Categories: ଖେଳ

ଫାଙ୍କା ଷ୍ଟାଡିୟମରେ ମଜା ଆସିବନି: କୋହଲି

ନୂଆଦିଲ୍ଲୀ,୮।୫(ପି.ଟି.): କୋଭିଡ-୧୯ ମହାମାରୀ ସାରା ବିଶ୍ୱକୁ କବଳିତ କରିଥିବା ବେଳେ ଦର୍ଶକଙ୍କ ଉପସ୍ଥିତି ବିନା ଷ୍ଟାଡିୟମରେ କ୍ରିକେଟ ଖେଳାଯାଇ ପାରିବ। କିନ୍ତୁ ଏଥିରେ ମଜା ରହିବ ନାହିଁ ବୋଲି ଭାରତୀୟ ଅଧିନାକୟ ବିରାଟ କୋହଲି କହିଛନ୍ତି। ଏହି ମହାମାରୀ କାରଣରୁ ଦୀର୍ଘଦିନ ହେବ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ଆୟୋଜିତ ହୋଇପାରିନାହିଁ। ତେଣୁ ବିଶ୍ୱର ସବୁ କ୍ରିକେଟ ବୋର୍ଡଗୁଡିକ ଫାଙ୍କା ଷ୍ଟାଡିୟମରେ ମ୍ୟାଚ୍‌ ଆୟୋଜନ ନେଇ ବିଚାର କରିଛନ୍ତି। ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବ ଟି୨୦ ବିଶ୍ୱକପ୍‌ ଦର୍ଶକଙ୍କ ଅନୁପସ୍ଥିତିରେ ଆୟୋଜନ କରିବାକୁ ଅନୁମାନ କରାଯାଉଛି। କରୋନା ଭାଇରସ କାରଣରୁ ଏହି ମେଗା ଇଭେଣ୍ଟ ଆୟୋଜନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବର୍ତ୍ତମାନ ପରିସ୍ଥିତିରେ ବିନା ଦର୍ଶକରେ କ୍ରିକେଟ ଅବଶ୍ୟ ସମ୍ଭବ। ସବୁବେଳେ ଦର୍ଶକଙ୍କ ଉପସ୍ଥିତିରେ ଖେଳି ଆସିଛୁ। ତେଣୁ ଫାଙ୍କା ଷ୍ଟାଡିୟମରେ ଏହା କିଭଳି ଗ୍ରହଣ କରାଯିବ ତାହା କହିବା ଅସମ୍ଭବ ବୋଲି କୋହଲି ଷ୍ଟାର ସ୍ପୋଟର୍‌ସ ଶୋ ‘କ୍ରିକେଟ କନେକ୍ଟେଡ୍‌’ରେ ସାକ୍ଷାତ୍‌କାର ଦେବା ଅବସରରେ କହିଛନ୍ତି। କିନ୍ତୁ ଏଭଳି ମ୍ୟାଚ୍‌ ଆୟୋଜନ ହେଲେ ମଜା ତଥା ରୋମାଞ୍ଚ ରହିବନି। ଦର୍ଶକଙ୍କ ହୋ ହାଲ୍ଲା, ଚାପ, ଟେନ୍‌ସନ ସବୁ କିଛି କ୍ରିକେଟର ଅଂଶବିଶେଷ। ବିନା ଦର୍ଶକରେ ଏଭଳି ପରିବେଶ ସୃଷ୍ଟି କରାଯାଇ ପାରିବନି ବୋଲି ସେ ସ୍ପଷ୍ଟ କରିଛନ୍ତି।
ପୂର୍ବରୁ ବେନ୍‌ ଷ୍ଟୋକ୍ସ, ଜାସନ ରଏ, ଜୋସ ବଟଲର ଓ ପ୍ୟାଟ କୁମିନ୍ସଙ୍କ ଭଳି କ୍ରିକେଟର ରୁଦ୍ଧଦ୍ୱାରରେ ଖେଳିବା ନେଇ ନିଜର ସମ୍ମତି ପ୍ରକାଶ କରିଛନ୍ତି। ତେବେ ବିନା ଦର୍ଶକରେ ବିଶ୍ୱକପ୍‌ ଆୟୋଜନ କରିବାକୁ କିମ୍ବଦନ୍ତୀ ଅଷ୍ଟ୍ରେଲୀୟ କ୍ରିକେଟର ଆଲାନ୍‌ ବର୍ଡର ନାପସନ୍ଦ କରିଛନ୍ତି। ଅନ୍ୟତମ ଅଷ୍ଟ୍ରେଲିଆ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସଓ୍ବେଲ ଓ ଅନ୍ୟ କେତେକ କ୍ରିକେଟର ମଧ୍ୟ ସମାନ ମତ ପୋଷଣ କରିଛନ୍ତି।

Share