ପ୍ରବାସୀ ଓଡ଼ିଆଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ

ଖୋର୍ଦ୍ଧା ଅଫିସ/ ନିରାକାରପୁର,୬ା୫(ଡି.ଏନ୍‌.ଏ.): ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଏକ ବସ୍‌ ପୁଣି ଦୁର୍ଘଟଣାଗ୍ରସ୍ତ ହୋଇଛି। ମଙ୍ଗଳବାର ପ୍ରତ୍ୟୁଷରେ ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥ କୁହୁଡି ଛକରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ବସ୍‌ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଡ୍ରାଇଭର ଏମ୍‌.ଶ୍ରୀକାନ୍ତ। ଖବରପାଇ କୁହୁଡି ଫାଣ୍ଡି ଓ ଟାଙ୍ଗୀ ପୋଲିସ, ଦମକଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ। କୁହୁଡି ଛକରେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି।
ସୂଚନା ଅନୁଯାୟୀ, ହାଇଦ୍ରାବାଦରୁ ୪୦ଜଣ ପ୍ରବାସୀ ଓଡ଼ିଆଙ୍କୁ ଧରି ଏକ ଅଶୋକା ନାମକ ବସ(ଏପି୦୨ଟିଏ ୦୯୫୪) ଖୋର୍ଦ୍ଧା ଅଭିମୁଖେ ଆସୁଥିଲା। ଏଥିରେ ବାଙ୍କୀର ୩୦, କେନ୍ଦ୍ରାପଡା ୪, ଜଗତ୍‌ସିଂହପୁର ୩ ଏବଂ ପିପିଲି୧, ନିମାପଡାର ୨ଜଣ ଥିଲେ। ମଙ୍ଗଳବାର ଭୋର ସାଢେ ୪ଟାରେ କୁହୁଡି ଛକ ରାଜପଥରେ ଏକ ଆମ୍ବ ବୋଝେଇ ଟ୍ରକ (ଓଡି୦୨ପି ୯୧୬୨)ହମ୍ପସ୍‌ ପାରି ହେଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏହି ବସ ପଛପଟୁ ଧକ୍କା ଦେଇଥିଲା। ବସର ଆଗପଟ ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଛି। ଏହି ସମୟରେ ବସ୍‌ର ବାମ ପାର୍ଶ୍ୱରେ ବସିଥିବା ଦ୍ୱିତୀୟ ଡ୍ରାଇଭର ଶ୍ରୀକାନ୍ତ ଟ୍ରକ ଦେହରେ ପିଟିହୋଇ ଗୁରୁତର ଆହତ ହୋଇଥିଲେ। ଅନ୍ୟପଟେ ବସ୍‌ ଚାଳକଙ୍କ ସମେତ ବସ୍‌ରେ ଥିବା ୨ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ବସ୍‌ରେ ଥିବା ଅନ୍ୟ ଯାତ୍ରୀମାନେ ଏକ ବଡଧରଣ ଅଘଟଣରୁ ବର୍ତ୍ତି ଯାଇଥିଲେ। ଖବରପାଇ ବାଲୁଙ୍ଗା ଏସ୍‌ଡିପିଓ ଏସ.କେ.ଦାଶ, କୁହୁଡି ଫାଣ୍ଡି ଅଧିକାରୀ ନିରଞ୍ଜନ ରାଉତ, ଟାଙ୍ଗୀ ଥାନାଧିକାରୀ ସରୋଜ କୁମାର ଉପାଧ୍ୟାୟ, ଦମକଳ ବାହିନୀ ଏବଂ ଟାଙ୍ଗୀ ବ୍ଳକ ଅଧ୍ୟକ୍ଷ ବିଜୟ କୁମାର ଜେନା ପ୍ରମୁଖ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଶ୍ରୀକାନ୍ତଙ୍କୁ ମୃତ ଘୋଷଣା କରିଥିଲେ। ଆହତଙ୍କ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଥିବା ଜଣାପଡିଛି। ପରେ ପ୍ରଶାସନ ପକ୍ଷରୁ ଏକ ବସ୍‌ ଯୋଗେ ସେମାନଙ୍କୁ ଖୋର୍ଦ୍ଧା ପୌର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କ୍ୱାରାଣ୍ଟାଇନ ସେଣ୍ଟରକୁ ପଠାଇଥିଲେ। ସେଠାରେ ସେମାନଙ୍କ ସ୍କିନିଂ, ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଜିଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବସ ଯୋଗେ ସେମାନଙ୍କୁ ଗନ୍ତବ୍ୟ ସ୍ଥଳକୁ ପଠାଯାଇଥିଲା। ସୂଚନାଥାଉ କି, ମଙ୍ଗଳବାର ଘଟଣାକୁ ମିଶାଇ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବାହାର ରାଜ୍ୟ ୪ଟି ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି।