ପ୍ରେମିକାଙ୍କୁ ଭେଟିବାକୁ ଆସିି ପ୍ରେମିକ ହଟହଟା: ରାତାରାତି ବିବାହ କରାଇଲେ ଗ୍ରାମବାସୀ

ସୋର, ୧୩ା୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ଥାନା ମାଣିପୁର ଗୁଲୁଣିଆ ଗ୍ରାମରେ ଗୁରୁବାର ଏକ ନାଟକୀୟ ଘଟଣା ଘଟିଛି। ଫେସ୍‌ବୁକ୍‌ରୁ ପ୍ରେମ ସମ୍ପର୍କ ସ୍ଥାପନ କରିଥିବା ଜଣେ ଯୁବକ ପ୍ରେମିକାଙ୍କୁ ଭେଟିବାକୁ ଆସିଥିବା ବେଳେ ଗ୍ରାମବାସୀଙ୍କ ଦ୍ୱାରା ଧରାପଡି ହଟହଟା ହୋଇଛନ୍ତି। ଶେଷରେ ଉଭୟଙ୍କୁ ରାତାରାତି ଗ୍ରାମବାସୀ ବିବାହ କରାଇଛନ୍ତି।
ଏହି ଗ୍ରାମର ଜଣେ ଯୁବତୀଙ୍କ ସହ ବାବୁପାଟଣା ଗ୍ରାମର ଜଣେ ଯୁବକଙ୍କ ଫେସ୍‌ବୁକ୍‌ରୁ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଗୁରୁବାର ରାତିରେ ପ୍ରେମିକାଙ୍କ ଘରେ କେହି ନ ଥିବା ବେଳେ ପ୍ରେମିକ ତାଙ୍କ ଘରକୁ ଆସିଥିଲେ। ଏହା ଜାଣି ପାରି ଗ୍ରାମବାସୀ ଉକ୍ତ ଯୁବକଙ୍କ ଅଟକ ରଖିଥିଲେ। ଏହାପରେ ଲୋକେ ଯୁବତୀଙ୍କ ମା’ଙ୍କୁ ଖବର ଦେଇଥିଲେ। ଯୁବତୀଙ୍କ ମା’ ଘରେ ପହଞ୍ଚି ଘଟଣା ସମ୍ପର୍କରେ ଜାଣିଥିଲେ। ଏନେଇ ଗ୍ରାମବାସୀଙ୍କ ସହ ଆଲୋଚନା କରାଯାଇ ତୁରନ୍ତ ବିବାହ ସାମଗ୍ରୀ ଯୋଗାଡ କରାଯାଇଥିଲା। ବିଳମ୍ବିତ ରାତିରେ ବୈଦିକ ରୀତିରେ ଉଭୟଙ୍କୁ ବିବାହ ବନ୍ଧନରେ ଆବଦ୍ଧ କରାଯାଇଥିଲା। ବାହାଘର ପରେ ବରକନ୍ୟା ବରଘରକୁ ଫେରିଥିଲେ।