ଫସିଥିବା ଓଡ଼ିଆଙ୍କ ସହଯୋଗ କରନ୍ତୁ ଅନ୍ୟ ରାଜ୍ୟରେ ଥିବା ଓଡ଼ିଆ ସଂଗଠନ, ରାଜ୍ୟ ସରକାର ବହନ କରିବେ ଖର୍ଚ୍ଚ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୭।୩(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣ ଦ୍ୱାରା ସମଗ୍ର ବିଶ୍ୱ ଏବେ କବଳିତ। ଏହାକୁ ମୁକାବିଲା କରିବା ଲାଗି ଦେଶକୁ ୨୧ ଦିନ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ରାଜ୍ୟରେ ଏହା ଜାରି ରହିଛି। ଏପରିସ୍ଥଳେ ଅନ୍ୟ ରାଜ୍ୟରେ ଫସି ରହିଥିବା ଓଡ଼ିଆମାନେ ପ୍ରଭାବିତ ହୋଇଛନ୍ତି। ବିଭିନ୍ନ ରାଜ୍ୟରେ ଫସି ରହିଥିବା ଓଡ଼ିଆଙ୍କ ଖାଇବା, ରହିବା ସହ ସୁରକ୍ଷା ଉପରେ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ନିଜର ସମସ୍ତ ପ୍ରତିପକ୍ଷଙ୍କୁ ନିବେଦନ କରିଥିଲେ। ଏବେ ଅନ୍ୟରାଜ୍ୟରେ ଥିବା ଓଡ଼ିଆ ସଂଗଠନକୁ ମଧ୍ୟ ସମସ୍ତ ଓଡ଼ିଆଙ୍କ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି। ଏଥିପାଇଁ ହେବାକୁ ଥିବା ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ବହନ କରାଯିବ ବୋଲି ସେ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ସେହିଭଳି ବିଭିନ୍ନ ରାଜ୍ୟରୁ ୫୫୪୭ ଶ୍ରମଜୀବୀ ଓଡ଼ିଶାରେ ଅଛନ୍ତି। ସେମାନଙ୍କ ପାଇଁ ଏହି ସମୟରେ ୩୬ ଶିବିରରେ ଖାଦ୍ୟପେୟ, ରହଣୀ ବ୍ୟବସ୍ଥା କରାଯାଇଛି ବୋଲି ଶୁକ୍ରବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।