ପ୍ରଶଂସକଙ୍କୁ ବଡ଼ ଝଟ୍‌କା ଦେଲେ ଏହି ପ୍ରସିଦ୍ଧ ଅଭିନେତା

ନିକଟରେ ବଲିଉଡ ଅଭିନେତା ଅମିର ଖାନ ତାଙ୍କ ଜନ୍ମଦିନ ପାଳନ କରିଥିଲେ। ଜନ୍ମଦିନର ଗୋଟିଏ ଦିନ ପରେ ସେ ନିଜ ପ୍ରଶଂସକମାନଙ୍କୁ ଝଟ୍‌କା ଦେଇଛନ୍ତି। ଏକ ପୋଷ୍ଟରେ ଜନ୍ମଦିନର ଶୁଭେଚ୍ଛା ପାଇଁ ସେ ଲୋକମାନଙ୍କୁ ଧନ୍ୟବାଦ ଦେବା ସହ ଏହା ତାଙ୍କ ଶେଷ ବୋଲି କହିଛନ୍ତି। ଏହା ନିଶ୍ଚିତ ଭାବରେ ତାଙ୍କ ପ୍ରଶଂସକଙ୍କୁ ନିରାଶ କରିବ। ଅମିର ଇନଷ୍ଟାଗ୍ରାମରେ ଏହି ପୋଷ୍ଟ ଶେୟାର କରି କହିଛନ୍ତି ଯେ, ଏବେ ସେ ସୋସିଆଲ ମିଡିଆକୁ ବିଦାୟ ନେଉଛନ୍ତି। ଏହା ମଧ୍ୟ ତାଙ୍କର ଶେଷ ପୋଷ୍ଟ। ତାଙ୍କ ଚଳଚ୍ଚିତ୍ର ସହ ଜଡିତ ତାଜା ଖବର କେଉଁଠାରେ ଦେଖିବାକୁ ମିଳିବ ତା ମଧ୍ୟ ସେ ସ୍ପଷ୍ଟ କରିଛନ୍ତି।
ମାର୍ଚ୍ଚ ୧୪ରେ ଅମିର ତାଙ୍କ ୫୬ତମ ଜନ୍ମଦିନ ପାଳନ କରିଥିଲେ। ତାଙ୍କ ପ୍ରଶଂସକ ଏବଂ ବଲିଉଡ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ତାଙ୍କ ପାଇଁ ଅନେକ ପୋଷ୍ଟ କରିଥିଲେ। ଜନ୍ମଦିନର ଗୋଟିଏ ଦିନ ପରେ ଅମିର ଇନଷ୍ଟାଗ୍ରାମ ଏବଂ ଟ୍ବିଟରରେ ଏକ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ମୋ ଜନ୍ମଦିନରେ ଏତେ ଭଲ ପାଇବା ଦେଇଥିବାରୁ ଅନେକ ଧନ୍ୟବାଦ। ସୋସିଆଲ ମିଡିଆରେ ଏହା ମୋର ଶେଷ ପୋଷ୍ଟ। ନିଜକୁ ‘ଅତ୍ୟଧିକ’ ସକ୍ରିୟ ଥିବା ଦେଖି ମୁଁ ସ୍ଥିର କଲି ଯେ ମୁଁ ଦେଖାଇବା ବନ୍ଦ କରିବା ଉଚିତ୍‌। ଆମେ ପୂର୍ବପରି କଥାବାର୍ତ୍ତା ଜାରି ରଖିବା। ଏକେପି ଏହାର ଅଫିସିଆଲ ଚ୍ୟାନେଲ ମଧ୍ୟ ସୃଷ୍ଟି କରିଛି। ତେଣୁ ଭବିଷ୍ୟତରେ ବ୍ୟକ୍ତିଗତ ଏବଂ ମୋର ଚଳଚ୍ଚିତ୍ର ସମ୍ବନ୍ଧୀୟ ଅପଡେଟ ଗୁଡିକ ସେଠାରେ ଦେଖିବାକୁ ମିଳିବ। ଅମିର ଖାନଙ୍କ ଆଗାମୀ ଫିଲ୍ମ ‘ଲାଲ ସିଂ ଚଢା’କୁ ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏଥିରେ ତାଙ୍କ ସହ କରୀନା କପୁର ମଧ୍ୟ ଅଭିନୟ କରିଛନ୍ତି।

Share