ପ୍ଲାଜମା ଦାନ ପାଇଁ ଅନୁରୋଧ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୬।୪: ଦେଶରେ କରୋନା ସଂକ୍ରମଣ ଏବେ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଥିବାରୁ ସମସ୍ତେ ଏବେ ଏଥିରୁ ରକ୍ଷା ପାଇବା ପାଇଁ ଚେଷ୍ଟା କରୁଛନ୍ତି। ରାଜଧାନୀ ଦିଲ୍ଲୀ ଓ ମହାରାଷ୍ଟ୍ରରେ ସ୍ଥିତି ଅଣାୟତ ହେବାରୁ ଏହା ସେଠାକାର ସରକାରଙ୍କୁ ଚିନ୍ତାରେ ପକାଇ ଦେଇଛି। ତେବେ ଦିଲ୍ଲୀରେ ପ୍ରଥମ କରି ପ୍ଲାଜମା ଥେରାପି ଆରମ୍ଭ କରାଯାଇଥିବା ବେଳେ ଏହା ସୁଫଳ ପ୍ରଦାନ କରିଛି ବୋଲି ଡାକ୍ତରମାନେ କହିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କୁ ପ୍ଲାଜମା ଦାନ କରିବାକୁ କହିଛନ୍ତି। ଶନିବାର କେଜରିଓ୍ବାଲ ସୂଚନା ଦେଇ କହିଛନ୍ତି ଏଲ୍‌ଏନ୍‌ଜେପି ହସ୍ପିଟାଲରେ ଜଣେ କରୋନା ସଂକ୍ରମିତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ତାଙ୍କୁ ପ୍ଲାଜମା ଥେରାପି ମାଧ୍ୟମରେ ଚିକିତ୍ସା କରାଯାଇଥିଲା। ଏହାପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି। ଏହା ଦେଖିବା ପରେ ଏବେ କେଜରିଓ୍ବାଲ କରୋନା ସଂକ୍ରମଣ ପରେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ପ୍ଲାଜମା ଦାନ କରିବାକୁ ଅନୁରୋଧ କରିଛନ୍ତି।

Share