ଶରଣାର୍ଥୀ ଶିବିରରେ ଏୟାର ଷ୍ଟ୍ରାଇକ୍‌: ୪୪ ମୃତ

ତ୍ରିପୋଲି,୩।୭: ଲିବିୟାର ଏକ ପ୍ରବାସୀ କେନ୍ଦ୍ର ଉପରେ ହୋଇଥିବା ଏୟାର ଷ୍ଟ୍ରାଇକ୍‌ରେ ୪୦ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ରାଜଧାନୀ ତ୍ରିପୋଲିର ତାଜୋୟୁରାଠାରେ ଥିବା ପ୍ରବାସୀ କେନ୍ଦ୍ର ଉପରେ ଅଚାନକ ଏୟାର ଷ୍ଟ୍ରାଇକ୍‌ ହୋଇଥିଲା। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି ବୋଲି ସରକାର କହିଛନ୍ତି। ଆକ୍ରମଣକୁ ଜାତିସଂଘ ଯୁଦ୍ଧ ଅପରାଧର ଆଖ୍ୟା ଦେଇଛି। ଅନ୍ୟପକ୍ଷରେ ହଫ୍‌ତାରଙ୍କ ସେନା ଏହି ଆକ୍ରମଣ ପାଇଁ ସରକାରଙ୍କୁ ଦାୟୀ କରିଛି।  ହଫ୍‌ତାରଙ୍କ ନେତୃତ୍ୱାଧୀନ ସେନାର ଏକ ଏଫ୍‌-୧୬ ଫାଇଟର-ବମ୍ବର ତ୍ରିପୋଲି ଆଡ଼କୁ ଅଗ୍ରସର ହୋଇଥିଲା। ଯୁଦ୍ଧବିମାନରୁ ଆକାଶମାର୍ଗରୁ ଶରଣାର୍ଥୀ ଶିବିରକୁ ଟାର୍ଗେଟ କରି ଘନଘନ ବୋମାବର୍ଷଣ କରାଯାଇଥିଲା। ଜେନେରାଲ ହଫ୍‌ତାରଙ୍କ ଏଲ୍‌ଏନ୍‌ଏ ଦ୍ୱାରା ଏହି ଘୃଣ୍ୟ ଅପରାଧ ପ୍ରାୟୋଜିତ ଥିଲା ବୋଲି ଜିଏନ୍‌ଏ ପକ୍ଷରୁ କୁହାଯାଇଛି। ଲିବ୍ୟାରେ ଜାତିସଂଘ ମିଶନର ମୁଖ୍ୟ ଘସାନ୍‌ ସଲାମା ତଜୌରା ଆକ୍ରମଣକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି।

Share