ପ୍ରବାସୀଙ୍କୁ ନେଇ ଆଜି ବାହାରିନରୁ ଆସିବ ବିମାନ

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ବାହାରିନ୍‌ରେ ଫସି ରହିଥିବା ଓଡ଼ିଆ ଶ୍ରମିକଙ୍କୁ ନେଇ ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ବିମାନ ଶନିବାର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ। କରୋନା ଲକ୍‌ଡାଉନ୍‌ ପାଇଁ ଅଧିକାଂଶ ଶ୍ରମିକ ଜୀବିକା ହରେଇ ଆର୍ଥିକ ତଥା ସ୍ବାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିଲେ। ବାହାରିନ୍‌ର ଓଡ଼ିଆ ସମାଜ ସହଯୋଗର ହାତ ବଢ଼ାଇ ସେମାନଙ୍କୁ ସିଧାସଳଖ ନିଜ ଜନ୍ମ ମାଟିରେ ପହଞ୍ଚାଇବାରେ ବ୍ୟବସ୍ଥା କରିଛି। ବାହାରିନ୍‌ ଓଡ଼ିଆ ସମାଜର ସାଧାରଣ ସମ୍ପାଦକ ସୁସ୍ମିତା ରାଉତ କହିଛନ୍ତି, ପୂର୍ବରୁ ସେଠାରେ ଥିବା ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ଓ ଆବଶ୍ୟକ ସାମଗ୍ରୀ ଯୋଗେଦିଆଯିବା ସହ ଘରକୁ ପଠାଇବାର ବ୍ୟବସ୍ଥା କରିବାକୁ ଆଶ୍ୱାସନା ଦେଇଥିଲୁ। ଏଥିପାଇଁ ଭାରତ ସରକାର, ରାଜ୍ୟ ସରକାର ତଥା ବାହାରିନରେ ଥିବା ଭାରତୀୟ ଦୂତାବାସ ସହ ଅହରହ ସମ୍ପର୍କ ରଖିଥିଲୁ। ବିମାନ ବ୍ୟବସ୍ଥା ହୋଇଥିବା ଶୁଣିବା ପରେ ପ୍ରବାସୀମାନେ ଆନନ୍ଦଲାଭ କରିଥିବାବେଳେ ବାହାରିନ୍‌ ଓଡ଼ିଆ ସମାଜର ସଭାପତି ତପନ ମିଶ୍ର ମଧ୍ୟ ଖୁସିବ୍ୟକ୍ତ କରିଛନ୍ତି। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟ ଶଙ୍କର, ବିମାନ ଚଳାଚଳ ମନ୍ତ୍ରୀ ହର୍‌ଦୀପ୍‌ ସିଂପୁରୀ ଏବଂ ବାହାରିନସ୍ଥିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।