରେ ଆମେରିକା ଓ ଇରାନ୍‌ ମଧ୍ୟରେ ୨୧ ଘଣ୍ଟା ଧରି ଚାଲିଥିବା ଶାନ୍ତି ଆଲୋଚନା ଶେଷରେ ବିଫଳ ହୋଇଛି। ସ୍ବଦେଶ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଆମେରିକା…

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri