Categories: ଜାତୀୟ

ଫାରୁକ ଅବଦୁଲାଙ୍କ ପିତାଙ୍କୁ ୧୧ ବର୍ଷ ଜେଲରେ ରଖିଥିଲା କଂଗ୍ରେସ: ଶାହ

ନୂଆଦିଲ୍ଲୀ,୧୦।୧୨: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ଲୋକ ସଭାରେ ଜମ୍ମୁ-କଶ୍ମୀରରେ ବନ୍ଦୀଥିବା ନେତାଙ୍କୁ ନେଇ ନିଜର ମତ ରଖିଛନ୍ତି। ସେ କହିଛନ୍ତି ଜମ୍ମୁ-କଶ୍ମୀରରେ ଗୃହବନ୍ଦୀ ଥିବା ନେତାଙ୍କୁ ମୁକୁଳାଇବା କାମ ସେଠାକାର ପ୍ରଶାସନର। ଏହି ମାମଲାରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିବେ ନାହିଁ। ତେବେ ଗୃହରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀଙ୍କ ପ୍ରଶ୍ନର ଉତ୍ତରରେ ଶାହ ଏହା କହିଛନ୍ତି। ଏହାକୁ ନେଇ ଶାହ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଏବେ ସ୍ଥିତି ସ୍ବାଭାବିକ ରହିଛି। କିନ୍ତୁ କଂଗ୍ରେସର ଲୋକ କହୁଥିଲେ ୩୭୦ ଉଚ୍ଛେଦ ପରେ ସେଠାରେ ରକ୍ତପାତ ହେବ। ହେଲେ ଏପର୍ଯ୍ୟନ୍ତ ସେଠାରେ ଗୋଟିଏ ବି ଗୁଳି ଫୁଟି ନାହିଁ ବୋଲି ଶାହ କହିଛନ୍ତି। ପରୀକ୍ଷାରେ ୯୯.୫ ପ୍ରତିଶତ ଉପସ୍ଥାନ ରହୁଛି, ୧୪୪ ଧାରା ଉଠାଇ ଦିଆଯାଇଛି ହେଲେ ଏହା ଅଧିରଙ୍କ ପାଇଁ ସାମାନ୍ୟ ପରିସ୍ଥିତି ନୁହେଁ। ତେବେ ଅତୀତରେ ଫାରୁକ ଅବଦୁଲାଙ୍କ ପିତାଙ୍କୁ କଂଗ୍ରେସ ୧୧ ବର୍ଷ ଜେଲରେ ରଖିଥିଲା। କିନ୍ତୁ କଂଗ୍ରେସ କାମକୁ ଆମେ ଦୋହରାଇବାକୁ ଚାହୁଁନୁ। ହେଲେ ଏବେ ଜମ୍ମୁ-କଶ୍ମୀରରେ ଗୃହବନ୍ଦୀଥିବା ନେତାଙ୍କୁ ଆମେ ଗୋଟିଏ ଦିନ ବି ଅଧିକ ରଖିବାକୁ ଚାହୁଁନୁ ବୋଲି ଶାହ କହିଛନ୍ତି। ଯେତେବେଳେ ପ୍ରଶାସନ ଉଚିତ ମଣିବ ସେତେବେଳେ ସେମାନଙ୍କୁ ମୁକ୍ତ କରାଯିବ ବୋଲି ସେ କହିଛନ୍ତି।

Share