Categories: ଫୁରସତ

ଫଟୋ ସତ ଲାଗେ ମିଛ

ଫଟୋଗ୍ରାଫି ଏକ କଳା। ଏହା ଦ୍ୱାରା ସାମାନ୍ୟ ବି ଅସାମାନ୍ୟ ଲାଗିପାରେ। ଏକ ଭ୍ରମର ଦୁନିଆ ତିଆରି କରିପାରେ। ସେମିତି କିଛି ଫଟୋ ଆମେ ଦେଉଛୁ, ଯାହା ବାସ୍ତବ ହେଲେ ବି ଅବାସ୍ତବ ଲାଗେ। ଜାଣନ୍ତୁ ସେ ସମ୍ପର୍କରେ…


ମୁଣ୍ଡ ନ ଥିବା ହକି ଖେଳାଳି- ଲାଗୁଥାଇପାରେ ନରଓ୍ବେର ଏହି ହକି ଖେଳାଳିଙ୍କୁ ଅଦୃଶ୍ୟ ହେବାର କଳା ଜଣା। ଅବା ଫଟୋକୁ ଫଟୋଶପ୍‌ରେ ଏଡିଟ୍‌ କରାଯାଇଛି। ନଚେତ୍‌ ହେଲମେଟ୍‌ ଥାଇ ମୁଣ୍ଡ ଗଲା କୁଆଡେ? ତେବେ ନା ସେହି ଖେଳାଳିଙ୍କୁ କୌଣସି ଯାଦୁ ଜଣା ନା ଫଟୋକୁ ଫଟୋଶପ୍‌ରେ ଏଡିଟ୍‌ କରାଯାଇଛି। ବରଂ ଠିକ୍‌ ସମୟରେ କ୍ଲିକ୍‌ ହୋଇଛି। ଅର୍ଥାତ୍‌ ତାଙ୍କ ମୁଣ୍ଡରୁ ହେଲମେଟ୍‌ ବାହାରି ଅନ୍ୟ ଖେଳାଳିଙ୍କ ବାହୁରେ ରହିବା ସମୟ ଅନ୍ତରାଳେ ଉକ୍ତ ଫଟୋ ଉଠାଯାଇଛି।

ରଙ୍ଗିନ ଜଳପ୍ରପାତ- ଫଟୋଗ୍ରାଫର୍‌ ସିନ୍‌ ଲେଞ୍ଜ ଓ କ୍ରିଷ୍ଟୋଫର୍‌ ଆଡିଲ୍ଡଗାର୍ଡ ଗ୍ଲୋ ଷ୍ଟିକ୍‌, ବିଭିନ୍ନ ହେଡ୍‌ ଲ୍ୟାମ୍ପ, ରୋଡ୍‌ ଫ୍ଲେର୍‌ ଏବଂ ଚନ୍ଦ୍ରର ଆଲୋକ ବ୍ୟବହାର କରି ଏହି ରଙ୍ଗିନ ଜଳପ୍ରପାତର ଭ୍ରମ ସୃଷ୍ଟି କରି ଫଟୋଶୁଟ୍‌ କରିଛନ୍ତି। କାଲିଫର୍ନିଆର ବିଭିନ୍ନ ଜଳପ୍ରପାତର ଫଟୋ ସେ ଏହିଭଳି ଶୁଟ୍‌ କରିଛନ୍ତି, ଯାହାକି ଫଟୋଶପ୍‌ ହେଲାଭଳି ଲାଗିଥାଏ।

ଖୁସିରେ ଡେଉଁଥିବା ଓ୍ବେଟ୍‌ଲିଫ୍ଟର୍‌- କଲମ୍ବିଆର ଓ୍ବେଟଲିଫ୍ଟର୍‌ ଲେସ୍ମାନ୍‌ ପାରଡେସ୍‌, ୨୦୧୫ ଜୁନିୟର ଓ୍ବେଟ୍‌ଲିଫ୍ଟିଂ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିଥିଲେ। ସେ ୧୯୦ କି.ଗ୍ରା. ଓଜନ ସଫଳତାର ସହ ଉଠାଇ ସାରିବା ପରେ ତାଙ୍କ ହାତରେ ଥିବା ଭାରକୁ ତଳକୁ ପକାଇ ବହୁତ ଖୁସି ହୋଇ ଡେଇଁଥିଲେ। ଉକ୍ତ ଭାର ବା ଓଜନଟି ବି ଉପରକୁ ଉଠିଥିଲା। ଠିକ୍‌ ସମୟରେ କ୍ଲିକ୍‌ କରାଯାଇଥିବାରୁ ଉଭୟ ଲେସ୍ମାନ୍‌ ଓ ଭାର ଏକାସଙ୍ଗରେ ଡେଇଁଲା ଭଳି ଫଟୋ ଉଠିଥିଲା।

