ପ୍ରବାସୀ ସୁରଟ ଫେରନ୍ତାଙ୍କ ପାଇଁ ପ୍ରସ୍ତୁତି, ସମୀକ୍ଷା କଲେ ଜିଲାପାଳ

ଧରାକୋଟ,୨୯ା୪(ଡି.ଏନ.ଏ.)- ସୁରଟରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ୍‌ ମଧ୍ୟରୁ ୨ଟି ଧରାକୋଟରେ ରହିବ। ଏନେଇ ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ। କୁଡ଼ାଗୁମା ଆଦର୍ଶ ବିଦ୍ୟାଳୟରରେ ୧୦୦ ଶଯ୍ୟା ବିଶିଷ୍ଟ କ୍ୱାରାଣ୍ଟାଇନ ସେଣ୍ଟର ହୋଇଛି। ବୁଧବାର ସକାଳେ ଜିଲାପାଳ କୁଲାଙ୍ଗେ ଉକ୍ତ ସ୍ଥାନ ପରିଦର୍ଶନ ସହ ବ୍ଲକରେ ସମୀକ୍ଷା କରି ଫେରିଛନ୍ତି। ଉପଜିଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ ମଧ୍ୟ ପରେ ଏନେଇ ତଦାରଖ କରିଛନ୍ତି। ସେଠାରେ ଗୋଟିଏ ଆଇସୋଲେସନ ରୁମ ମଧ୍ୟ ପ୍ରସ୍ତୁତ କରାଯାଇଛି। ରେପିଡ ରେସପନ୍ସ ଟିମର ମୁଖ୍ୟ ଡ଼. ଏମଭିକେ ଅଶୋକଙ୍କ ନେତୃତ୍ୱରେ ଏକ ୪ ଜଣିଆ ଟିମ୍‌ ଗୃହଗୁଡ଼ିକୁ ବିଶୋଧନ କରିଛନ୍ତି। ସମସ୍ତ ଯାତ୍ରୀ ପହଞ୍ଚତ୍ବାପରେ ସ୍କ୍ରିନିଂ କରାଯିବ। ରୋଗ ଲକ୍ଷଣ ଥିବା ସନ୍ଦିଗ୍ଧଙ୍କୁ ଆଇସୋଲେସନ ରୁମରେ ରଖାଯିବ। ପରେ ସ୍ବାବ ଟେଷ୍ଟ ପାଇଁ ଏମ୍‌କେସିଜି ପଠାଯିବ। କରୋନା ଲକ୍ଷଣ ପାଇଲେ ତୁରନ୍ତ ରୋଗୀଙ୍କୁ କୋଭିଡ-୧୯ ହସ୍ପିଟାଲକୁ ପଠାଯିବ ବୋଲି ମୁଖ୍ୟ ଚିକିତ୍ସକ ଡ଼. ବ୍ରଜରାଜ କର କହିଛନ୍ତି। ଏଥିପାଇଁ ଧରାକୋଟ ବିଡିଓ ବିଭୂତି ଗଡ଼ନାୟକ, ତହସିଲଦାର କବିରାଜ ପ୍ରଧାନ, ଥାନାଧିକାରୀ ସହଦେବ ମହାପାତ୍ର, ବିଇଓ ରବିନ୍ଦ୍ର କୁମାର ପଣ୍ଡା, ଏବିଡିଓ ସୁଶୀଲ କୁମାର ପଟ୍ଟନାୟକଙ୍କ ସମେତ ପ୍ରଶାସନର ସମସ୍ତ କର୍ମଚାରୀ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି।