Categories: ଜାତୀୟ

ପ୍ରଭାବିତ ହେବ ୪୮ ପ୍ରତିଶତ ଭାରତୀୟ ଛାତ୍ରଙ୍କ ବିଦେଶ ପଢ଼ା

ନୂଆଦିଲ୍ଲୀ,୧୫।୫(ପି.ଟି.): ବିଦେଶରେ ପାଠ ପଢ଼ିବାକୁ ଚାହୁଁଥିବା ୪୮ ପ୍ରତିଶତ ଭାରତୀୟ ଛାତ୍ରୀଛାତ୍ରଙ୍କ ନିଷ୍ପତ୍ତିକୁ କରୋନା ମହାମାରୀ ପ୍ରଭାବିତ କରିବ ବୋଲି ଜଣାପଡିଛି। ବିଶ୍ୱସ୍ତରରେ ଶିକ୍ଷାନୁଷ୍ଠାନଗୁଡ଼ିକର ର଼୍ୟାଙ୍କ ପ୍ରସ୍ତୁତ କରୁଥିବା କ୍ୱାକ୍ୱାରେଲି ସାଇମଣ୍ଡସ୍‌ (କ୍ୟୁଏସ୍‌) ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି। ଅନ୍ତର୍ଜାତୀୟ ସ୍ତରରେ ଉଚ୍ଚଶିକ୍ଷା ବ୍ୟୟବହୁଳ ହୋଇଥିବାବେଳେ ନିବେଶର ରିଟର୍ନ ଯଥେଷ୍ଟ କମ୍‌। ଏଥିସହିତ କୋଭିଡ୍‌-୧୯ ପରବର୍ତ୍ତୀ ପର୍ଯ୍ୟାୟରେ ସାରା ବିଶ୍ୱରେ ନିଯୁକ୍ତି ସଙ୍କଟ ସୃଷ୍ଟି ହେବାକୁ ଯାଉଛି। ଭାରତୀୟ ଛାତ୍ରୀଛାତ୍ର ବିଦେଶରେ ପଢ଼ିବା ନିଷ୍ପତ୍ତି ପରିବର୍ତ୍ତନ କରିବା ପଛରେ ଏହା ମୁଖ୍ୟ କାରଣ ହେବ ବୋଲି କ୍ୟୁଏସ୍‌ର ବିଶେଷଜ୍ଞମାନେ ମତ ଦେଇଛନ୍ତି। ତେଣୁ ନିକଟ ଅତୀତରେ ବିଦେଶରେ ପାଠ ପଢ଼ିବାର ସ୍ବପ୍ନ ଦେଖୁଥିବା ୪୮.୪୬% ଭାରତୀୟ ଛାତ୍ରୀଛାତ୍ର ସେମାନଙ୍କ ନିଷ୍ପତ୍ତି ବଦଳାଇପାରନ୍ତି ବୋଲି ଅଧ୍ୟୟନରୁ ଜଣାପଡିଛି। ତେବେ ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ ଓ ଗଣିତ ବ୍ୟତୀତ ଅନ୍ୟ ଛାତ୍ରମାନେ ବିଦେଶରେ ଉଚ୍ଚଶିକ୍ଷା ନେବାକୁ ଆଗ୍ରହ ପ୍ରକାଶ କରିପାରନ୍ତି।
ଏହା ବ୍ୟତୀତ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ଆଗାମୀ ଦିନରେ ଇ-ଲର୍ନିଂ ବ୍ୟବସ୍ଥା ଆପଣାଇବା ଏକପ୍ରକାର ନିଶ୍ଚିତ। ଫଳରେ ଛାତ୍ରୀଛାତ୍ରଙ୍କ ବିଦେଶ ଯିବା ଉପରେ ଏହା ସୁଦୂରପ୍ରସାରୀ ପ୍ରଭାବ ପକାଇବ। ସଂକ୍ରାମକ ରୋଗ ବ୍ୟାପିବାର ମୁଖ୍ୟ କାରଣ ବିଦେଶ ଯାତ୍ରା, ଏହା କାହାକୁ ଅଛପା ନାହିଁ। କୋଭିଡ୍‌-୧୯ର ପ୍ରତିଘାତ ସବୁ ସ୍ତରରେ ଶିକ୍ଷାଦାନ ଓ ପାଠପଢ଼ା ଅଭ୍ୟାସରେ ପରିବର୍ତ୍ତନ ଆଣିବ ବୋଲି ରିପୋର୍ଟରେ କୁହାଯାଇଛି।

Share