ପ୍ରେମିକଙ୍କ ବିବାହ ଅନ୍ୟତ୍ର ଠିକ ହେବାକୁ ନେଇ ପ୍ରେମିକାଙ୍କ ଷଡଯନ୍ତ୍ର: ଘର ନିକଟକୁ ଡାକି କଲେ ଏସିଡ୍‍ ମାଡ

କଟକ ଅଫିସ,୨୭।୧୧- ଜଗତପୁର ଥାନା ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ପ୍ରେମରେ ବିଫଳ ହେବା ପରେ ପ୍ରେମିକା ପ୍ରତିଶୋଧ ପରାୟଣ ହୋଇ ପ୍ରେମିକଙ୍କ ମୁହଁରେ ଏସିଡ୍‌ ପକାଇଛନ୍ତି । ଏଥିରେ ଯୁବକଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ହେଉଛନ୍ତି ଜଗତପୁର ଥାନା ଅନ୍ତର୍ଗତ ବାରିକ ସାହିର ଅଲେଖ ବାରିକ(୨୪)। ଅଲେଖଙ୍କୁ ଗୁରୁତର ଅବସ୍ତାରେ ଏସ୍‌ସିବି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ସମ୍ପୃକ୍ତ ଯୁବତୀ ପାୟଲ ନାୟକ(୨୦) ଓ ତାଙ୍କ ପରିବାରଲୋକଙ୍କୁୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

ସୂଚନାନୁଯାୟୀ, ଅଲେଖଙ୍କ ବିବାହ ଅନ୍ୟତ୍ର ଠିକ୍‌ ହୋଇଯିବା କଥା ପାୟଲ ଜାଣିବାକୁ ପାଇଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ପାୟଲ ତାଙ୍କୁ ଏସିଡ୍‌ ମାଡ କରିବାକୁ ଷଡଯନ୍ତ୍ର ରଚିଥିଲେ । ଜଗତପୁର ଅଞ୍ଚଳରେ ଅଲେଖଙ୍କର ଏକ ସେଲୁନ୍‌ ରହିଛି । ସବୁଦିନ ପରି ଅଲେଖ ସେଲୁନ ବନ୍ଦ କରି ଫେରୁଥିଲେ। ଏହି ସମୟରେ ପାୟଲ ଅଲେଖଙ୍କୁ ଫୋନକରି ଦେଖାକରିବାକୁ ତାଙ୍କ ଘର ନିକଟକୁ ଡାକିଥିଲେ। ମଙ୍ଗଳବାର ରାତି ପ୍ରାୟ ୧୧ଟା ସମୟରେ ଅଲେଖ ପାୟଲଙ୍କ ଘର ନିକଟରେ ପହଞ୍ଚିଥିଲେ। ପାୟଲଙ୍କ ଘର ନିକଟରେ ଦୁହେଁ ଛିଡା ହୋଇ କଥା ହେଉଥିବା ସମୟରେ ଅଲେଖଙ୍କ ଅନ୍ୟତ୍ର ବିବାହ ଘଟଣା ନେଇ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତେବେ ପାଟିତୁଣ୍ଡ ଚାଲିଥିବା ବେଳେ ଘଟଣା ସ୍ଥଳରେ ପାୟଲଙ୍କ ବାପା ଓ ମା’ ଆସି ପହଞ୍ଚିଥିଲେ। ଏହି ସମୟରେ ହଠାତ୍‌ ପାୟଲ ଅଲେଖଙ୍କ ଉପରକୁ ଏସିଡ୍‌ ମାଡ କରିଥିଲେ ବୋଲି ଆହତ ଅଲେଖ କହିଛନ୍ତି। ଏସିଡ୍‌ ମାଡ ପରେ ଗୁରୁତର ଅବସ୍ଥାରେ ଅଲେଖ ରାସ୍ତାରେ ପଡ଼ି ଛଟପଟ ହେଉଥିବା ବେଳେ ସ୍ଥାନୀୟଲୋକେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଖବର ପାଇ ଅଲେଖଙ୍କ ପରିବାର ଲୋକ ଡାକ୍ତରଖାନାରେ ପହଞ୍ଚିଥିଲେ । ଏନେଇ ବୁଧବାର ସକାଳେ ଅଲେଖଙ୍କ ବଡ଼ ଭାଇ ଜଗତପୁର ଥାନାରେ ଅଭିଯୋଗ କରିଥିଲେ।