ପ୍ରଶାସନର ନଜର ଆଢୁଆଳରେ :ଐତିହ୍ୟ ସମ୍ପନ୍ନ ନୀଳମାଧବ ଜୀଉଙ୍କ ଦଶହରା ପଡ଼ିଆ

ଖଣ୍ଡପଡ଼ା,୨ା୯(ସ୍ବ.ପ୍ର.): ଜଗନ୍ନାଥ ସଂସ୍କୃତିର ଆଦିପୀଠ ଭାବରେ କଣ୍ଟିଲୋର ଶ୍ରୀ ନୀଳମାଧବ ପୀଠ ସର୍ବଜନ ବିଦିତ। ପୁରୀ ଶ୍ରୀମନ୍ଦିର ପୂଜାନୀତି ସହ ଏହି ମନ୍ଦିର ପୂଜା ନୀତି ମଧ୍ୟରେ ସାମଞ୍ଜସ୍ୟ ରହିଛି ା ଶ୍ରୀ ମନ୍ଦିରରେ ପାଳିତ ହେଉଥିବା ବିଭିନ୍ନ ଯାନିଯାତ୍ରା ମଧ୍ୟ ଏଠାରେ ପାଳିତ ହୋଇଥାଏ ା ପରମ୍ପରା କ୍ରମେ ଦଶହରା ଅନୁକୂଳ ପାଇଁ ଠାକୁର ସୁସଜ୍ଜିତ ବିମାନରେ ଦଶହରା ପଡିଆକୁ ବିଜେ ହୋଇଥାନ୍ତି ା ମାତ୍ର ଐତିହ୍ୟ ସମ୍ପନ୍ନ ଏହି ପଡ଼ିଆ ଏବେ ପ୍ରଶାସନର ନଜର ଆଢୁଆଳରେ ରହିଯାଇଛି।
ନୀଳମାଧବ ଜୀଉ ମନ୍ଦିର ପୂର୍ବପାର୍ଶ୍ୱ ମହାନଦୀ ଓ କମେଇ ନଦୀର ସଂଯୋଗ ସ୍ଥଳରେ ରାଜାରାଜୁଡ଼ା ଅମଳରୁ ଯୁଦ୍ଧକୌଶଳ ଅଭ୍ୟାସ ପାଇଁ ଏକ ପଡିଆ ରହିଥିଲା। ରାଜାମାନେ ସେମାନଙ୍କ ରାଜ୍ୟ ତଥା ଗଡ଼ଜାତକୁ ସୁରକ୍ଷିତ ରଖିବା ପାଇଁ ସୀମାରେ ସୈନ୍ୟମାନଙ୍କ ରହିବା ବ୍ୟବସ୍ଥା କରିଥାନ୍ତି। ଏଥିପାଇଁ ଖଣ୍ଡାୟତ ଓ ପାଇକମାନଙ୍କୁ କମେଇ ନଦୀପାର୍ଶ୍ୱ ଏକ ପଡାରେ ରହିବା ବ୍ୟବସ୍ଥା କରିଥିଲେ। ଏହି ସମ୍ପ୍ରଦାୟର ଲୋକେ ମହାନଦୀ ଓ କମେଇ ନଦୀ ସଂଗମ ସ୍ଥଳରେ ଦଶହରାରେ ନୀଳମାଧବ ଜୀଉଙ୍କ ଚଳନ୍ତି ପ୍ରତିମାଙ୍କୁ ବିଜେ କରାଇ ରଣ କୌଶଳ ଶିକ୍ଷାର ଶୁଭାରମ୍ଭ କରୁଥିଲେ। ମାତ୍ର କାଳକ୍ରମେ ଉକ୍ତ ସମ୍ପ୍ରଦାୟ ଲୋପ ପାଇଯାଇଥିବା ବେଳେ ପରମ୍ପରା କ୍ରମେ ଦଶହରାରେ ଠାକୁର ଏହି ପଡ଼ିଆକୁ ସନ୍ଧ୍ୟାଧୂପ ପରେ ଘଣ୍ଟ, ଘଣ୍ଟା, କାହାଳି, ମୃଦଙ୍ଗ, ଛତ୍ରୀ, ମଶାଲ, ସଂକୀର୍ତ୍ତନ ଓ ପାଟପଟୁଆର ସହିତ ବିଜେ କରିଥାନ୍ତି ା ନୀଳମାଧବ ଜୀଉଙ୍କ ଚଳନ୍ତି ପ୍ରତିମା ମଦନମୋହନ ଜୀଉ ସନ୍ଧ୍ୟାରେ ମନ୍ଦିର ବେଢା ପରିକ୍ରମା କରି ସିଂହଦ୍ୱାର, କଣ୍ଟିଲୋ ଫକୀର ଅତବୁଦ୍ଧି ପାଟଣା ପରେ ମାଳବନ୍ଧ ଦେଇ ଦଶହରା ପଡିଆକୁ ବିଜେ ହୋଇଥାନ୍ତି ା ହେଲେ ଆଲୋକ ବ୍ୟବସ୍ଥା ନ ଥିବାରୁ ରାତିରେ ଏହି ମାଳବନ୍ଧ ଉପରେ ଯାତାୟାତ କରିବା ନିରାପଦ ନୁହେଁ। ଗୋଟିଏ ଦିନ ହେଲେ ମଧ୍ୟ ଠାକୁର ଦଶହରାରେ ଏହି ମାଳବନ୍ଧ ଦେଇ ଦଶହରା ପଡିଆକୁ ବିଜେ ହେବା ସମୟରେ ବିଦ୍ୟୁତ୍‌ ଆଲୋକ ବ୍ୟବସ୍ଥା କରାଯିବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ବିଶେଷ କରି ଠାକୁର ଏହି ପଡିଆକୁ ବିଜେ ହେଉଥିବାରୁ ସେଠାରେ ଏକ ସ୍ଥାୟୀ ବେଦୀ ନିର୍ମାଣ କରାଯିବା ଆବଶ୍ୟକ। ଦେବୋତ୍ତର ବିଭାଗର ଅଣଦେଖା ଯୋଗୁ ଠାକୁର ଗୋଟିଏ ଦିନ ଏହି ପଡିଆକୁ ଆସୁଥିବାରୁ ବର୍ଷର ଅନ୍ୟ ଦିନଗୁଡିକରେ ପଡିଆଟି ଅପାନ୍ତେୟ ହୋଇ ପଡିରହିଛି ା ଆସନ୍ତା ଅକ୍ଟୋବର ୭ ତାରିଖରେ ଠାକୁର ଏହି ସ୍ଥାନକୁ ବିଜେ ହେବେ ା ଏଥିପାଇଁ ଉକ୍ତ ସ୍ଥାନର ସଫାସୁତୁରା ସହ ମାଳବନ୍ଧର ରକ୍ଷଣାବେକ୍ଷଣର ଆବଶ୍ୟକତା ରହିଛି ା ତେବେ ମାଳବନ୍ଧର ଆବଶ୍ୟକ ମରାମତି ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ କଣ୍ଟିଲୋ ଜଳ ସମ୍ପଦ ବିଭାଗୀୟ ଅଧିକାରୀ ଶଙ୍କର ଦଳେଇ ସୂଚନା ଦେଇଛନ୍ତି ା ଏ ସମ୍ପର୍କରେ ଖଣ୍ଡପଡା ଅତିରିକ୍ତ ତହସିଲଦାର ତଥା ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରୀ ସଞ୍ଜୟ କୁମାର ସାମନ୍ତରାୟଙ୍କୁ ପଚାରିବାରୁ ସେ କହିଥିଲେ, ଦେବୋତ୍ତର ମ୍ୟାନେଜର ଲିଖିତ ଭାବେ ଜଣାଇଲେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।