ପ୍ୟାରିସ୍‌ ବେକେରି ମାଲିକ ଜୟନାରାୟଣ ଗିରଫ

ଭୁବନେଶ୍ୱର,୧୪।୩ (ବ୍ୟୁରୋ): ବିବାଦରେ ଘେରି ରହିଥିବା ପ୍ୟାରିସ୍‌ ବେକେରି ପ୍ରତିଷ୍ଠାତା ଜୟନାରାୟଣ ପୂଜାପଣ୍ଡାଙ୍କୁ ନୟାପଲ୍ଲୀ ଥାନା ପୋଲିସ ଶୁକ୍ରବାର ଗିରଫ କରିଛି। ତାଙ୍କ ବିରୋଧରେ ଥିଲା ୧ କୋଟି ଟଙ୍କାର ଚେକ୍‌ ବାଉନ୍ସ ମାମଲା। କଟକ ଏଡିିଜେଏମଙ୍କ କୋର୍ଟ ପକ୍ଷରୁ ତାଙ୍କ ବିରୋଧରେ ଜାରି କରାଯାଇଥିଲା ଜାମିନବିହୀନ ଗିରଫ ପରଓ୍ବାନା । ସୂଚନା ମୁତାବକ ୨୦୧୮ ଶେଷ ବେଳକୁ ଜୟନାରାୟଣଙ୍କ ବିରୋଧରେ ଆସିଥିଲା ଗୋଟିକପରେ ଗୋଟିଏ ଅଭିଯୋଗ। ଏ ନେଇ ୨୦୧୯ ଜାନୁୟାରୀ ୨୧ରେ କିଛି ଅସନ୍ତୁଷ୍ଟ ଷ୍ଟୋର ମ୍ୟାନେଜର ଓ ଫ୍ରାଞ୍ଚାଇଜ୍‌ ନେବାପାଇଁ ଲକ୍ଷାଧିକ ଟଙ୍କା ନିବେଶ କରିଥିବା ନିବେଶକାରୀମାନେ ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀ ଥାନା ଓ ଅର୍ଥନୈତିକ ଆପରାଧିକ ଶାଖା କୋର୍ଟର ଦ୍ୱାରସ୍ଥହୋଇ ଅଭିଯୋଗ କରିଥିଲେ। କଟକ ଏଡିଜେଏମଙ୍କ କୋର୍ଟରେ ଜୟନାରାୟଣଙ୍କ ନାମରେ (୧-ସିସି ୧୨୧/୨୦୧୯) ମାମଲା ରୁଜୁ ହେବା ସହ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରାଯାଇଥିଲା। ଶୁକ୍ରବାର ସକାଳ ସାଢେ ୧୦ଟା ବେଳେ ନୟାପଲ୍ଲୀ ଥାନା ଅଧିକାରୀ ଅରୁଣ ସ୍ବାଇଁଙ୍କ ନେତୃତ୍ୱରେ ଏକ ଟିମ ପାହାଳ ସ୍ଥିତ ମେଟ୍ରୋ ସିଟି ଆପାର୍ଟମେଣ୍ଟରେ ଚଢାଉ କରି ଜୟନାରାୟଣଙ୍କୁ ଗିରଫ କରି କଟକ ଏଡିଜେଏମଙ୍କ କୋର୍ଟକୁ ଚାଲାଣ କରିଥିଲା। ତାଙ୍କ ନାମରେ ରହିଥିବା ୩ଟି ମାମଲାରୁ ଗୋଟିଏ ମାମଲାରେ ପୋଲିସ ତାଙ୍କୁ କୋର୍ଟ ନିୟମ ଅନୁସାରେ ଜାମିନ ପ୍ରଦାନ କରିଥିଲା। ଅନ୍ୟ ୨ଟି ମାମଲାରେ କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରଛନ୍ତି। ପ୍ୟାରିସ୍‌ ବେକେରିରେ ପୁଞ୍ଜି ନିବେଶକାରୀ ଓ କାର୍ଯ୍ୟରତ କର୍ମଚାରୀଙ୍କୁ ତାଙ୍କ ବକେୟା ରାଶି ନିର୍ଦ୍ଧାରିତ ସମୟରେ ପଇଠ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।