ରାସ୍ତାରେ ରେଖାଚିତ୍ରର କାର୍‌- ଫଟୋଟି ଦେଖିଲେ ଲାଗିବ ସତେ ଯେମିତି ଫଟୋଶପ୍‌୍‌ରେ ଏଡିଟ୍‌ କରି କେହି ଏକ ରେଖାଚିତ୍ରର କାର୍‌କୁ ରାସ୍ତାରେ ରଖିଦେଇଛନ୍ତି। କିନ୍ତୁ ଏହା କୌଣସି ରେଖାଚିତ୍ର ନୁହେଁ ବରଂ ଏହା ତାରରେ ନିର୍ମିତ ଟୟୋଟା କରୋଲା କାର୍‌ର ଏକ ଲାଇଫ୍‌ ସାଇଜ୍‌ର ପ୍ରତିକୃତି। ଯାହାକୁ ଡିଜାଇନ୍‌ କରିଛନ୍ତି ବେନେଡିକ୍ଟ ରାଡକ୍ଲିଫ୍‌।

ଚାଇନା ଆର୍ମି ପରେଡ- ଚାଇନା ସେନାବାହିନୀଙ୍କର ଏହି ପରେଡ୍‌ ଫଟୋ ଦେଖିଲେ ଲାଗିପାରେ ମାତ୍ର ୩-୪ଜଣ ସୈନିକଙ୍କ ଫଟୋକୁ ଫଟୋଶପ୍‌କରି ଶହ ଶହ କରାଯାଇଛି। କିନ୍ତୁ ନିକଟରୁ ଦେଖିଲେ ଜାଣିପାରିବେ ଚାଇନା ଆର୍ମି ନିଖୁଣ ଭାବେ ସମତାଳରେ ପରେଡ କରୁଛନ୍ତି ।

ବାଦଲ ଆଇସ୍‌କ୍ରିମ୍‌- କୁନି ଝିଅଟି ବାଦଲକୁ ଆଇସ୍‌କ୍ରିମ ଭାବେ ଖାଉଥିବାର ଏହି ଫଟୋଟି ମଧ୍ୟ ଫଟୋଶପ୍‌ କଲାଭଳି ଲାଗେ। କିନ୍ତୁ ଏହା ହେଉଛି ପରଫେକ୍ଟ ଆଙ୍ଗେଲ ଓ ପରଫେକ୍ଟ ଟାଇମିଂରେ ଉଠାଯାଇଥିବା ଏକ ଚମତ୍କାର ଫଟୋ।

ଭାସମାନ ଓଲଟା ବାଲକୋନିରେ ଠିଆ ଫଟୋ-ଫିଲିପ୍‌ ରାମେଟ୍‌ ହେଉଛନ୍ତି ଫ୍ରାନ୍ସର ଜଣେ କଳାକାର ଓ ଫଟୋଗ୍ରାଫର୍‌। ସେ ତାଙ୍କର ଗ୍ରାଭିଟି ଡିଫାଇଂ ଫଟୋ ପାଇଁ ପରିଚିତ। ଉକ୍ତ ଫଟୋଶୁଟ୍‌ କରିବା ପାଇଁ ଓଲଟା ଥିବା ଚଟାଣରେ ନିଜ ଗୋଡକୁ ଫିକ୍ସ କରି ବାଲକୋନିରେ ସିଧା ହୋଇ ଠିଆ ହେବା ଲାଗି ରେଲିଂକୁ ଧରିଛନ୍ତି।

Share