ପ୍ରବଳ ମୁଣ୍ଡ ବିନ୍ଧୁଥିଲେ..

ମୁଣ୍ଡବିନ୍ଧା ଆଜିକାଲି ଏକ ସାଧାରଣ ସମସ୍ୟା ପାଲଟିଗଲାଣି। ଏପରି ସମସ୍ୟାର ସମ୍ମୁଖୀନ ହେବା ସଙ୍ଗେ ସଙ୍ଗେ କେତେକେ ଔଷଧ ଖାଇବାକୁ ପସନ୍ଦ କରିଥାଆନ୍ତି। ହେଲେ କେତୋଟି ବିଷୟ ପ୍ରତି ଧ୍ୟାନ ଦେଲେ ଏହି ସମସ୍ୟା ଗୁରୁତର ଆକାର ଧାରଣ କରି ନ ଥାଏ। ପ୍ରବଳ ମୁଣ୍ଡବିନ୍ଧାରୁ ଅନେକାଂଶରେ ଉପଶମ ପାଇବାର ଏକ ସରଳ ଉପାୟ ରହିଛି। ଶରୀରରୁ ଜଳୀୟ ଅଂଶ କମିଗଲେ ମୁଣ୍ଡ ବିନ୍ଧିଥାଏ। ତେଣୁ ପ୍ରଚୁର ପାଣି ପିଅନ୍ତୁ। ଶରୀରରେ ଏହି ସ୍ତର ସନ୍ତୁଳିତ ହୋଇଗଲେ ମୁଣ୍ଡବିନ୍ଧା ଧୀରେ ଧୀରେ କମିଯାଇଥାଏ। ଯଦି ଆପଣ ନିଶାଦ୍ରବ୍ୟ ସେବନ କରୁଛନ୍ତି ତେବେ ଏଭଳି ଅଭ୍ୟାସ ତୁରନ୍ତ ବର୍ଜନ କରନ୍ତୁ। ଜଣେ ବ୍ୟକ୍ତି ଯଦି ଆବଶ୍ୟକ ମୁତାବକ ନିଦ୍ରା ନ ଯାଆନ୍ତି ତେବେ ତାହା ମୁଣ୍ଡବିନ୍ଧାର ଅନ୍ୟତମ କାରଣ ସାଜିଥାଏ। ତେଣୁ ପ୍ରତିଦିନ ଅତିକମ୍‌ରେ ୬ରୁ ୭ ଘଣ୍ଟା ଶୁଅନ୍ତୁ। ସବୁବେଳେ ସୁପାଚ୍ୟ ଖାଦ୍ୟ ଖାଆନ୍ତୁ। ଏପରି ଖାଦ୍ୟ ଖାଆନ୍ତୁ ନାହିଁ ଯାହା ଜୀର୍ଣ୍ଣ ହେବାରେ ଅସୁବିଧା ସୃଷ୍ଟି କରିବ। ଦୈନନ୍ଦିନ ଜୀବନ ତାଲିକାରେ ଯୋଗକୁ ସାମିଲ କରନ୍ତୁ। ଏହା ମୁଣ୍ଡ ବିନ୍ଧାରୁ ଉପଶମ ଦେବାରେ କେତେକାଂଶରେ ସାହାଯ୍ୟ କରିଥାଏ।