ଫନୀ କ୍ଷୟକ୍ଷତି ଆକଳନ: ଓଡ଼ିଶାରେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର,୨୧।୬ (ବ୍ୟୁରୋ): ବାତ୍ୟା ‘ଫନୀ’ କ୍ଷୟକ୍ଷତି ଆକଳନ କରିବାକୁ ଏକ ୪ ଜଣିଆ କେନ୍ଦ୍ରୀୟ ଟିମ୍‌ ୩ ଦିନିଆ ଓଡିଶା ଗସ୍ତରେ ଆସି ଗୁରୁବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହିି ଟିମ୍‌ ଶୁକ୍ରବାର ପୁରୀ ଜିଲା ଗସ୍ତ କରି କ୍ଷୟକ୍ଷତି ଆକଳନ କରିବେ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ଏହି ଟିମ୍‌ ପୁରୀ ଜିଲାର ବିଭିନ୍ନ ବ୍ଲକ ପରିଦର୍ଶନ କରିବେ। କ୍ଷୟକ୍ଷତି ସମ୍ପର୍କରେ ପୁରୀ ଜିଲାପାଳଙ୍କ ସହ ମଧ୍ୟ ଆଲୋଚନା କରିବେ। ଶୁକ୍ରବାର ଅପରାହ୍ନରେ ଟିମ୍‌ର ସଦସ୍ୟମାନେ ସଚିବାଳୟଠାରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ। ଶନିବାର କେନ୍ଦ୍ରୀୟ ଟିମ୍‌ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ଓଡିଶାରୁ ଫେରିବା ପରେ ଟିମ୍‌ କେନ୍ଦ୍ର ସରକାରଙ୍କୁ କ୍ଷୟକ୍ଷତିର ଚୂଡାନ୍ତ ରିପୋର୍ଟ ପ୍ରଦାନ କରିବେ।
ଏଠାରେ ସୂଚନାଯୋଗ୍ୟ ଯେ କେନ୍ଦ୍ରୀୟ ଟିମ୍‌ ମେ ୧୨ରୁ ୧୫ ତାରିଖ ମଧ୍ୟରେ ପୁରୀ, ଖୋର୍ଦ୍ଧା ଓ କଟକ ଜିଲାର କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବା ସହ ଲୋକମାନଙ୍କ ସହିତ ଆଲୋଚନା କରିଥିଲେ। କ୍ଷତିଗ୍ରସ୍ତଙ୍କୁ ରିଲିଫ ମିଳିଛି ନା ନାହିଁ, ବାତ୍ୟା ପରେ କି ଅସୁବିଧା ହେଉଛି ଓ ସେମାନଙ୍କ ନଷ୍ଟ ହୋଇଯାଇଥିବା ନଡିଆ ଗଛ, ଘର, ଉଜୁଡା କ୍ଷେତ ବୁଲି ଦେଖିଥିଲେ। ଗ୍ରାମ ଉନ୍ନୟନ ମନ୍ତ୍ରଣାଳୟ ଅଧୀନରେ ଥିବା ପାନୀୟ ଓ ପରିମଳ ବିଭାଗ ନିର୍ଦ୍ଦେଶକ ଅଜୟ କୁମାରଙ୍କ ନେତୃତ୍ୱରେ ଅନ୍ୟ ଏକ ଟିମ୍‌ ଖୋର୍ଦ୍ଧା ଜିଲାର ଜଟଣୀ ପୌରାଞ୍ଚଳ ପରିଦର୍ଶନ କରିଥିଲେ। କେନ୍ଦ୍ରୀୟ ଟିମ୍‌ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଯିବା ପୂର୍ବରୁ ସ୍ବତନ୍ତ୍ର ରିଲିଫ କମିଶନର(ଏସଆରସି) ବିଷ୍ଣୁପଦ ସେଠୀ ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏସଆରସି କେନ୍ଦ୍ରୀୟ ଟିମ୍‌କୁ ପ୍ରାଥମିକ ଆକଳନରେ ହୋଇଥିବା କ୍ଷୟକ୍ଷତି ଓ କେଉଁ ଜିଲା ଅଧିକ ପ୍ରଭାବିତ ହୋଇଛି ସେ ସମ୍ପର୍କରେ ଅବଗତ କରାଇଥିଲେ। ଏଥିସହିତ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଥିଲେ।
ଏଠାରେ ସୂଚନାଯୋଗ୍ୟ ଯେ ବାତ୍ୟା ଫନୀ ମାଡରେ ପୁରୀ, ଖୋର୍ଦ୍ଧା, କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡା ଜିଲାରେ ପ୍ରଭୂତ କ୍ଷୟକ୍ଷତି ହୋଇଥିଲା। ସରକାରୀ ଭାବେ ୬୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଲକ୍ଷ ଘର ନଷ୍ଟ ହୋଇଛି। ୧ ଲକ୍ଷ ୫୨ ହଜାର ହେକ୍ଟର ଚାଷ ଜମି ଉଜୁଡି ଯାଇଥିବା ବେଳେ ୧୪ ଲକ୍ଷ ଗଛ ମଧ୍ୟ ନଷ୍ଟ ହୋଇଛି। ଏ ସବୁର କ୍ଷତି ଭରଣା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ୧୭ ହଜାର କୋଟି ଟଙ୍କାର ସ୍ମାରକପତ୍ର ଦିଆଯାଇଥିଲା। ମେ ୬ ତାରିଖରେ ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତ କରି ବାତ୍ୟା ଅଞ୍ଚଳ ପରିଦର୍ଶନ କରିବା ସହ ୧ ହଜାର କୋଟି ଟଙ୍କାର ତତ୍କାଳ ସହାୟତା ଘୋଷଣା କରିଥିଲେ।