ପ୍ରଶାସନର ଦୃଷ୍ଟି ଆଢୁଆଳରେ ଶୈବପୀଠ : ଯେଉଁଠି କଳା ପଥର ପାଲଟେ ଧଳା

ନୟାଗଡ଼ ଅଫିସ,୧୧ା୧୧: ନୟାଗଡ଼ ଜିଲା ସଦର ବ୍ଲକ ବିରୁଡ଼ା ପଞ୍ଚାୟତ ବାଘେରା ଗ୍ରାମସ୍ଥିତ ଶ୍ରୀଶ୍ରୀ ଧବଳେଶ୍ୱର ମହାଦେବ ବିଜେ ମନ୍ଦିର ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଛି। ରାଜାରାଜୁଡ଼ା ଅମଳରୁ ପ୍ରତିଷ୍ଠିତ ମନ୍ଦିରର ଯେଉଁଭଳି ଉନ୍ନତି ହେବା କଥା ତାହା ହୋଇନାହିଁ। ପାହାଡ଼ ଉପରେ ଥିବା ମନ୍ଦିରରେ ଧବଳେଶ୍ୱର ମହାଦେବ ପୂଜା ପାଉଛନ୍ତି। କିମ୍ବଦନ୍ତୀ ଅନୁସାରେ, ବହୁବର୍ଷ ତଳେ ଜଣେ ଗୋପାଳ ଗାଈ ଚରାଇବାକୁ ନେଉଥିବା ବେଳେ ଗାଈଟି ପ୍ରତିଦିନ ପାହାଡ଼ ଉପରକୁ ଚାଲିଯାଏ। ସନ୍ଧ୍ୟାରେ ସେ ଯେତେବେଳେ ଗାଈଠାରୁ କ୍ଷୀର ଦୁହେଁ କ୍ଷୀର ବାହାରେ ନାହିଁ। ଏହିଭଳି କିଛିଦିନ ଗଲା ପରେ ଗୋପାଳ ଜଣକ ଗାଈର ପିଛା କରି ପାହାଡ଼ ଉପରକୁ ଯାଇ ଏକ ଗଛମୂଳେ ଛପିରହିଥିଲେ। ସେଠାରେ ଥିବା ଏକ ଲିଙ୍ଗ ଉପରେ ଗାଈ ପହ୍ନାରୁ କ୍ଷୀର ବାହାରି ପଡୁଥିବା ଦେଖିଥିଲେ। ଘଟଣା ସମ୍ପର୍କରେ ସେ ଗ୍ରାମବାସୀଙ୍କୁ କହିବା ପରେ ସେତେବେଳର ରାଜା ସେଠାରେ ଧବଳେଶ୍ୱର ମନ୍ଦିର ପ୍ରତିଷ୍ଠା କରିଥିଲେ। ସେହିଦିନଠାରୁ ପାହାଡ଼ର ନାମ ଧବଳେଶ୍ୱର ରଖାଯାଇଥିଲା। ଉକ୍ତ ପାହାଡ଼ର କୌଣସି ସ୍ଥାନରେ କଳା ପଥର ନ ଥିବା ଦେଖାଯାଇଛି। ଯଦି କେହି ପାହାଡ଼ରେ କଳା ପଥର ନେଇ ରଖେ ତେବେ ପଥରଟି କିଛିଦିନ ପରେ ଧଳା ପାଲଟିଯାଏ ବୋଲି ମନ୍ଦିର କମିଟି ସଦସ୍ୟ ପ୍ରଭାତ କୁମାର ମହାପାତ୍ର ପ୍ରକାଶ କରିଛନ୍ତି। କାର୍ତ୍ତିକ ମାସର ପ୍ରତ୍ୟେକ ସୋମବାର ଏଠାରେ ଭିଡ଼ ଜମେ। ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ଦର୍ଶନ କରିବା ସହିତ ଏଠାରେ ପଡ଼ିଥିବା ମେଳାରେ ଘରକରଣା ଜିନିଷ କିଣିବାର ମଜା ନିଅନ୍ତି। ମନ୍ଦିରରେ ଠିଆହୋଇ ତଳକୁ ଦେଖିଲେ ନିମ୍ନଭାଗର ସବୁଜ ବନାନୀ ଓ ପ୍ରାକୃତିକ ଶୋଭା ବେଶ୍‌ ମନଲୋଭା ଦୃଶ୍ୟ ହୁଏ। କେବଳ କାର୍ତ୍ତିକ ମାସ ନୁହେଁ, ବଡ଼ଓଷା, ଜାଗର ଓ ଦୋଳପୂର୍ଣ୍ଣିମାରେ ମଧ୍ୟ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ। ଜିଲା ଓ ଜିଲା ବାହାରୁ ଶ୍ରଦ୍ଧାଳୁମାନେ ଆସି ଠାକରୁଙ୍କ ଆଶୀର୍ବାଦ ନେବା ସହିତ ପ୍ରାକୃତିକ ପରିବେଶକୁ ଉପଭୋଗ କରନ୍ତି। ମନ୍ଦିରକୁ ଯିବା ପାଇଁ ହେଲେ ୪୧୧ ପାହାଚ ଚଢ଼ିବାକୁ ପଡ଼େ। ୬୦ ଜଣ ସେବାୟତ ପରିବାର ଦ୍ୱାରା ମନ୍ଦିର ପରିଚାଳିତ। ଠାକୁରଙ୍କ ଜମିରୁ ଯାହା ଆୟ ହେଉଛି ସେଥିରେ ମନ୍ଦିରର ନୀତି କାର୍ଯ୍ୟ ସମ୍ପନ୍ନ ହେଉଛି। ଜଣେ ଭକ୍ତଙ୍କ ଦ୍ୱାରା ୨ ମାସ ତଳେ ମନ୍ଦିରର ମୁଖଶାଳା ତିଆରି ହୋଇଥିବା ବେଳେ ଅନ୍ୟଜଣେ ଭକ୍ତ ପାନୀୟ ଜଳର ବନ୍ଦୋବସ୍ତ କରିଛନ୍ତି। ପ୍ରାଚୀନ କାଳର ଏହି ମନ୍ଦିରର ଉନ୍ନତି କରିବା ସହିତ ଏହାକୁ ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।