ପଟ୍ଟାମୁଣ୍ଡାଇ,୩୧ା୩(କଳ୍ପତରୁ ନାୟକ):ରାଜ୍ୟ ସରକାରୀ ଜମି ଜବରଦଖଲ ଉଚ୍ଛେଦ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗତବର୍ଷ ଡିସେମ୍ବରରେ କଡ଼ା ଚେତାବନୀ ଦେଇଥିଲେ। ଜବରଦଖଲକାରୀମାନେ ସରକାରୀ ଜମି ଫେରାନ୍ତୁ ନଚେତ୍ ଉଚ୍ଛେଦ ଖର୍ଚ୍ଚ ପ୍ରଭାବଶାଳୀଙ୍କ ନିକଟରୁ ଆଦାୟ କରାଯିବା ନେଇ ତହସିଲ ସବୁକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଅଞ୍ଚଳରେ ଏହାର ଓଲଟା ଦେଖିବାକୁ ମିଳୁଛି। ପ୍ରଶାସନ ଉଠାଦୋକାନୀ ଓ ଗରିବଙ୍କୁ ଉଚ୍ଛେଦକରି ଫଟୋ ଉଠାଇ ନିଜର କାର୍ଯ୍ୟ ଦେଖାଉଥିବା ବେଳେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଜବରଦଖଲ ଉପରେ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହେଉଛି। ଫଳରେ ଦିନକୁ ଦିନ ସରକାରୀ ଜମି ଦଖଲ ବଢ଼ିବାରେ ଲାଗିଛି। ବର୍ତ୍ତମାନ କେତେଜଣ ଆଗଧାଡ଼ିର ନେତା ଓ କର୍ମୀ ଗୋବରୀ ନଦୀକୁ ପୋତି ନିଜ ନାମରେ କରାଇ ନେବାରେ ସକ୍ଷମ ହୋଇଛନ୍ତି। ଏବେ ସେହି ସ୍ଥାନରେ ବାଲି ପକାଇ ଘର ନିର୍ମାଣ କରିବାକୁ ମସୁଧା ଚଳାଇଛନ୍ତି। ଲୋକେ ଅଭିଯୋଗ କଲେ ମଧ୍ୟ ଫଳପ୍ରଦ ହେଉନାହଁି। ଓଲଟି ଧମକ ମିଳୁଛି। ସେମାନେ ସରକାରୀ ଓ ବିରୋଧୀ ଦଳର ଲୋକ ହୋଇଥିବାରୁ ପ୍ରଶାସନ ଚୁପ୍ ବସିଛି। ସରକାରଙ୍କ ପ୍ରିୟାପ୍ରୀତି ନୀତିରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ପଟ୍ଟାମୁଣ୍ଡାଇରେ ପ୍ରାୟତଃ ପ୍ରହସନରେ ପରିଣତ ହେଉଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
ସାମାଜିକ କର୍ମୀ ରଣଧିର ଜେନା, କ୍ଷୀରୋଦ ମଲିକ, ଅଜିତ ରାଉତ ପ୍ରମୁଖ କହିଛନ୍ତି, ପଟ୍ଟାମୁଣ୍ଡାଇ ସହର ଓ ଏହାର ଆଖପାଖ ଅଞ୍ଚଳରେ ଦିନକୁ ଦିନ ଜବରଦଖଲକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପୁରୁଣା ଗୋବରୀ ନଦୀ ନାଳ ଜମି ପଟ୍ଟାମୁଣ୍ଡାଇ ଛାତି ଉପରେ ଥିବାରୁ ଜମିର ଦାମ୍ ବର୍ଗଫୁଟ ୪ ରୁ ୮ ହଜାର ଟଙ୍କା ଯାଏ ଯାଉଛି। ଭୂଲେଖରୁ ମିଳିଥିବା ତଥ୍ୟ ମୁତାବକ, ପଟ୍ଟାମୁଣ୍ଡାଇର ଅଞ୍ଚଳର ପୋଖରିଆପଡ଼ା, ବେଳତଳ ଓ ଦକ୍ଷିଣଦିଆ ମୌଜା ଦେଇ ଯାଇଥିବା ଗୋବରୀ ନଦୀର ପାଖାପାଖି ୧୪୮.୨୬ ଏକର ସରକାରୀ ଜମି ଜବରଦଖଲକାରୀ ମାଡ଼ି ବସିଛନ୍ତି। ଏସବୁ ଛାଡ଼ି ଦେଲେ ପରିବହନ, ରାଜସ୍ବ, ପୂର୍ତ୍ତ ଓ ଜଳ ସମ୍ପଦ ବିଭାଗର ଏକର ଏକର ଜାଗା ଜବରଦଖଲରେ ରହିଛି। ସେଥିମଧ୍ୟରେ ସର୍ବାଧିକ ପଟ୍ଟାମୁଣ୍ଡାଇ ବଜାର ଭିତରେ ରହିଛି। ଏହାସହ ଗ୍ରାମାଞ୍ଚଳରେ ମଧ୍ୟ ବହୁ ସରକାରୀ ଜମି ଜବରଦଖଲକାରୀଙ୍କ କବ୍ଜାରେ ରହିଛି। କେତେଜଣ ଲୋକ ଧର୍ମାନୁଷ୍ଠାନ ନଁାରେ ଜାଗା ମାଡ଼ି ବସୁଛନ୍ତି। ଏହିସବୁ ଜବରଦଖଲକୁ ନେଇ କେତେଗୋଟି ମାମଲା ହାଇକୋର୍ଟ ଓ ସିଭିଲ କୋର୍ଟରେ ବିଚାରାଧୀନ ରହିଛି, ଆଉ କେତେଗୋଟି ରାୟ ସରକାରଙ୍କ ସପକ୍ଷରେ ପ୍ରକାଶ ପାଇଛି। ମାତ୍ର ସରକାରଙ୍କ ସପକ୍ଷ ରାୟ ଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ହାତଗୁଞ୍ଜା ନେଇ ସେପରି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ଏକ ସିଭିଲ କୋର୍ଟ କେସ୍ ନଂ. ୧୫୨/୨୦୧୬ରୁ ଜଣାପଡ଼ିଛି। ବର୍ଷ ବର୍ଷ ଧରି ସରକାରୀ ଜମି ମାଡ଼ି ବସିଥିଲେ ମଧ୍ୟ ସେମାନଙ୍କ ଉପରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରାଯାଉନାହଁି ବୋଲି ପ୍ରଶ୍ନ ଉଠିଛି। କିଛିଦିନ ହେବ ଗୋବରୀ ନଦୀ ଭିତରେ ବାଲି ପଡ଼ି ପୋତାହେଉଥିବା ଘଟଣା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ତହସିଲଦାର ପଞ୍ଚାନନ ନାୟକଙ୍କୁ ପଚାରିବାରେ ଅଭିଯୋଗ ପରେ ତଦନ୍ତ କରାଯାଇଥିଲା। ଏସବୁ ଜାଗା ଗୋବାରୀ ନଦୀ ପଠା ହୋଇଥିବା ବେଳେ ମାଲିକାନା ସ୍ବତ୍ୱ ଦଖଲକାରୀଙ୍କ ନାମରେ ରହିଛି ବୋଲି ସେ କହିଛନ୍ତି।
Dharitri – Odisha’s No.1 Odia Daily

