ପ୍ରଶଂସା ସାଉଣ୍ଟୁଛି ଆସାଦ୍‌ଙ୍କ ‘ଆଫିୟାନ୍ସ’

କଟକ ଅଫିସ,୩୦ା୧୧: ଆଜି କଟକ ସହରକୁ ଓଡ଼ିଆ ସଙ୍ଗୀତର ଅନ୍ତୁଡ଼ିଶାଳ ବୋଲି କୁହାଯାଉଛି। ହେଲେ ୮୦ ଦଶକ ପୂର୍ବରୁ ଏଭଳି ଚିତ୍ର ନ ଥିଲା। ସେତେବେଳେ କୋଲକାତା, ମାଡ୍ରାସ ଓ ବମ୍ବେ ସହର ଉପରେ ଓଡ଼ିଶା ସଙ୍ଗୀତ ଜଗତ ଭରସା କରୁଥିଲା। ତେବେ ଆକାଶବାଣୀ କେନ୍ଦ୍ରରେ ଯେଉଁ କାର୍ଯ୍ୟକ୍ରମମାନ ହେଉଥିଲା ତାହା କେନ୍ଦ୍ରର ନିଜସ୍ବ ଷ୍ଟୁଡିଓରେ ହୁଏ। ଏଣୁ ବ୍ୟବସାୟିକ ଗୀତଟିଏ ତିଆରି କରିବାକୁ ହେଲେ ୧୫/୨୦ଦିନ ସମୟ ନେଇ କଳାକାରମାନେ ରାଜ୍ୟ ବାହାରକୁ ଯାଉଥିଲେ। ପ୍ରାୟ ୮୦ ଦଶକରେ କଟକର ଶେଲ୍ଟରଛକରେ ପ୍ରଥମେ ବ୍ୟବସାୟିକ ଷ୍ଟୁଡିଓ ଖୋଲିଲା। ଆଉ ଏବେ ସହରରେ ୧୦ରୁ ଊର୍ଦ୍ଧ୍ୱ ମ୍ୟୁଜିକ ଷ୍ଟୁଡିଓ। ହେଲେ ଏହି ଭିଡ଼ ଭିତରେ କେଶରପୁରସ୍ଥିତ ‘ଆଫିୟାନ୍ସ ଷ୍ଟୁଡିଓ’ ନିଜର ଭିନ୍ନ ଏକ ପରିଚୟ ସୃଷ୍ଟି କରିପାରିଛି।
ଗତଦୁଇବର୍ଷ ଭିତରେ ଓଡ଼ିଆ ସଙ୍ଗୀତପ୍ରେମୀଙ୍କୁ ଅନେକ ସୁପର୍‌ହିଟ୍‌ ଗୀତ ଦେଇଛି ‘ଆଫିୟାନ୍ସ ଷ୍ଟୁଡିଓ’। ଷ୍ଟୁଡିଓର ଲୋକପ୍ରିୟତା ଏବଂ ସଫଳତାର କାହାଣୀ ଜାଣିବାକୁ ‘ଧରିତ୍ରୀ’ ଯେତେବେଳେ ଏହାର ପ୍ରାଙ୍ଗଣରେ ପହଞ୍ଚିଥିଲା, ସେତେବେଳେ ସଙ୍ଗୀତ ଆସର ଜମିଥିଲା। ଚାଲିଥିଲା ଜାମ୍ମିଂ ବା ମ୍ୟୁଜିକ୍‌ ବୈଠକ। ସଙ୍ଗୀତ ନିର୍ଦ୍ଦେଶକ ତଥା ଷ୍ଟୁଡିଓର ମାଲିକ ଆସାଦ୍‌ ନିଜାମ, କିବୋର୍ଡ ପ୍ଲେୟାର ସୌମ୍ୟ ସାହୁ, ବରିଷ୍ଠ ତାବଲା ବାଦକ ଟୁଲା ଓ କଣ୍ଠଶିଳ୍ପୀ ମାଧବ ଦାସ ନୂଆ ଗୀତ ତିଆରିରେ ବ୍ୟସ୍ତ ଥିଲେ। ରୁଦ୍ରାଳି ଫିଲ୍ମ ବ୍ୟାନରରେ ରାଜା ଦାସଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ଓଡ଼ିଆ ଚଳଚ୍ଚିତ୍ର ‘ରାଜା-ସାହିବା’ର ଏକ ଗୀତ ପ୍ରସ୍ତୁତିରେ ସମସ୍ତେ ହଜିଯାଇଥାନ୍ତି। ତପୁ ନାୟକଙ୍କ ରଚିତ ଏହି ଗୀତର ଶୀର୍ଷକ ହେଉଛି ‘ଆଜି ମୋ ପାଖେ ଆସିଛି ଜହ୍ନ’। ଗୀତର ମୁଖୁଡ଼ା କାର୍ଯ୍ୟ ଶେଷ ହୋଇଥିବାବେଳେ ଇଣ୍ଟରଲ୍ୟୁଡ୍‌ଟି କିପରି ଭଲ ଶୁଭିବ ସେ ନେଇ ଆଲୋଚନା ହେଉଥିଲା।
୨୦୧୨ରେ ଆସାଦ୍‌ ଏହି ଷ୍ଟୁଡିଓର କଳ୍ପନାକୁ ବାସ୍ତବ ରୂପ ଦେଇଥିଲେ। ଚର୍ଚ୍ଚିତ ସଙ୍ଗୀତ ନିର୍ଦ୍ଦେଶକ ଆସାଦ୍‌ଙ୍କ ଆଉ ଏକ ପରିଚୟ ହେଉଛି, ସେ ବିଶିଷ୍ଟ ଗୀତିକାର ନିଜାମ୍‌ଙ୍କ ସୁପୁତ୍ର। ୨୦ରୁ ଊର୍ଦ୍ଧ୍ୱ ଓଡ଼ିଆ ଚଳଚ୍ଚିତ୍ରରେ ସେ ବ୍ୟାକ୍‌ଗ୍ରାଉଣ୍ଡ ମ୍ୟୁଜିକ(ବିଜିଏମ୍‌) କାର୍ଯ୍ୟ କରିବା ପରେ ନିଜସ୍ବ ଷ୍ଟୁଡିଓ କରିବାକୁ ଇଚ୍ଛା କରିଥିଲେ। ପ୍ରଥମେ ହାତୀପୋଖରୀଠାରେ ଏକ ଭଡ଼ାଘରେ ଷ୍ଟୁଡିଓ ଆରମ୍ଭ ହୋଇଥିଲା। ଗତ ଦୁଇବର୍ଷ ହେବ କେଶରପୁରରେ ନିଜସ୍ବ ଜମିରେ ଷ୍ଟୁଡିଓ କରି ସଙ୍ଗୀତରେ ମଜି ରହୁଛନ୍ତି ଆସାଦ୍‌। ଇତିମଧ୍ୟରେ ୭ ଚଳଚ୍ଚିତ୍ରରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବାବେଳେ ତାଙ୍କର କିଛି ଗୀତ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିଜୟୀ ମଧ୍ୟ ହୋଇଛି। ଚଳିତବର୍ଷ ଆସାଦ୍‌ଙ୍କ ଏକ ଗୀତ ବଲିଉଡ୍‌ର ଲୋକପ୍ରିୟ ଗାୟକ ଶାନ୍‌(ଶାନ୍ତନୁ ମୁଖାର୍ଜୀ) ଗାଇଥିଲେ। ବମ୍ବେର ଏକ ଷ୍ଟୁଡିଓରେ ଗୀତର ଡବିଂ କରାଯାଇଥିଲା। ଏନେଇ ଆସାଦ୍‌ କୁହନ୍ତି, ଗୀତର ଟ୍ରାକ୍‌ ନ ଶୁଣି ଶାନ୍‌ ରେକଡିଂ ରୁମ୍‌କୁ ଚାଲି ଯାଇଥିଲେ। ହେଲେ ଟ୍ରାକ୍‌ ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇ ମୋତେ ଚାହିଁବା ସହ ଉକ୍ତ ଟ୍ରାକ୍‌ ଓଡ଼ିଶାରେ ନୁହେଁ ବରଂ ବମ୍ବେର କୌଣସି ଷ୍ଟୁଡିଓରେ କରାଯାଇଛି ବୋଲି କହିଥିଲେ। ହେଲେ ମୁଁ ମୋ କେଶରପୁର ଷ୍ଟୁଡିଓରେ କରିଛି ବୋଲି କହିବା ପରେ ଓଡ଼ିଶାରେ ଏବେ ଭଲ କାମ ଆରମ୍ଭ ହେଲାଣି ବୋଲି ଶାନ୍‌ କହିଥିବା ଆସାଦ୍‌ ଜଣାଇଛନ୍ତି। ଆରବିକ୍‌ ଭାଷାରେ ‘ଆଫିୟାନ୍ସ’ର ଅର୍ଥ କ୍ରିଏଟିଭିଟି (ସୃଜନଶୀଳତା)। ଏହି ଅନୁସାରେ ଷ୍ଟୁଡିଓର ନାମକରଣ ହୋଇଥିବା ସେ କହିଛନ୍ତି।