ଫନୀରେ ଧ୍ୱସ୍ତ ବିଧ୍ୱସ୍ତ ରତ୍ନବଟ ଆଶ୍ରମ: ଆଜି ପ୍ରାଚୀ ଉପତ୍ୟକାରେ ବାରଗାଦି ମେଳଣ

କାକଟପୁର, ୧୭।୫(ଡି.ଏନ୍‌.ଏ.):ପବିତ୍ର ବୁଦ୍ଧ ପୂର୍ଣ୍ଣମୀ ଅର୍ଥାତ୍‌ ବୈଶାଖ ପୂର୍ଣ୍ଣୀମାରେ ଶନିବାର କାକଟପୁରର ରତ୍ନବଟ ଆଶ୍ରମରେ ଅନୁଷ୍ଠିତ ହେବ ବାରଗାଦି ମେଳଣ। ଦିନକ ପାଇଁ ଉତ୍ସବ ମୁଖର ହୋଇପଡ଼ିବ ରତ୍ନବଟ ଆଶ୍ରମ। ମାତ୍ର ଫନୀର ତାଣ୍ଡବରେ ରତ୍ନବଟ ଆଶ୍ରମର ବୃକ୍ଷରାଜୀ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି। କେତେକ ଗଛ ଉପୁଡ଼ି ପଡ଼ିଥିବାବେଳେ କିଛି ଗଛ ଭାଙ୍ଗିରୁଜି ଯାଇଛି। ଭଙ୍ଗାଗଛ ସବୁ ଆଶ୍ରମ ପରିସରରେ ପଡ଼ିରହିଛି। ଏଥିରେ ବହୁ ପୁରାତନ ଆମ୍ବ, ନଡିଆ, ବେଲ ଆଦି ବିଭିନ୍ନ ଗଛ ରହିଛି। ବାତ୍ୟା ପୂର୍ବରୁ ସବୁଜିମାରେ ଭରପୁର ରତ୍ନବଟ ଆଶ୍ରମ ବାତ୍ୟାରେ ସମ୍ପୂର୍ଣ୍ଣ ଭାବେ ଉଜୁଡ଼ି ଯାଇଛି। ପ୍ରକୃତିର ତାଣ୍ଡବରେ ଛାରଖାର ହୋଇଯାଇଛି ସଭାମଣ୍ଡପ ନିକଟସ୍ଥ ଆଶ୍ରମ। ଏମିତିରେ ଏଥରର ମେଳଣ ଚମକହୀନ ହେବା ଆଶଙ୍କା ସୃଷ୍ଟି ହୋଇଛି।
ପରମ୍ପରା ପ୍ରତ୍ୟୁଷରୁ ତୁଳସୀପୁର, ତେନ୍ତୁଲିଗୁଅଁା, ଦଣ୍ଡିକିରା, ବଳଭଦ୍ରପୁର, ଭାଣପୁର, ସାନହୁଲି, ଛଣିଜଙ୍ଗ, ଜାହାଙ୍ଗୀରପୁର ପ୍ରଭୃତି ୧୨ଟି ଗଁାରେ ପୂଜା ପାଇଆସୁଥିବା ଭାଗବତ ଗାଦିକୁ ଗ୍ରାମବାସୀ ସୁସଜ୍ଜିତ ବିମାନରେ ଆଣି ରତ୍ନବଟ ଅଶ୍ରମର ପଶ୍ଚିମ ପାର୍ଶ୍ୱରେ ନିର୍ମାଣ ହୋଇଥିବା ଏକ ବୃହତ୍ତ ମଣ୍ଡପରେ ଉପବେସନ କରାଇବେ। ଆଶ୍ରମ ପକ୍ଷରୁ ସମସ୍ତ ଗାଦିକୁ ସ୍ବାଗତ କରାଯିବ। ପୂର୍ଣ୍ଣମୀ ଦିନସାରା ୧୨ ଗାଦି ଠାକୁର ୧୨ଟି ବିମାନରେ ଏଠାରେ ପୂଜା ପାଇବେ। ଗାଦିଙ୍କ ସମ୍ମୁଖରେ ଦ୍ୱାଦଶ ସ୍କନ୍ଧ ଭାଗବତ ପାଠ କରାଯିବ। ସନ୍ଧ୍ୟାରେ ଆଶ୍ରମର ଭେଟ ପଡ଼ିଆଠାରେ ମେଳା ବସିବ। ଏନେଇ ଆଶ୍ରମର ପୂଜକ ରାଜକିଶୋର ଶତପଥୀ କୁହନ୍ତି, ଦୀର୍ଘ ବର୍ଷରୁ ଚାଲିଆସିଥିବା ପରମ୍ପରାକୁ ଭାଙ୍ଗି ହେବନି। ତେଣୁ ଆଶ୍ରମରେ ଶନିବାର ୧୨ଗାଦି ମେଳଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି। ଏହା ସହ ବର୍ଷା
ରୁତୁରେ ଏହି ଆଶ୍ରମକୁ ମାଗଣାରେ ଚାରା ଯୋଗାଇଦେବାକୁ ଶତପଥୀ ଦାବି କରିଛନ୍ତି।