Categories: ଯାଜପୁର

ଫନୀ ପ୍ରଭାବରେ କ୍ଷତିଗ୍ରସ୍ତ ବସ୍ତି ବାସିନ୍ଦାଙ୍କ କ୍ଷତିପୂରଣ ଦାବିରେ ତହସିଲ କାର୍ଯ୍ୟାଳୟରେ ବିକ୍ଷୋଭ

ଯାଜପୁର ରୋଡ,୨୯।୫(ନି.ପ୍ର.): ଯାଜପୁର ଜିଲା ବ୍ୟାସନଗର ପୌର ପରିଷଦ ଅଧୀନରେ ବାସ କରୁଥିବା ବିଭିନ୍ନ ଓ୍ବାର୍ଡର ଲୋକଙ୍କୁ ବାତ୍ୟା ଫନୀ ଲାଗି କ୍ଷତିପୂରଣ ଦାବିରେ ବୁଧବାର ତହସିଲ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସାମାଜିକ କର୍ମୀ ତଥା ଆଇନଜୀବୀ ଦୁଷ୍ମନ୍ତ କୁମାର ରାଉତ, ରଶ୍ମିକାନ୍ତ ପଣ୍ଡିତ, ନିରଞ୍ଜନ ଘଡାଇ, ବସନ୍ତ ମହାପାତ୍ର ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ମହିଳା ବ୍ୟାସନଗର ତହସିଲଦାରଙ୍କ ଅନୁପସ୍ଥିତିରେ ଅତିରିକ୍ତ ତହସିଲଦାର ରଶ୍ମିତା ସ୍ବାଇଁଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ, ବାତ୍ୟା ଫନୀକୁ ୨୫ ଦିନ ବିତି ଯାଇଥିଲେ ମଧ୍ୟ ବ୍ୟାସନଗର ପୌର ପରିଷଦର ୨ନଂ ୱାର୍ଡ ପନାସିଆ, ୧୭ନଂ ୱାର୍ଡ ପଦ୍ମପୁର, ୨୪ ନଂ. ୱାର୍ଡ ମୁଣ୍ଡମାଳ ଓ ବୀରମଣିପୁର, ୨୬ ନଂ ୱାର୍ଡ ଡାଇସାହି(ଆଦିବାସୀ ସାହି),ୱାର୍ଡ ନଂ ୩, ୪ ଓ ୭ ବସ୍ତି ଅଞ୍ଚଳର ଲୋକଙ୍କୁ ଏ ନେଇ କ୍ଷତିପୂରଣ ଦିଆଯାଇନାହିଁ। ଏହା ସହ କଣ୍ଟାଝରି
ସର୍କଲର ରାଜସ୍ବ ନିରୀକ୍ଷକ(ଆରଆଇ) ସେମାନଙ୍କ ବସ୍ତିକୁ ଯାଇ ଘର ସର୍ଭେ କରି ନାହାନ୍ତି ା ସେମାନଙ୍କୁ ମଧ୍ୟ କ୍ଷତିପୂରଣ ମିଳିପାରି ନାହିଁ। ଏ ନେଇ ଅତିରିକ୍ତ ତହସିଲଦାର କହିଛନ୍ତି, ଦାବିପତ୍ର ଉପରେ ରାଜସ୍ବ ସୁପରଭାଇଜର ତଦନ୍ତ କରିବା ପରେ କ୍ଷତିପୂରଣ ଯୋଗାଇ ଦିଆଯିବ।