ପ୍ରସିଦ୍ଧ ଚୁଇ ମିକ୍ସଚର ଦେଇଛି ପରିଚୟ

କେନ୍ଦୁଝର, ୧୩ା୬ (ସ୍ବ.ପ୍ର.) କେନ୍ଦୁଝର ସହର ଗାନ୍ଧୀ ଛକ ନିକଟ ମ୍ୟୁନିସିପାଲିଟି ମାର୍କେଟରେ ରହିଛି ଚୁଇ ମିକ୍ସଚର ଦୋକାନ ।ଦୋକାନ କହିଲେ ଏକ ଠେଲା ଦୋକାନ । ତାଙ୍କ ଭଲ ନାମ ରଘୁନାଥ ବେହେରା। ଡାକ ନାମ ଚୁଇ। କିନ୍ତୁ ଚୁଇ ମିକ୍ସଚର ଠେଲା ଭାବେ ସହରରେ ବେଶ୍‌ ଜଣାଶୁଣା। ବିଭିନ୍ନ ପ୍ରକାରର ମିକ୍ସଚର, ଗାଣ୍ଠିଆ, ସେଉ, ନିମିକି, ବାଦାମ ପକୋଡା ଆଦି ନିଜେ ଘରେ ପ୍ରସ୍ତୁତ କରନ୍ତି। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଠେଲା ଧରି ଉକ୍ତ ସ୍ଥାନରେ ଆଣି ବିକ୍ରି କରନ୍ତି। ସେହିପରି ଅନେକ ମୁଢି ମିକ୍ସଚର ଖାଇବାକୁ ଆସିଥାନ୍ତି। ଏଣୁ ସନ୍ଧ୍ୟାରେ ତାଙ୍କ ଠେଲାରେ ଲୋକଙ୍କର ବେଶ୍‌ ଭିଡ ଜମେ ା ଭଲ ବେସନ, ମଇଦା ଓ ତେଲରେ ପ୍ରସ୍ତୁତ କରୁଥିବାରୁ ଲୋକଙ୍କ ବିଶ୍ୱାସ ଏବଂ ଚାହିଦା ରହିଛି ବୋଲି ଚୁଇ କୁହନ୍ତି। ସାଦା ମିକ୍ସଚର, ରାଗ ମିକ୍ସଚର, ମିଠା ମିକ୍ସଚର ସମସ୍ତଙ୍କ ପ୍ରିୟ ।
ଲୋକଙ୍କ ସ୍ବାସ୍ଥ୍ୟକୁ ଦେଖି ମିକ୍ସଚର ପ୍ରସ୍ତୁତ କରିଥାନ୍ତି ବୋଲି କୁହନ୍ତି। କେନ୍ଦୁଝର ସହର ହାତିଆଟାଙ୍ଗରରେ ଚୁଇଙ୍କ ଘର ା ତାଙ୍କର ସ୍ତ୍ରୀ ଓ ୨ ପୁଅ ଅଛନ୍ତି। ବଡ ଯୁକ୍ତ ୨ ସରିଥିବା ବେଳେ ସାନ ପୁଅ ଅଷ୍ଟମରେ ପଢୁଛନ୍ତି ା ସେ ୧୯୮୫ ମସିହାରୁ ମିକ୍ସଚର ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିବା କୁହନ୍ତି ା ସକାଳୁ ଘରେ ମିକ୍ସଚର ପାଇଁ ଆବଶ୍ୟକ ସାମଗ୍ରୀ ଓ ଅନ୍ୟାନ୍ୟ ଗାଣ୍ଠିଆ, ସେଉ ଆଦି ଛଣାଛଣି କରିଥାନ୍ତି। ତାଙ୍କର ମିକ୍ସଚରର ସ୍ବାଦ ପାଇଁ ସମସ୍ତେ ଧାଇଁ ଆସନ୍ତି। ପେଟ ଖରାପ ହୁଏ ନାହିଁ ବୋଲି ନିୟମିତ ଖାଉଥିବା ଗ୍ରାହକ କୁହନ୍ତି। ବହୁ ବର୍ଷ ହେଲା ଏହି ବ୍ୟବସାୟ କରିଆସୁଥିଲେ ହେଁ ତାଙ୍କୁ ପୌରପାଳିକା ପକ୍ଷରୁ ସ୍ଥାୟୀ ଦୋକାନ ଗୃହ ଟିଏ ମିଳୁ ନ ଥିବାରୁ ସେ ଦୁଃଖ ପ୍ରକାଶ କରି କହିଛନ୍ତି। ସକାଳୁ ଉଠି ନିତ୍ୟକର୍ମ ସାରି ମିକ୍ସଚର ପ୍ରସ୍ତୁତ କରିବାରେ ଲାଗିଥାନ୍ତି। ଏଥିପାଇଁ ଆବଶ୍ୟକ ସାମଗ୍ରୀ ବଜାରକୁ କିଣିବା ପରେ ଘରେ ଏହାର ପ୍ରସ୍ତୁତ କରିଥାନ୍ତି। ସ୍ତ୍ରୀ ତାଙ୍କୁ ଏହି କାମରେ ସହାୟତା କରିଥାନ୍ତି। ପ୍ରସ୍ତୁତ ବେଳେ ଭାଗମାପକୁ ଅଧିକ ଧ୍ୟାନ ଦେଇଥାନ୍ତି। ସେ ସର୍ବଦା ସୂର୍ଯ୍ୟମୁଖୀ ତେଲରେ ଛାଣିଥାନ୍ତି ବୋଲି କୁହନ୍ତି। ଏଣୁ ଅଧିକ ଦାମ୍‌ ହେଲେ ମଧ୍ୟ ତାଙ୍କ ଠାରୁ ବହୁ ଲୋକ କିଣିଥାନ୍ତି ।