ପ୍ରେମ ଦିବସ ପୂର୍ବରୁ ଫୁଟିଲା ଗୁଳି: ପ୍ରଥମ ପ୍ରେମିକ କଲେ ଗୁଳିମାଡ

ଭୁବନେଶ୍ୱର,୧୦।୨(ବ୍ୟୁରୋ): ପ୍ରେମ ଦିବସ ପୂର୍ବରୁ ରାଜଧାନୀରେ ଫୁଟିଛି ଗୁଳି। ଇନଫୋସିଟି ଥାନା ଅଞ୍ଚଳରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନ ନିକଟରେ ଏକ ଗୁଳିମାଡ ହୋଇଛି। ତ୍ରିକୋଣୀୟ ପ୍ରେମ ବ୍ୟାପାରକୁ ନେଇ ଗୁଳିମାଡ ହୋଇଥିବା ସୂଚନା ମିଳିଛି। ଯୁବତୀ ଜଣଙ୍କ ଶିକ୍ଷାନୁଷ୍ଠାନ କ୍ୟାମ୍ପସ ଆଗରେ ଜଣେ ଯୁବକଙ୍କ ସହ ଛିଡା ହୋଇଥିବାବେଳେ ବାଇକରେ ଦୁଇଜଣ ଯୁବକ ଆସି ତାଙ୍କୁ ଗୁଳିମାଡ କରିଥିଲେ। ତାଙ୍କ ଡାହାଣ ଜଂଘରେ ଦୁଇ ରାଉଣ୍ଡ ବାଜିଥିବା ଜଣାପଡିଛି। ଖବର ପାଇଁ ସ୍ଥାନୀୟ ଲୋକେ ଯୁବତୀଙ୍କ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଏହି ଗୁଳିମାଡ ଯୁବତୀଙ୍କ ପ୍ରଥମ ପ୍ରେମିକ କରିଛନ୍ତି। ସମ୍ପୃକ୍ତ ଯୁବତୀ ଜଣଙ୍କ ଅନ୍ୟ ଜଣେ ଯୁବକଙ୍କୁ ପ୍ରେମ କରୁଥିବାରୁ ଏହାକୁ ସହି ନ ପାରି ସେ ଗୁଳିମାଡ କରିଥିବା ପୋଲିସ କହିଛି।