ପ୍ରୟାଗରାଜର ପୂର୍ବତନ ଏସ୍‌ଏସ୍‌ପିଙ୍କୁ କରୋନା

ପ୍ରୟାଗରାଜ,୧୬।୬: ଉତ୍ତରପ୍ରଦେଶ ପ୍ରୟାଗରାଜର ପୂର୍ବତନ ଏସ୍‌ଏସ୍‌ପି ସତ୍ୟାର୍ଥ ଅନିରୁଦ୍ଧ ପଙ୍କଜ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରିପୋର୍ଟ ଆସିବା ପରେ ମଙ୍ଗଳବାର ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ସତ୍ୟାର୍ଥଙ୍କ ଗନ୍‌ମ୍ୟାନ ପ୍ରଥମେ କରୋନା ପଜିଟିଭ୍‌ ଭାବେ ଚିହ୍ନଟ ହୋଇଥିଲେ। ଏହାପରେ ସତ୍ୟାର୍ଥଙ୍କୁ ଏସ୍‌ଆରଏନ୍‌ର ସନ୍ଦିଗ୍ଧ ଓ୍ବାର୍ଡରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର କରୋନା ଯାଞ୍ଚ କରାଯାଇଥିବା ବେଳେ ମଙ୍ଗଳବାର ସକାଳେ ତାଙ୍କ ରିପୋର୍ଟରେ କରୋନା ପଜିଟିଭ୍‌ ବାହାରିଥିଲା। ରିପୋର୍ଟ ଆସିବା ପରେ ତାଙ୍କୁ ଅନ୍ୟ ଓ୍ବାର୍ଡକୁ ସ୍ଥାନାନ୍ତର କରାଯାଇଛି। ଅପରପକ୍ଷେ ବିଳମ୍ବିତ ରାତିରେ ଯୋଗୀ ସରକାର ଅଚାନକ ସତ୍ୟାର୍ଥଙ୍କ ବଦଳି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ସୋମବାର ରାତିରେ ଉତ୍ତରପ୍ରଦେଶ ପୋଲିସର ୧୪ଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କ ବଦଳି କରାଯାଇଛି। ଏଥିରେ ସତ୍ୟାର୍ଥଙ୍କ ନାଁ ମଧ୍ୟ ରହିଛି। ହେଲେ ବର୍ତ୍ତମାନ ତାଙ୍କର ନାଁକୁ ତାଲିକାର ପ୍ରତିକ୍ଷାରେ ରଖାଯାଇଛି। ତାଙ୍କ ସ୍ଥାନରେ ଅଭିଷେକ ଦୀକ୍ଷିତଙ୍କୁ ପ୍ରୟାଗରାଜର ନୂଆ ଏସ୍‌ଏସ୍‌ପି ଭାବେ ଦାୟିତ୍ୱ ଦିଆଯାଇଥିବା ସୂଚନା ରହିଛି।

Share