ଫାର୍ମାସିଷ୍ଟ ନିଯୁକ୍ତିକୁ ବିରୋଧ : ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଟାୟାର ଜାଳି ପ୍ରତିବାଦ

ନାଉଗାଁ,୧୧।୭(ସ୍ବ.ପ୍ର.) : ଜଗତସିଂହପୁର ଜିଲା ନାଉଗାଁ ବ୍ଲକ ଅନ୍ତର୍ଗତ ଡେରିକି ପଞ୍ଚାୟତର ଡେରିକି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ହେବ ସ୍ଥାୟୀ ଡାକ୍ତର ନ ଥିବାରୁ ସ୍ବାସ୍ଥ୍ୟସେବାରେ ସମସ୍ୟା ସୃଷ୍ଟି ହେଉଥିଲା। ଏପରିକି ନିଯୁକ୍ତ ଫାର୍ମାସିଷ୍ଟଙ୍କ ଦ୍ୱାରା ସ୍ବାସ୍ଥ୍ୟକେନ୍ଦ୍ରରେ ସେବା ପ୍ରଦାନ କରାଯାଉଥିଲା। କିନ୍ତୁ ଜଗତସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଦୈନିକ ଫାର୍ମାସିଷ୍ଟଙ୍କୁ ଡେରିକି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ବଦଳି କରାଯାଇଛି। ତେବେ ସଂପୃକ୍ତ ଫାର୍ମାସିଷ୍ଟଙ୍କୁ ୭ ଦିନ ମଧ୍ୟରେ ଏହି ସ୍ବାସ୍ଥ୍ୟକେନ୍ଦ୍ରରୁ ବଦଳି କରା ନ ଗଲେ ଆମରଣ ଅନଶନ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। ଫାର୍ମାସିଷ୍ଟ ନିଯୁକ୍ତିକୁ ପ୍ରତିବାଦ କରି ଗୁରୁବାର ସକାଳେ ସ୍ଥାନୀୟ ଜନସାଧାରଣ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି। ଏ ସଂକ୍ରାନ୍ତରେ ମଙ୍ଗୁଳି ଚରଣ ବେହେରା, ମନୋଜ କୁମାର ସ୍ବାଇଁ, ମହାଦେବ ବିଶ୍ୱାଳ, ଭରତ ଜେନା ପ୍ରମୁଖ ଏକ ଲିଖିତ ଅଭିଯୋଗ ଜିଲାପାଳଙ୍କୁ ପ୍ରଦାନ କରିଥିବା ପ୍ରକାଶ।