Categories: ବାଣିଜ୍ୟ

ଫନୀ ପ୍ରଭାବିତଙ୍କୁ ଏସ୍‌ବିଆଇ ଦେଲା ୧୨୦ କୋଟି ଟଙ୍କାର ଋଣ

ଭୁବନେଶ୍ୱର,୭-୬: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ରାଜ୍ୟର ଫନୀ ପ୍ରଭାବିତଙ୍କୁ ବର୍ତ୍ତମାନ ସୁଦ୍ଧା ୧୨୦ କୋଟି ଟଙ୍କାର ଋଣ ପ୍ରଦାନ କରିଛି। ଏହି ଋଣ ମଧ୍ୟରେ କୃଷି କ୍ଷେତ୍ରର ୯୮ କୋଟି,କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡିକୁ ୧୫ କୋଟି ଏବଂ ହୋମ ଲୋନ ବାବଦକୁ ପ୍ରାୟ ୫ କୋଟି ଟଙ୍କା ସାମିଲ ରହିିଛି। ଏହାବାଦ ମତ୍ସ୍ୟଜୀବିଙ୍କ ଜୀବନ ଜୀବିକା ଲାଗି ଅଲଗା ଋଣ ପ୍ରଦାନ କରିବାକୁ ବ୍ୟାଙ୍କ ଲକ୍ଷ୍ୟ ରଖିଛି। ବ୍ୟାଙ୍କ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ବିଭିନ୍ନ ସହାୟତା ଯୋଗାଇ ଦେଉଛି ବୋଲି ଏହାର ଏମ୍‌ଡି ପି.କେ. ଗୁପ୍ତା ଗୁରୁବାର ଭୁବନେଶ୍ୱରଠାରେ ଏକ ଖବରଦାତା କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ବ୍ୟାଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗର ରିପୋର୍ଟ ଆଧାରରେ ଋଣ ପୁନର୍ଗଠନ ଦିଗରେ କାର୍ଯ୍ୟ କରୁଛି। ପ୍ରଭାବିତ ଅଞ୍ଚଳରେ କୃଷି, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ଓ ବାସଗୃହ ଋଣ ଉପରେ ମୋରାଟୋରିୟମ ସମୟ ଏକ ବର୍ଷକୁ ବଢାଯାଇଛି। ଏସ୍‌ବିଆଇର ସହଯୋଗୀ କମ୍ପାନୀ ଏସ୍‌ବିଆଇ ଜେନେରାଲ ୧୦୦୦ରୁ ଉର୍ଦ୍ଧ୍ୱ କ୍ଲେମ ସମାଧାନ କରିବାକୁ ସମକ୍ଷ ହୋଇଥିବା ଗୁପ୍ତା କହିଛନ୍ତି। କ୍ଲେମ ସମାଧାନ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାକୁ ପଦକ୍ଷେପ ନିଆଯାଇଛି। ପ୍ରଭାବିତ ଅଞ୍ଚଳଗୁଡିକରେ ନଗଦ ଉପଲବ୍ଧ କରାଇବାକୁ ପିଓଏସ୍‌ ମେଶିନ ବ୍ୟବସ୍ଥା, ଅଚଳ ହୋଇ ଯାଇଥିବା ଏଟିଏମ୍‌ଗୁଡିକର ପୁନରୁଦ୍ଧାର ଭଳି ବିଭିନ୍ନ ବ୍ୟବସ୍ଥା କରାଯାଇଛି। ବ୍ୟାଙ୍କ ରାଜ୍ୟରେ ମୋଟ ୮୭୨ ଶାଖା ସହ କାର୍ଯ୍ୟ କରୁଛି। ଏହା ମଧ୍ୟରେ ଗ୍ରାମାଞ୍ଚଳ ଏବଂ ଅର୍ଦ୍ଧସହରାଞ୍ଚଳରେ ୭୦୬ ଶାଖା ରହିଛି। ୨୮୪୦ ଏଟିଏମ୍‌ ଏବଂ ୪୨୨୭ ସିପିଏସ୍‌ ଦ୍ୱାରା ଏସ୍‌ବିଆଇ ସେବା ଯୋଗାଇ ଦେଉଥିବା ସେ ଗୁପ୍ତା କହିଛନ୍ତି।

Share