Categories: ଖେଳ

ପ୍ରେସିଡେଣ୍ଟ କପ୍‌ ବକ୍ସିଂ: ଫାଇନାଲରେ ମେରୀକମ୍‌, ବିଧୁରୀ

ନୂଆଦିଲ୍ଲୀ,୨୮।୭(ପି.ଟି.)- ଇଣ୍ଡୋନେସିଆର ଲାବୁଆନ ବାଜୋଠାରେ ଚାଲିଥିବା ୨୩ତମ ପ୍ରେସିଡେଣ୍ଟ କପ୍‌ ବକ୍ସିଂ ଟୁର୍ନାମେଣ୍ଟରେ ଭାରତୀୟ ଅଭିଜ୍ଞ ମହିଳା ବକ୍ସର ମେରୀକମ୍‌ ଓ ପୁରୁଷ ତାରକା ବକ୍ସର ଗୌରବ ବିଧୁରୀ ଫାଇନାଲରେ ପ୍ରବେଶ କରିଛନ୍ତି।
୬ଥର ବିଶ୍ୱ ଚାମ୍ପିୟନଶିପ୍‌ ସ୍ବର୍ଣ୍ଣ ପଦକ ହାସଲ କରିଥିବା ମେରୀକମ୍‌ ଓ ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ୍‌ ପଦକ ବିଜୟୀ ବିଧୁରୀ କଡ଼ା ସଂଘର୍ଷର ସମ୍ମୁଖୀନ ହୋଇଥିଲେ। ଏହି ଦୁଇ ବକ୍ସରଙ୍କୁ ବାଦ୍‌ ଦେଲେ ଅନ୍ୟ ୯ଜଣ ଭାରତୀୟ ବକ୍ସର ମଧ୍ୟ ଫାଇନାଲରେ ପ୍ରବେଶ କରିଛନ୍ତି। ଦୁଇମାସ ତଳେ ଇଣ୍ଡିଆ ଓପନ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିବା ମେରୀକମ୍‌ ୫୧ କେ.ଜି. ବର୍ଗରେ ଭିଏତ୍‌ନାମର ଆନ ଭୋ ଥି କିମ୍‌ଙ୍କୁ ସେମିଫାଇନାଲରେ ୩-୨ରେ ପରାସ୍ତ କରିଥିଲେ। ତେବେ ଏଥିପାଇଁ ମେରୀକମ୍‌ଙ୍କୁ ବେଶ୍‌ କଷ୍ଟ କରିବାକୁ ପଡିଥିଲା। ରବିବାର ସ୍ବର୍ଣ୍ଣ ପଦକ ପାଇଁ ଫାଇନାଲରେ ସେ ଅଷ୍ଟ୍ରେଲିଆର ଫ୍ରାଙ୍କ୍ସଙ୍କୁ ଭେଟିବେ।
ସେହିପରି ୫୬ କେ.ଜି. ବର୍ଗରେ ବିଧୁରୀ ୩-୨ରେ ଫିଲିପାଇନ୍ସର ଓଗାଇର ଜୁନମିଲାରଡୁଙ୍କୁ ସେମିଫାଇନାଲରେ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୭ ଉଲାନବାତାର କପ୍‌୍‌ ସ୍ବର୍ଣ୍ଣପଦକ ବିଜୟୀ ଅଙ୍କୁଶ ଦହିୟା ୩-୨ରେ କୋରିଆର ଗିହେଅନ ୟୁଙ୍କୁ ୬୪ କେ.ଜି. ବର୍ଗରେ, ନୀରଜ ସ୍ବାମୀ ୩-୨ରେ ଇଣ୍ଡୋନେସିଆର ଲାଙ୍ଗୁ କୋରନେଲିସ୍‌ କେ.ଙ୍କୁ ହରାଇଛନ୍ତି।
ପୁରୁଷ ବିଭାଗରେ ଅନନ୍ତ ପ୍ରହଲ୍ଲାଦ ଚୋପାଡ ୫୨ କେ.ଜି. ବର୍ଗରେ ଶ୍ରୀଲଙ୍କାର ଧର୍ମସେନା ପିୟାଲଙ୍କୁ ୫-୦ରେ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି। ସେହିପରି ଇଣ୍ଡିଆ ଓପନ୍‌ ଗୋଲ୍ଡ ମେଡାଲିଷ୍ଟ ଯମୁନା ବୋରୋ ୫୪ କେ.ଜି. ବର୍ଗରେ ୫-୦ରେ ଇଣ୍ଡୋନେସିଆର କାସ୍‌ ସେରଲିନ୍‌ ଏଲିନ ଲିଲିଓ୍ବାଟିଙ୍କୁ ହରାଇ ଫାଇନାଲକୁ ଉଠିଛନ୍ତି। ପୂର୍ବରୁ ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ୍‌ ପଦକ ହାସଲ କରିଥିବା ସିମରନଜିତ କୌର ୬୦ କେ.ଜି. ବର୍ଗରେ ଓ ଗିବି ବକ୍ସିଂ ରୌପ୍ୟ ପଦକ ବିଜୟୀ ଦୀନେଶ ଡାଗର ୬୯ କେ.ଜି. ବର୍ଗରେ ଫାଇନାଲରେ ପ୍ରବେଶ କରିଥିଲେ। ସେହିପରି ୪୮ କେ.ଜି. ବର୍ଗରେ ମୋନିକା ଇଣ୍ଡୋନେସିଆର ନିସ୍‌ ଆନ୍‌ଗେଲିଙ୍କୁ ୫-୦ରେ ହରାଇ ଫାଇନାଲ ଟିକେଟ ହାସଲ କରିଛନ୍ତି।

Share