ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର: ବାହାର ରାଜ୍ୟରୁ ଫେରି ବେଧଡ଼କ ବୁଲୁଛନ୍ତି ଦାଦନ ଶ୍ରମିକ

ଦାରିଙ୍ଗବାଡ଼ି,୨୬।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ କରୋନା ମୁକାବିଲା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି। ହେଲେ ବିଭିନ୍ନ ଗାଁ ଦାୟିତ୍ୱରେ ରହିଥିବା କର୍ମଚାରୀଙ୍କ ତଦାରଖ ଅଭାବରୁ କିଛିଦିନ ହେଲା ବାହାର ରାଜ୍ୟ ତଥା କେରଳ, ତାମିଲନାଡୁ, କର୍ଣ୍ଣାଟକ ଆଦି ରାଜ୍ୟରୁ ଫେରିଥିବା ଦାଦନଙ୍କୁ ସ୍ବାସ୍ଥ୍ୟପରୀକ୍ଷା ପରେ ଆଇସୋଲେଶନ ୱାର୍ଡ଼ କିମ୍ବା ନିଜ ଘରେ ୧୪ ଦିନ ପର୍ଯ୍ୟନ୍ତ ରହିବାକୁ କୁହାଯାଇଥିଲେ ସୁଦ୍ଧା ପ୍ରଶାସନର ପରାମର୍ଶକୁ ବେଖାତିର କରି ବେଧଡ଼କ ବୁଲାବୁଲି କରୁଛନ୍ତି। ଫଳରେ ଏନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯିବା ସହ ଗୁରୁବାର ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ଅନ୍ତରଙ୍ଗ ଯୁବସଂଘ ପକ୍ଷରୁ କନ୍ଧମାଳ ଜିଲାପାଳଙ୍କୁ ଏହି ବାବଦରେ ଅବଗତ କରାଯାଇଛି। ଯେଉଁମାନେ ପ୍ରଶାସନର ପରାମର୍ଶ ନ ଶୁଣି ବାହାରେ ବୁଲୁଛନ୍ତି ସେମାନଙ୍କ ନାମ ଜିଲା ପୋଲିସଙ୍କୁ ଜଣାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କନ୍ଧମାଳ ଜିଲାପାଳ ଡ.ବୃନ୍ଦା ଡି କହିଛନ୍ତି। ଏସମ୍ପର୍କରେ ଅବଗତ କରାଯାଇଥିବା ଲୋକଙ୍କ ନାମ ଗୋପନ ରଖାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।