Categories: କଟକ

ଫାଇନ୍‌ ଦେଲେ, ସଚେତନ ହେଲେ

ଚୌଦ୍ୱାର,୨୫ା୩ (ଡି.ଏନ୍‌.ଏ): କରୋନା ଭୂତାଣୁକୁ ପ୍ରତିରୋଧ କରିବା ପାଇଁ ସାରା ବିଶ୍ୱ ସଚେତନତା ଉପରେ ଗୁରୁତ୍ୱ ଦେଇଛି। ସେହିପରି ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆଗାମୀ ୨୧ଦିନ ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ଘରୁ ନ ବାହାରିବା ପାଇଁ ନିବେଦନ କରିଛନ୍ତି। ଏଥିନିମନ୍ତେ ସମସ୍ତ କମିଶନରେଟ ପୋଲିସଜୁ ସଜାଗ ରହିବା ସହ ଲୋକଙ୍କୁ ସଚେତନ କରାଇବା ଓ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି କ୍ରମରେ ଚୌଦ୍ୱାର ପୋଲିସ ସକାଳ ୭ଟା ଠାରୁ ରାତି ୯ଟା ଫର୍ଯ୍ୟନ୍ତ ସହରର ୫୫ନଂ ଜାତୀୟ ରାଜପଥର ନୁନଟିକିରି ଛକଠାରୁ ଧୁମାବତୀ ପର୍ଯ୍ୟନ୍ତ ରାସ୍ତାରେ ଫୋର୍ସ ମୁତୟନ କରି କୌଣସି କାରଣ ନ ଥାଇ ପଦାକୁ ବାହାରିବା ଉପରେ ରୋକ୍‌ ଲଗାଇଛି। ଫଳରେ ସୋମବାର ଓ ମଙ୍ଗଳବାର ପୋଲିସ ପକ୍ଷରୁ ଥାନା ସମ୍ମୁଖରେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଗାଡ଼ିକୁ ଯାଞ୍ଚ କରାଯାଇ ଫାଇନ କଟାଯାଇଥିଲା। ୧୭୯(୧) ନିୟମ ଅବମାନନା କରିଥିବା ଅଭିଯୋଗରେ ବିଭିନ୍ନ ବାଇକ ଚାଳଙ୍କଙ୍କଠାରୁ ପ୍ରାୟ ଲକ୍ଷାଧିକ ଟଙ୍କାର ଫାଇନ କଟାଯାଇଥିଲା ବୋଲି ଥାନାଧିକାରୀ ପଦ୍ମନାଭ ପ୍ରଧାନ କହିଛନ୍ତି। ଏହାକୁ ନେଇ କିଛି ସମୟ ପାଇଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲେ ହେଁ ସଚେତନତା ପାଇଁ ତଣ୍ଡ ଗଣିଲେ ସଚେତନ ହେବେ ବୋଲି ଚର୍ଚ୍ଚା ହୋଇଥିଲା। ବୁଧବାର ଚୌଦ୍ୱାର ସହର ଜନଶୂନ୍ୟ ହୋଇ ରହିଥିବା ଦେଖିବାକୁ ମିଳିଥିଲା। ସେହିପରି ପୋଲିସ ପକ୍ଷରୁ ବିଭିନ୍ନ ଗ୍ରାମାଞ୍ଚଳଗୁଡିକ ପ୍ରତି ନଜର ରଖାଯାଇ ଏକାଠି ନ ହେବା ସହ ଦୋକାନ ବଜାର ବନ୍ଦ ରଖିବା ପାଇଁ ଚେତାବନୀ ଦିଆଯାଇଥିଲା।