Categories: ଜାତୀୟ

ଫାଶୀ ଦିଆଯିବା ପୂର୍ବରୁ ଠିକ୍‌ ଭାବେ ଖାଦ୍ୟ ଗ୍ରହଣ କରୁ ନାହାନ୍ତି ନିର୍ଭୟା ମାମଲାର ଦୋଷୀ

ନୂଆଦିଲ୍ଲୀ,୧୦।୧୨: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କୁ ଏବେ ଫାଶୀ ଦିଆଯିବାର ସମୟ ପାଖେଇ ଆସୁଥିବା ଜଣାପଡିଛି। ଆସନ୍ତା ୧୬ରେ ଏମାନଙ୍କୁ ଫାଶୀ ଦିଆଯାଇପାରେ ବୋଲି ଅନୁମାନ କରାଯାଉଛି। ମଙ୍ଗଳବାର ମଣ୍ଡୋଲି ଜେଲରେ ଥିବା ଜଣେ ଦୋଷୀଙ୍କୁ ତିହାର ଜେଲକୁ ସ୍ଥାନାନ୍ତର କରାଯିବା ପରେ ଏବେ ଏମାନଙ୍କ ମନରେ ଭୟ ସୃଷ୍ଟି ହୋଇଛି। ୪ଜଣ ଦୋଷୀ ଗୋଟିଏ ଜେଲରେ ଥିବା ବେଳେ ଏମାନେ ଠିକ୍‌ ଭାବେ ଶୋଉ ନ ଥିବା ଓ ଖାଉ ନ ଥିବା ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି। ଏ ବିଷୟରେ ଯଦିଓ ଏପର୍ଯ୍ୟନ୍ତ ନିଷ୍ପତ୍ତି ଆସିନାହିଁ କିନ୍ତୁ ଯେ କୌଣସି ମୁହୂର୍ତ୍ତରେ ଏହା ଆସିପାରେ ବୋଲି ଚର୍ଚ୍ଚା ହେଉଛି। ଏହାକୁ ନେଇ ଏମାନଙ୍କର ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଥିବା ଓ ଏମାନଙ୍କ ଖାଦ୍ୟରେ ସାମାନ୍ୟ ପରିବର୍ତ୍ତନ କରାଯାଇ ଥିବାରୁ ଏସବୁ ଦେଖି ସମସ୍ତ ୪ ଦୋଷୀ ଭୟଭୀତ ହୋଇ ଯାଇଥିବା କୁହାଯାଉଛି। ଅନ୍ୟପଟେ ଏମାନଙ୍କ ବ୍ୟବହାରରେ ସମାନ୍ୟ ପରିବର୍ତ୍ତନ ଦେଖିଲେ ତୁରନ୍ତ ଡାକ୍ତର ପହଞ୍ଚିବା, ସିସିଟିଭି ନଜରରେ ରହିବା, ବିଳମ୍ବିତ ସମୟ ପର୍ଯ୍ୟନ୍ତ ସୁରକ୍ଷା କଡାକଡି କରାଯିବା ଏସବୁ ଯେମିତି ସେମାନଙ୍କ ମନରେ ପ୍ରଭାବ ପକାଉଛି ବୋଲି କୁହାଯାଉଛି। ଅନ୍ୟପଟେ ଏହି ଦୋଷୀମାନଙ୍କୁ ଫାଶୀ ଦିଆଯିବା ଲାଗି ସମସ୍ତ ପ୍ରସ୍ତୁତି ସହ ଟ୍ରାଏଲ ସରିଥିବା କୁହାଯାଉଛି। ତିହାରର ୩ ନମ୍ବର ଜେଲରେ ଏମାନଙ୍କୁ ଫାଶୀ ଦିଆଯାଇପାରେ ବୋଲି ଶୁଣିବାକୁ ମିଳିଛି।

Share