Categories: ଜାତୀୟ

ଫାଶୀ ପୂର୍ବରୁ ଜେଲ୍‌ ଅଧିକାରୀଙ୍କୁ କ’ଣ କହିଥିଲେ ମୁକେଶ, ବିନୟ

ନୂଆଦିଲ୍ଲୀ,୨୦।୩: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ୪ଦୋଷୀଙ୍କୁ ଶୁକ୍ରବାର ଭୋର ସାଢ଼େ ୫ଟାରେ ତିହାର ଜେଲ୍‌ରେ ଫାଶୀ ଦିଆଯାଇଛି। ବହୁ ପ୍ରତିକ୍ଷାର ଅନ୍ତ ଘଟି ଶେଷରେ ଦୀର୍ଘ ୭ ବର୍ଷ ପରେ ନିର୍ଭୟା ଓ ତାଙ୍କ ପରିବାରଙ୍କୁ ନ୍ୟାୟ ମିଳିଛି। ତେବେ ଜେଲ୍‌ର ନିୟମ ଅନୁସାରେ ଫାଶୀ ଦିଆଯିବା ପୂର୍ବରୁ ଦୋଷୀଙ୍କୁ ସେମାନଙ୍କ ଶେଷ ଇଛା ବିଷୟରେ ପଚାରାଯାଇଥାଏ। ଏଥିସହ ସେମାନଙ୍କର ସମ୍ପତ୍ତି କାହାକୁ ଦାନ କରିବେ କିମ୍ବା ଅଙ୍ଗଦାନ ନେଇ ମଧ୍ୟ ଜେଲ୍‌ ଅଧିକାରୀ ଦୋଷୀଙ୍କୁ ପଚାରିଥାନ୍ତି। ଏହି ନିୟମ ଅନୁସାରେ ନିର୍ଭୟାଙ୍କ ୪ ଦୋଷୀ, ଅକ୍ଷୟ ଠାକୁର, ବିନୟ ଶର୍ମା, ପଓ୍ବନ ଗୁପ୍ତା ଓ ମୁକେଶ କୁମାର ସିଂହଙ୍କୁ ମଧ୍ୟ ଜେଲ୍‌ କର୍ତ୍ତୃପକ୍ଷ ଭୋର ୪.୪୫ରେ ପଚାରିଥିଲେ। ହେଲେ ଉକ୍ତ ୪ ଦୋଷୀ ନିଜର ଶେଷ ଇଛା ପ୍ରକାଶ କରି ନ ଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣ ଦୋଷୀ ସେମାନଙ୍କର କିଛି ଜିନିଷକୁ ସମ୍ଭାଳିବା ପାଇଁ ଜେଲ୍‌ ଅଧିକାରୀଙ୍କୁ କହିଥିବା ଜଣାପଡ଼ିଛି। ସୂଚନା ମୁତାବକ ଦୋଷୀ ମୁକେଶ ନିଜର ଅଙ୍ଗଦାନ କରିବା ପାଇଁ ଚାହୁଁଛନ୍ତି ବୋଲି ଜେଲ ଅଧିକାରୀଙ୍କୁ ଏକ ଲିଖିତ ଚିଠି ଦେଇଥିଲେ। ସେହିପରି ପାଶୀଖୁଣ୍ଟରେ ଝୁଲିବା ପୂର୍ବରୁ ବିନୟ ମଧ୍ୟ ଜେଲ୍‌ ସୁପରିଟେଣ୍ଡେଣ୍ଟଙ୍କୁ ନିଜେ ତିଆରି କରିଥିବା ପେଟିଂ ଓ ହନୁମାନ ଚାଳିଶାକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବାକୁ କହିଥିଲେ। ବିନୟ ଜେଲରେ ଥିବା ବେଳେ ପ୍ରାୟ୧୧ଟି ପେଟିଂ କରିଥିଲେ। ସେଥି ମଧ୍ୟରୁ କିଛି ପେଟିଂ ତିହାର ହାଟରେ ବିକ୍ରି ହୋଇଥିବା ନେଇ କୋର୍ଟରେ ତାଙ୍କର ଓକିଲ କହିଥିଲେ। କିନ୍ତୁ ଦୋଷୀ ପଓ୍ବନ ଓ ଅକ୍ଷୟ କିଛି କହି ନ ଥିଲେ ବୋଲି ଜେଲ୍‌ ପ୍ରଶାସନ କହିଛନ୍ତି। ତେବେ ଜେଲ୍‌ରେ ଆୟ କରିଥିବା ୪ଦୋଷୀଙ୍କ ଟଙ୍କା, କପଡ଼ା ଓ ଅନ୍ୟ ଜିନିଷକୁ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ତିହାର ଜେଲ୍‌ର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Share