ପ୍ରାଥମିକ ବିଦ୍ୟାଳୟକୁ ହାଇସ୍କୁଲରେ ମିଶ୍ରଣ ଦାବି

ବନ୍ତଳା,୩।୧୨(ଡି.ଏନ.ଏ.)

ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ମିଶାଇବା ପାଇଁ ସୋମବାର ଜିଲାପାଳଙ୍କ ନିକଟରେ ଗ୍ରାମର ଯୁବକମାନେ ଦାବି କରିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ଗ୍ରାମରେ ଖେଳ ପଡିଆ ନ ଥିବାରୁ ଉକ୍ତ ବିଦ୍ୟାଳୟ ଖେଳ ପଡିଆରେ ଗ୍ରାମର ଯୁବକମାନେ ଖେଳନ୍ତି। ଏଥିସହିତ ପ୍ରତିବର୍ଷ ଉକ୍ତ ପଡିଆରେ ଆର୍ମି, ପୋଲିସ, ଫରେଷ୍ଟ, ନାଭାଲ, ଏୟାରଫୋର୍ସ ଆଦିରେ ନିଯୁକ୍ତି ନିମନ୍ତେ ଶାରୀରିକ ପରୀକ୍ଷା ଅନୁଷ୍ଠିତ ହୋଇଥାଏ। କିନ୍ତୁ ଏବେ ଉକ୍ତ ପଡ଼ିଆ ଜବରଦଖଲରେ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେହିପରି ପୋକତୁଙ୍ଗା ହାଇସ୍କୁଲରେ ଉକ୍ତ ବିଦ୍ୟାଳୟକୁ ମିଶାଇବା ପାଇଁ ୨୦୧୯ ଫେବୃୟାରୀରେ ଗ୍ରାମର ୨ ହଜାରରୁ ଊଦ୍ଧର୍‌ବ ଗ୍ରାମବାସୀ ଓ ଅଭିଭାବକ ଦସ୍ତଖତ ସମ୍ବଳିତ ଅଭିଯୋଗପତ୍ର ଜିଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ, ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଦେଇଥିଲେ। ପରେ ଜିଲା ଶିକ୍ଷା ଅଧିକାରୀ ଚିଠି ନଂ. ୧୮୫୩/୧୯.୨.୧୯ରେ ଜିଲା ପ୍ରକଳ୍ପ ଅଧିକାରୀ ସର୍ବଶିକ୍ଷା ଅଭିଯାନ, ପରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ୮୬୨୬/ତା ୨୯।୦୮।୧୯ରେ ଚିଠି କରାଯାଇଥିଲା। ହେଲେ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ। ତୁରନ୍ତ ପଦକ୍ଷେପ ନେବା ପାଇଁ ପିତାମ୍ବର ପ୍ରଧାନ, ଅଶୋକ ପ୍ରଧାନ, ସୁଲଭ ଦେହୁରୀ, ଶେଖର ଦେହୁରୀ, ବିଜୟ କେତନ ପ୍ରଧାନ, ଗିରିଶ ଚନ୍ଦ୍ର ପ୍ରଧାନ, ଶୁଭ୍ରକାନ୍ତ ସାହୁ, ଉପେନ୍ଦ୍ର ଦେହୁରୀ, ସୁକାନ୍ତ ଦେହୁରୀ, ପ୍ରଭଞ୍ଜନ ସାହୁଙ୍କ ସମେତ ସମସ୍ତ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ଜିଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା କହିଛନ୍ତି, ୭ ଦିନ ମଧ୍ୟରେ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ।