ଫସଲ ବି ଉଜାଡ଼ିଲା କରୋନା ବିପତ୍ତି

ତେଲକୋଇ,୨୬ା୩(ଡ଼ି.ଏନ୍‌.ଏ.)- କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଅଞ୍ଚଳରେ ଏଥର ୫ହଜାରରୁ ଅଧିକ ଚାଷୀ ପ୍ରାୟ ୨୦ହଜାର ହେକ୍ଟର ଜମିରେ ତରଭୁଜ ଚାଷ କରିଛନ୍ତି। ଅମଳ ପରେ ସେମାନେ ରାଜ୍ୟ ବାହାର ସମେତ ବିଭିନ୍ନ ସ୍ଥାନକୁ ଏହାକୁ ପଠାଇଥାନ୍ତି। ସମ୍ପ୍ରତି କରୋନା କଟକଣା ଯୋଗୁଁ ଯାନବାହାନ ଚଳାଚଳ ବନ୍ଦ ହେବାରୁ ସେମାନେ ରାଜ୍ୟ ବାହାରକୁ ତରଭୂଜ ପଠାଇ ନ ପାରୁ ନ ଥିବା କ୍ଷତିରେ ପଡ଼ିବା ନେଇ ଚିନ୍ତାରେ ରହିଛନ୍ତି। ଆଉ ୫ରୁ ୬ ଦିନ ମଧ୍ୟରେ ବିକ୍ରି ନ ହେଲେ ତରଭୁଜ ଜମିରେ ପଚିଯିବା ସାର ହେବ। ଏ ନେଇ ସ୍ଥାନୀୟ ଅଞ୍ଚଳର ଚାଷୀ ବୁଧବାର ସ୍ଥାନୀୟ ବିଡିଓ, ତହସିଲଦାରଙ୍କୁ ଭେଟି ସେମାନଙ୍କ ଜରିଆରେ ଜିଲାପାଳଙ୍କ ନିକଟକୁ ଏହି ମର୍ମରେ ଅଭିଯୋଗପତ୍ର ପଠାଇଛନ୍ତି।
ପ୍ରଶାସନକୁ ଭେଟିବାକୁ ଆସିଥିବା ଦୁଃଖବନ୍ଧୁ ମହାକୁଡ, ଦୁଷ୍ମନ୍ତ ସାମଲ, ଯୁଗୋଳ କିଶୋର ସାହୁ, ପ୍ରଭାତ ସାହୁ, ମଳୟ କୁମାର ସାମଲଙ୍କ ସମେତ ଶତାଧିକ ଚାଷୀ କହିଛନ୍ତି ଯେ, ତେଲକୋଇ ଅଞ୍ଚଳର ଦୋବଲାପାଳ, ଛାମୁଣ୍ଡା, ସିରିଆବାହାଳ, ଡିମିରିଆ, ଜଟ, ହାଲପୋଡି, ଆକୁଳ, ଦୁଲଭପୁର, ଭୀମକାଣ୍ଡ, ଉଦୟଗିରି, ଦେଉଳଡିହା, କରଦାଙ୍ଗି, ସରେଇ, କାଣ୍ଡପଶି ଆଦି ସ୍ଥାନରେ ଅନ୍ୟବର୍ଷ ଭଳି ଏଥର ବ୍ୟାପକ ତରଭୁଜ ଚାଷ ହୋଇଛି। ଚଳିତ ମାସରେ ଏହାକୁ ତୋଳାଯାଇ କଲିକତା, ପାଟଣା, ଝାଡ଼ଖଣ୍ଡ ଓ ପୁଣେ ସମେତ ଓଡ଼ିଶାର ବିଭିନ୍ନ ବଜାର ଅଞ୍ଚଳକୁ ପଠାଯାଇଥାନ୍ତା। ଚାଷୀ ଅନ୍ତଯର୍‌ୟାମୀ ସାହୁ କହିଥିଲେ, ଏହି ଚାଷ କାର୍ଯ୍ୟ ଲାଗି ସେମାନେ ଧାର କରଜ କରି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ତରଭୂଜ ମଞ୍ଜି କିଲୋ ପ୍ରତି ୩୫ଶହ ଟଙ୍କା ଦେଇ ଖରିଦ କରିଥିଲେ। ସାର, ଔଷଧ ଓ ଶ୍ରମିକଙ୍କୁ ମଜୁରି ବାବଦକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିଛି। ତରଭୁଜ ବିକ୍ରି ନ ହେଲେ କରଜ ଶୁଝିବା ସମ୍ଭବ ହେବ ନାହିଁ । ଏଥିଲାଗି ସେମାନେ ପ୍ରଶାସନକୁ ନିବେଦନ କରିବାକୁ ଆସ ଥିବା କହିଥିଲେ। ଏସମ୍ପର୍କରେ ବିଡିଓ ଦିଲୀପ କୁମାର ବାରାଙ୍କୁ ପଚାରିବାରୁ କହିଲେ, ବାହାର ରାଜ୍ୟକୁ ତରଭୁଜ ପଠାଇବାକୁ ହେଲେ ରାଜ୍ୟ ସରକାରଙ୍କ ଅନୁମତି ଦରକାର। କିନ୍ତୁ ରାଜ୍ୟ ଭିତରେ ବିକ୍ରୟ ପାଇଁ ଅସୁବିଧା ହେବ ନାହିଁ ି।