Categories: ଫୁରସତ

ପ୍ରାକୃତିକ ପରିବେଶ ମୋତେ ବିଭୋର କରେ

ବରଗଡ଼ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ। ୨୦୧୪ରୁ ସେ ଏହି ପଦବୀରେ ଅବସ୍ଥାପିତ। ୨୦୧୫ରୁ ତତ୍କାଳୀନ ଜିଲାପାଳ ଅଞ୍ଜନ କୁମାର ମାଣିକଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତଭାବେ ଜିଲା ସଂସ୍କୃତି ଅଧିକାରୀ ଦାୟିତ୍ୱ ସେ ସମ୍ଭାଳିଛନ୍ତି। ଜିଲାରେ ଏହି ଉଭୟ ପଦବୀରେ ଜଣେ ମହିଳା ଅଧିକାରୀଭାବେ ଅବସ୍ଥାପିତ ଦାଶଙ୍କ କଥା ଏଥରର ନିଜକଥା ସ୍ତମ୍ଭରେ..।

ଆପଣଙ୍କ ସକାଳ କେମିତି ଆରମ୍ଭ ହୁଏ ?
*ସକାଳ ୫ଟାରୁ ଶଯ୍ୟାତ୍ୟାଗ କରେ। ସୂର୍ଯ୍ୟଙ୍କ ଦର୍ଶନ ସହ ଆରମ୍ଭ ହୁଏ ଦିନଚର୍ଯ୍ୟା। ନିତ୍ୟକର୍ମ ସହ ଗୃହକର୍ମ ପରେ ପୂଜା ଆରମ୍ଭ କରେ। ଜଳଖିଆ ଖାଇ ସାରିବା ପରେ ଅଫିସ ଆସେ।
କେଉଁ ଖାଦ୍ୟ ଖାଇବାକୁ ଆପଣ ପସନ୍ଦ କରନ୍ତି?
*ମୁଁ ଶାକାହାରୀ। ବାହାର ଖାଦ୍ୟକୁ ଆଦୌ ପସନ୍ଦ କରେ ନାହିଁ।
ପ୍ରଥମ ଦରମା କ’ଣ କରିଥିଲେ ?
*ସର୍ଭିସ କଲାବେଳେ ମୁଁ କେଉଁଝର ଜିଲା ଆନନ୍ଦପୁରସ୍ଥିତ ଯୁଗ ନିର୍ମାଣ ସଂଗଠନ, ଓଡ଼ିଶା ଗାୟତ୍ରୀ ଆଶ୍ରମରେ ରହୁଥିଲି। କେବଳ ପ୍ରଥମ ଦରମା ନୁହେଁ, ଚାକିରି ଆରମ୍ଭରୁ ୨୦୦୧ ମସିହା ପର୍ଯ୍ୟନ୍ତ ମୋର ଦରମାରୁ ନିଜ ଖର୍ଚ୍ଚ ପାଇଁ ମାତ୍ର ୧ ହଜାର ଟଙ୍କା ହାତରେ ରଖି ବଳକା ଟଙ୍କା ସେହି ଆଶ୍ରମ ଖର୍ଚ୍ଚରେ ବିନିଯୋଗ କରି ଆସିଥିଲି।
ଆପଣଙ୍କ ସଉକ କ’ଣ ?
*ବହି ପଢ଼ିବା, କବିତା ଲେଖିବା, ବୁଲାବୁଲି କରି ପ୍ରାକୃତିକ ପରିବେଶକୁ ଉପଭୋଗ କରିବାକୁ ମୁଁ ଭଲ ପାଏ।
ସିନେମା ଦେଖନ୍ତି କି ?
* ବେଳେବେଳେ ସିନେମା ଦେଖେ। ହେଲେ ଗୀତ ଶୁଣିବାକୁ ବହୁତ ଭଲ ପାଏ।
ସ୍ବାମୀଙ୍କ କେଉଁ ଗୁଣ ଆପଣଙ୍କୁ ଭଲ ଲାଗେ ?
*ସ୍ବାମୀଙ୍କ ପଢ଼ିବା, ଲେଖାଲେଖି ପ୍ରତି ଆଗ୍ରହକୁ ମୁଁ ଭଲ ପାଏ।
 ଏକ ସରକାରୀ ସ୍କୁଲ୍‌କୁ ୧ ଲକ୍ଷ ଟଙ୍କା ଦାନ କରି ଆପଣ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି, ଏ ସମ୍ପର୍କରେ କ’ଣ କହିବେ ?
* ମା’ଯମୁନା ଦାଶଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ତାଙ୍କ ନାମରେ ମୁଁ ଆନନ୍ଦପୁର ସରକାରୀ ବାଳିକା ହାଇସ୍କୁଲରେ ଛାତ୍ରୀ କମନ ରୁମ୍‌ ନିର୍ମାଣ ପାଇଁ ୧ ଲକ୍ଷ ଟଙ୍କା ଓ ଗରିବ ଛାତ୍ରୀଙ୍କୁ ପ୍ରତିବର୍ଷ ମେଧାବୃତ୍ତି ଦେବା ପାଇଁ ଆହୁରି ୨୫ହଜାର ଟଙ୍କା ପ୍ରଦାନ କରିଛି।

Share