‘ପ୍ରୋତ୍ସାହନ ନ ମିଳିଲେ ବୁଡ଼ିଯିବ ଛଉନୃତ୍ୟ’

କଟକ ଅଫିସ,୧୪।୩: ଓଡ଼ିଶା ମାଟିର ନିଜସ୍ବ ଲୋକନୃତ୍ୟ ହେଉଛି ଛଉ। ମୟୂରଭଞ୍ଜରେ ଏହି କଳାର ଉତ୍ପତ୍ତି। ଭାରତର ସମସ୍ତ ଲୋକନୃତ୍ୟଗୁଡ଼ିକ ଭିତରେ ଛଉନୃତ୍ୟର ସ୍ଥାନ ମଧ୍ୟ ସ୍ବତନ୍ତ୍ର। ପଣ୍ଡିତ ଗୁରୁ ଶ୍ୟାମା ଚରଣ ଏଯାବତ୍‌ ୬୮ଟି ରାଷ୍ଟ୍ରରେ ଛଉନୃତ୍ୟ ପରିବେଷଣ କରି ପ୍ରଶଂସିତ ହୋଇଛନ୍ତି। ୨୦୦୬ ମସିହାରେ ତାଙ୍କୁ ପଦ୍ମଶ୍ରୀ ଉପାଧି ମିଳିଥିଲା। ହେଲେ ଛଉନୃତ୍ୟ ପ୍ରତି ସରକାରୀ ପ୍ରୋତ୍ସାହନ ନ ଥିବାରୁ ଏହି କଳା ବୁଡ଼ିବାକୁ ବସିଲାଣି ବୋଲି ସେ କୁହନ୍ତି।
ଗୁରୁ ଶ୍ୟାମା ଚରଣଙ୍କ ଘର ଝାଡ଼ଖଣ୍ଡ ରାଜ୍ୟର ସଢ଼େଇକଳା ଅଞ୍ଚଳରେ। ପରାଧୀନ ଭାରତରେ ଏହି ସ୍ଥାନ ଉତ୍କଳ ମାଟିରେ ରହିଥିଲା। ସ୍ବାଧୀନତା ପରେ ଏହି ସ୍ଥାନ ବିହାରର ଅନ୍ତର୍ଭୁକ୍ତ ହେଲା। ପରେ ଝାଡ଼ଖଣ୍ଡ ରାଜ୍ୟ ଗଠନ ହେବାରୁ ସଢ଼େଇକଳା ଝାଡ଼ଖଣ୍ଡ ମାଟିର ବୋଲି ଗଣନା କରାଯାଉଛି। ହେଲେ ପୂର୍ବପୁରୁଷ ଓଡ଼ିଶାର ହୋଇଥିବାରୁ ଏବେ ବି ଓଡ଼ିଶା ପ୍ରତି ଗଭୀର ଭଲ ପାଇବା ରହିଛି ବୋଲି ଶ୍ୟାମା ଚରଣ କହିଛନ୍ତି। ୧୯୪୦ରେ ଜନ୍ମଗ୍ରହଣ କରିଥିବା ଶ୍ୟାମା ଚରଣ ୬ ବର୍ଷ ବୟସରୁ ଛଉନୃତ୍ୟ ଶିକ୍ଷା କରିଥିଲେ। ପରେ ଏହି ନୃତ୍ୟରେ ପରକାଷ୍ଠା ବଳରେ ତାଙ୍କୁ ଉପରାଷ୍ଟ୍ରପତିଙ୍କଠାରୁ ଭାରତୀୟମ୍‌ ସମ୍ମାନ, ଝାଡଖଣ୍ଡ ରତ୍ନ, ପଦ୍ମଶ୍ରୀ ସମ୍ମାନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ପ୍ରଦାନ କରାଯାଇଛି। ହେଲେ ଦିନକୁ ଦିନ ଏହି ନୃତ୍ୟ ପ୍ରତି ଲୋକଙ୍କ ଆଦର କମିବା ସ୍ପଷ୍ଟ ଦେଉଛି ବୋଲି ସେ କହିଛନ୍ତି। ପୂର୍ବରୁ ମୟୂରଭଞ୍ଜ ଓ ବାଲେଶ୍ୱରର ନୀଳଗିରି ସମେତ ଅନ୍ୟ କିଛି ସ୍ଥାନରେ ଏହି ଲୋକନୃତ୍ୟ ଅଧିକ ମାତ୍ରାରେ ହେଉଥିଲା। ଏବେ ନୀଳଗିରି ଏବଂ ଅନ୍ୟାନ୍ୟ ସ୍ଥାନରେ ଏହା ଦେଖିବାକୁ ମିଳୁନି। ବଞ୍ଚତ୍ୟାଇଛି କେବଳ ମୟୂରଭଞ୍ଜର କିଛି ଅଞ୍ଚଳ। ଧୀରେ ଧୀରେ ଏହା ବି ବନ୍ଦ ହୋଇଯାଇପାରେ। ଏହି କ୍ଷେତ୍ରକୁ ସରକାରୀ ସ୍ତରରେ ପ୍ରୋତ୍ସାହନ ମିଳିବା ଆବଶ୍ୟକ। ବିଭିନ୍ନ ଜିଲାରେ ଛଉନୃତ୍ୟର ପ୍ରଚାର ପ୍ରସାର ପାଇଁ ସରକାର ପଦକ୍ଷେପ ନେବା ଉଚିତ। ଜିଲା ଏବଂ ଜାତୀୟସ୍ତରୀୟ ଛଉନୃତ୍ୟ ପ୍ରତିଯୋଗିତା ହେବା ଉଚିତ। ଏହା ଦ୍ୱାରା ଅଧିକ ମାତ୍ରାରେ ଛଉନୃତ୍ୟ ପ୍ରତିଭା ସାମ୍ନାକୁ ଆସିବେ ବୋଲି ସେ କହିଥିଲେ। ଏହି ସମ୍ମିଳନୀରେ ବରିଷ୍ଠ ଖବରଦାତା ଡ. ସତ୍ୟ ରାୟ ଉପସ୍ଥିତ ରହି ଛଉନୃତ୍ୟ ପ୍ରତି ସରକାର ଦୃଷ୍ଟି ଦେବାକୁ ଦାବି କରିଥିଲେ। ସୂଚନାଯୋଗ୍ୟ, ପଣ୍ଡିତ ଗୁରୁ ଶ୍ୟାମା ଚରଣଙ୍କ ଝିଅ ସୁସ୍ମିତା ପତି ଜଣେ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀ। ସେ ଇଂଲଣ୍ଡରେ ନିଜର ଏକ ନୃତ୍ୟ ଏକାଡେମୀ କରି ଶିକ୍ଷା ଦେଉଛନ୍ତି।